ସମସ୍ୟା‌ ଘେରରେ ଉଦୟଗିରିବିହାର: ରାସ୍ତାସାରା ଖାଲଖମା, ଜଳୁନି ଷ୍ଟ୍ରିଟ୍‌ ଲାଇଟ୍‌

ଖଣ୍ଡଗିରି: ରାଜଧାନୀ ଉପକଣ୍ଠ ପାତ୍ରପଡ଼ା ଉଦୟଗିରିବିହାର ବିବିଧ ସମସ୍ୟାରେ ଜର୍ଜରିତ। ବିଡିଏ ଦ୍ବାରା ଗଠିତ ଏହି ଆବାସିକ କଲୋନି ଦୀର୍ଘ ବର୍ଷ ପାତ୍ରପଡ଼ା-ଭଗବାନପୁର ପଞ୍ଚାୟତରେ ରହିବା ପରେ ଗତ ଦୁଇ ବର୍ଷ ହେଲା ବିଏମ୍‌ସିରେ ସାମିଲ୍‌ ହୋଇଛି। କିନ୍ତୁ ଏହା ପରେ ବି ଏହି କଲୋନିର ସମସ୍ୟା ସୁଧୁରିବା ନାଁ ଧରୁନାହିଁ। ଏବେ ବି ରାସ୍ତାରେ ଖାଲଖମା ରହିଛି ଓ ଷ୍ଟ୍ରିଟ୍‌ଲାଇଟ୍‌ ବିନା ରାସ୍ତାରେ ଅନ୍ଧାର ରାଜୁତି କରୁଛି। ତେଣୁ ସ୍ଥାନୀୟ ଲୋକେ ନିରାପଦରେ ଚଳପ୍ରଚଳ ହୋଇପାରୁନାହାନ୍ତି।

ସ୍ଥାନୀୟ ଅଧିବାସୀମାନଙ୍କ ଅଭିଯୋଗ ଅନୁସାରେ ବିଡିଏ ଏହି କଲୋନି ପ୍ରତିଷ୍ଠା କରିବା ପରେ ଜମି ଓ ଘର କିଣିଥିବା ଲୋକେ ଏକ ସହରୀ ଜୀବନ ଜିଇଁବା ଆଶା କରିଥିଲେ। ମାତ୍ର ଦୀର୍ଘ ବର୍ଷ ଧରି ଏହି ଅଞ୍ଚଳ ବିଏମ୍‌ସିରେ ସାମିଲ୍ ହୋଇପାରିଲା ନାହିଁ। ପଞ୍ଚାୟତ ଅଧୀନରେ ରହିବାରୁ ରାସ୍ତାଘାଟ ପାଇଁ ଭଲ ଅନୁଦାନ ମିଳିଲା ନାହିଁ। ପଞ୍ଚାୟତର ସ୍ବଳ୍ପ ଅନୁଦାନ ଗ୍ରାମାଞ୍ଚଳ ପାଇଁ ଯଥେଷ୍ଟ ହେଉନଥିବା ବାହାନାରେ ଏଠିକା ରାସ୍ତା ପାଇଁ କିଛି ବି ଅନୁଦାନ ମିଳିଲା ନାହିଁ। ଫଳରେ ମରାମତି ଅଭାବରୁ ବିଡିଏ କରିଥିବା ରାସ୍ତାରୁ ପିଚୁ ଉଠିଗଲା ଓ ଦୀର୍ଘ ବର୍ଷ ପର୍ଯ୍ୟନ୍ତ କଚା ରାସ୍ତାରେ ଖାଲଖମାରେ ବାସିନ୍ଦାମାନେ ବଡ଼ କଷ୍ଟରେ ଯାତାୟତ କଲେ। ପୁଣି ଷ୍ଟିଟ୍‌ଲାଇଟ୍‌ ନଥିବାରୁ ରାତି ହେଲେ ଏହି କଲୋନି ରାସ୍ତାରେ ଅସାମାଜିକ ତତ୍ତ୍ବଙ୍କ ଆଡ଼ା ଜମୁଥିବାରୁ ସ୍ଥାନୀୟ ଲୋକେ ଘରୁ ଗୋଡ଼ କାଢ଼ିବାକୁ ଭୟ କରୁଥିଲେ।

ତେବେ ଗତ ଦୁଇ ବର୍ଷ ହେଲା ଏହାକୁ ବିଏମ୍‌ସିର ୪୯ ନମ୍ବର ୱାର୍ଡରେ ସାମିଲ୍ କରାଯାଇଛି। ମୁଖ୍ୟରାସ୍ତାକୁ ମରାମତି କରାଯାଇଛି। କିନ୍ତୁ ଏବେ ବି ଗଳିକନ୍ଦି ରାସ୍ତା ସେମିତି ଅସଜଡ଼ା ହୋଇ ପଡ଼ିଛି। କିଛି କିଛି ରାସ୍ତାରେ ପିଚୁ ପଡ଼ିନାହିଁ। ସେହିଭଳି କିଛି କିଛି ଗୁରୁତ୍ବପୂର୍ଣ୍ଣ ଛକରେ ଷ୍ଟ୍ରିଟ୍‌ଲାଇଟ୍‌ ଜଳୁନାହିଁ। ଫଳରେ ପୂର୍ବଭଳି ରାସ୍ତାରେ ଅନ୍ଧାର ରାଜୁତି କରୁଛି ଓ ଅସାମାଜିକମାନଙ୍କ ଆଡ଼ା ଜମୁଛି। ତେଣୁ ବିଏମ୍‌ସିରେ ସାମିଲ୍‌ ହେବାର ଖୁସି ଏହି କଲୋନିବାସୀଙ୍କ ପାଇଁ ବେଶି ଦିନ ତିଷ୍ଠି ପାରିନାହିଁ। ଏବେ ବି ସେମାନେ ସହରାଞ୍ଚଳବାସୀ ବୋଲି ଭାବି ପାରୁନାହାନ୍ତି। ପୌର ନିର୍ବାଚନ ହୋଇନଥିବାରୁ ଏଠାରେ କୌଣସି ଜନପ୍ରତିନିଧି ନାହାନ୍ତି। ଫଳରେ ଏହି ଅଞ୍ଚଳ ଏବେ ବିଏମ୍‌ସିର ସାବତପୁ୍ଅ ଭଳି ଅଲୋଡ଼ା ହୋଇପଡ଼ିଛି। ଅନ୍ୟ କିଛି ସମସ୍ୟାର ସମାଧାନ ହେଉ କି ନହେଉ, ଅନ୍ତତଃ ରାସ୍ତା ଓ ଷ୍ଟିଟ୍‌ଲାଇଟ୍‌ ସମସ୍ୟା ପ୍ରତି ବିଏମ୍‌ସି କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ କଲୋନିବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର