ଭୁବନେଶ୍ବର: ୟୁନିଟ-୧ ହାଟକୁ ନେଇ ବିବାଦ ଆଜି ବଢ଼ିଛି। ହାଟରେ ସାମାଜିକ ଦୂରତା ରହୁନଥିବାରୁ ବିଏମ୍‌ସି ପରିବା ବ୍ୟବସାୟୀଙ୍କୁ ମାର୍ଚ୍ଚ ମାସରୁ ୟୁନିଟ-୧ ବାଳକ ଉଚ୍ଚବିଦ୍ୟା‌ଳୟ ଖେଳପଡ଼ିଆକୁ ସ୍ଥାନାନ୍ତର କରିଥିଲା। ସେଠାରେ ପରିବା ବ୍ୟବସାୟୀମାନେ ଦୋକାନ ଖୋଲୁଥିଲେ। କିନ୍ତୁ ଆଜି ସକାଳୁ ହାଠତ୍ ପରିବା ବ୍ୟବସାୟୀମାନେ ହାଟ ଭିତରକୁ ପଳାଇ ଆସିଥିଲେ। ହାଟରେ ଦୋକାନ ଖୋଲିଥିଲେ। ଶହ ଶହ ଲୋକ ବି ପରିବା କିଣିଥିଲେ। କିନ୍ତୁ କାହା ମଧ୍ୟରେ ସାମାଜିକ ଦୂରତା ନଥିଲା। ଏନେଇ ବିଏମ୍‌ସି ନିକଟରେ ଅଭିଯୋଗ ପହଞ୍ଚିବା ପରେ ବିଏମ୍‌ସି କର୍ତ୍ତୃପକ୍ଷ ଏନଫୋର୍ସମେଣ୍ଟ ସ୍କ୍ବାଡ୍‌ ନେଇ ହାଟରେ ଚଢ଼ଉ କରିଥିଲେ। କିନ୍ତୁ ହଠାତ୍ ବର୍ଷା ହେବାରୁ ବ୍ୟବସାୟୀଙ୍କୁ ଉଠାଯାଇ ପାରିନଥିଲା।

Advertisment

ବିଏମ୍‌ସି କର୍ତ୍ତୃପକ୍ଷ କହିଛନ୍ତି ଯେ, ହାଟରେ ପରିବା ଦୋକାନ ଖୋଲିବାକୁ କୌଣସି ନିର୍ଦ୍ଦେଶନାମା ବାହାରିନି। ହାଟରେ ପରିବା ଦୋକାନ ଖୋଲିଲେ ସାମାଜିକ ଦୂରତା ରହିବନି। ତେଣୁ ଯେଉଁ ସବୁ ହାଟ ବିଭିନ୍ନ ଖୋଲା ସ୍ଥାନକୁ ସ୍ଥାନାନ୍ତର ହୋଇଛି ସେଗୁଡ଼ିକ ସେଠାରେ ଖୋଲିବ। ଆଜି ଆମେ ୟୁନିଟ-୧ ପରିବା ବ୍ୟବସାୟୀଙ୍କୁ ୟୁନିଟ-୧ ଖେଳ ପଡ଼ିଆକୁ ସ୍ଥାନାନ୍ତର ହେବାକୁ କହିଛୁ। ସେମାନେ ଯଦି ବୁଧବାର ହାଟରେ ଦୋକାନ ଖୋଲିବେ ତେବେ ଆମେ ‌ଦୋକାନ ବନ୍ଦ କରିବୁ। ଆବଶ୍ୟକ ପଡ଼ି‌ଲେ ପୂରା ହାଟକୁ ସିଲ୍‌ କରିଦେବୁ। ସାମାଜିକ ଦୂରତା ରଖିବା ପାଇଁ ବିଏମ୍‌ସି ଯେଉଁ ନିଷ୍ପତ୍ତି ନେଇଛି ତାହାକୁ କାର୍ଯ୍ୟକାରୀ କରାଯିବ। କେବଳ ୟୁନିଟ-୧ ହାଟ ନୁହେଁ ରାଜଧାନୀର ସମସ୍ତ ହାଟ ପୂର୍ବ ଭଳି ରାସ୍ତା କଡ଼ ଏବଂ ପଡ଼ିଆରେ ଖୋଲିବ।