ଭୁବନେଶ୍ୱର: ସମସ୍ୟା ସମାଧାନ ଓ ମଧ୍ୟସ୍ଥତା ଭାରତରେ ନୂଆ ନୁହେଁ। ଏହାର ମୂଳ ଗଭୀର ଭାବେ ଭାରତର ଇତିହାସ ସହ ଜଡ଼ିତ। କିଟ୍ ସେଣ୍ଟର ଫର୍‌ ଇଣ୍ଟରନ୍ୟାସନାଲ ଆର୍ବିଟ୍ରେସନ୍ ଆଣ୍ଡ ମେଡିଏସନ୍‌ (କେସିଆଇଏଏମ୍‌) ଦେଶରେ ସଂସ୍ଥାଗତ ଆର୍ବିଟ୍ରେସନ୍‌ର ଏକ ନୂତନ ଯୁଗକୁ ସୂଚୀତ କରିବ। କେସିଆଇଏଏମ୍‌ ଭିଜନ୍‌ର ଶୁଭାରମ୍ଭ ଅବସରରେ ଇଣ୍ଟରନ୍ୟାସ୍‌ନାଲ୍ କୋର୍ଟ ଅଫ୍ ଜଷ୍ଟିସ୍‌ର ବିଚାରପତି ଅବଦୁଲକାୱି ୟୁସୁଫ୍‌ ଏଭଳି କହିଛନ୍ତି।

Advertisment

ସ୍ବସ୍ତି ପ୍ରିମିୟମ୍‌ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଚ୍ଚତମ ନ୍ୟାୟାଳୟର ବିଚାରପତି ଜଷ୍ଟିସ୍ ସନ୍ଦୀପ ମେହେଟା ଯୋଗ ଦେଇ କହିଲେ, କେସିଆଇଏଏମ୍‌ ଏକ ସମୟୋଚିତ ଓ ଦୂରଦୃଷ୍ଟିସଂପନ୍ନ ପଦକ୍ଷେପ। ଏହି କେନ୍ଦ୍ର ସର୍ବୋତ୍ତମ ଆର୍ବିଟ୍ରେସନ୍‍ ଓ ମଧ୍ୟସ୍ଥତା କ୍ଷେତ୍ରରେ ଗବେଷଣାକୁ ପ୍ରୋତ୍ସାହିତ କରିବ। ପାଟନା ଉଚ୍ଚନ୍ୟାୟାଳୟର ବିଚାରପତି ଜଷ୍ଟିସ୍ ସନ୍ଦୀପ କୁମାର କହିଲେ, ଭୁବନେଶ୍ୱର ଏପରି ଏକ କେନ୍ଦ୍ର ପାଇଁ ଉପଯୁକ୍ତ ସ୍ଥାନ। କାରଣ ଏହା ଏକ ପ୍ରଯୁକ୍ତିବିଦ୍ୟା ହବ୍‌ ଭାବେ ଜଣାଶୁଣା। ବିଗତ କିଛି ବର୍ଷରେ କେବଳ ଆର୍ବିଟ୍ରେସନ୍‌ ଦ୍ୱାରା ୫୮ହଜାରରୁ ଅଧିକ ମାମଲାର ସମାଧାନ ହୋଇଛି। ଏହି କେନ୍ଦ୍ର ପ୍ରତିଷ୍ଠା ହେଲେ ଆର୍ବିଟ୍ରେସନ୍‍ ଓ ମଧ୍ୟସ୍ଥତା ପାଇଁ ପକ୍ଷମାନେ କେବଳ ଦିଲ୍ଲୀ କିମ୍ବା ମୁମ୍ବାଇ ଉପରେ ନିର୍ଭର କରିବା ଅପେକ୍ଷା ଭୁବନେଶ୍ୱରରେ ବିବାଦର ସମାଧାନ କରିପାରିବେ।

ଝାଡ଼ଖଣ୍ଡ ଉଚ୍ଚନ୍ୟାୟାଳୟର ବିଚାରପତି ଜଷ୍ଟିସ୍ ରାଜେଶ କୁମାର ଆର୍ବିଟ୍ରେସନ୍‌ ଓ ମଧ୍ୟସ୍ଥତା ଉପରେ ସଚେତନତା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରି ବିଦେଶକୁ ଯାଉଥିବା ମାମଲାର ସଂଖ୍ୟା ହ୍ରାସ ଉପରେ ଆଲୋକପାତ କରିଥିଲେ। ଜଷ୍ଟିସ୍ ଆନନ୍ଦ ସେନ୍ ଦୃଢ଼ ଆଇନଗତ ପୃଷ୍ଠଭୂମି ସହିତ ପ୍ରଶିକ୍ଷିତ ଆର୍ବିଟ୍ରେଟ୍‌ର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। କେସିଆଇଏଏମ୍ ବିଶ୍ୱସ୍ତରରେ ସର୍ବୋତ୍ତମ କେନ୍ଦ୍ର ମଧ୍ୟରୁ ଗୋଟିଏ ହେବାର ସମ୍ଭାବନା ରଖିଛି ବୋଲି ଜଷ୍ଟିସ୍ ସୁଜିତ ନାରାୟଣ ପ୍ରସାଦ କହିଥିଲେ। ବରିଷ୍ଠ ଅଧିବକ୍ତା ପିଙ୍କି ଆନନ୍ଦ ଏହି କେନ୍ଦ୍ରର ପ୍ରତିଷ୍ଠା ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିର ଆକାଂକ୍ଷାକୁ ପ୍ରତିଫଳିତ କରିବା ସହ ନ୍ୟାୟିକ ଭିତ୍ତିଭୂମିକୁ ସୁଦୃଢ଼ କରିବ ବୋଲି କହିଥିଲେ। କେସିଆଇଏଏମ୍ ଏକ ବିଶ୍ୱସ୍ତରୀୟ ଆର୍ବିଟ୍ରେସନ୍‍ କେନ୍ଦ୍ର ହେବା ସହିତ ଏଠାରେ ଆର୍ବିଟ୍ରେସନ୍‌ ଓକିଲଙ୍କ ଭଲ ପ୍ୟାନେଲ୍‌ ରହିବ ବୋଲି କିଟ୍‍ ଲ’ ସ୍କୁଲର ଏମେରିଟ୍‌ସ ପ୍ରଫେସର ଏନ୍‌ଏଲ୍‌ ମିତ୍ର କହିଥିଲେ। ଏହି ଅବସରରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଉପସ୍ଥିତିରେ କେସିଆଇଏଏମ୍‌ର ୱେବସାଇଟ୍ ଓ ଲୋଗୋ ଉନ୍ମୋଚନ କରାଯାଇଥିଲା। କେସିଆଇଏଏମ୍‌ର ଅଧ୍ୟକ୍ଷ ତଥା କିଟ୍‌ ବିଶ୍ୱବିଦ୍ୟାଳୟର କୁଳାଧିପତି ଅଶୋକ ପରିଜା ସ୍ୱାଗତ ଭାଷଣ ଦେଇଥିବାବେଳେ କିଟ୍‌ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ ଧନ୍ୟବାଦ ଦେଇଥିଲେ।