ଭୁବନେଶ୍ୱର: ବିଏମ୍ସି ହସ୍ପିଟାଲର ବିଭିନ୍ନ ସମସ୍ୟା ନେଇ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଘେରିଛନ୍ତି ସ୍ଥାନୀୟ ଲୋକ। ଏନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖା ଦେଇଥିଲା। ହସ୍ପିଟାଲର ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।
ପ୍ରକାଶ ଥାଉକି, ପୁରୁଣା ଭୁବନେଶ୍ୱରସ୍ଥିତ ବିଏମ୍ସି ହସ୍ପିଟାଲରେ ଏକାଧିକ ବିଭାଗରେ ଡାକ୍ତର ବିଳମ୍ବରେ ଆସୁଛନ୍ତି। କେତେକ ଡାକ୍ତର ଓପିଡି ସମୟ ୮ ଟା ବଦଳରେ ୧୦ ଟାରେ ଆସୁଛନ୍ତି। ଫଳରେ ରୋଗୀ ସେବାରେ ବାଧା ସୃଷ୍ଟି ହେଉଛି। ରୋଗୀମାନଙ୍କୁ ବହୁ ସମୟ ପର୍ଯ୍ୟନ୍ତ ଡାକ୍ତରଙ୍କୁ ଅପେକ୍ଷା କରିବାକୁ ପଡ଼ୁଛି। ବହୁ ରୋଗୀ ନିରାଶ ହୋଇ ମଧ୍ୟ ଫେରିବା ସହ ଅନେକ ଘରୋଇ ହସ୍ପିଟାଲ ଉପରେ ନିର୍ଭର କରୁଛନ୍ତି। ଏହାସହ ହସ୍ପିଟାଲ ପରିସରରେ ଥିବା ଏଣ୍ଡୋସ୍କୋପି ଏବଂ ଅଲଟ୍ରାସାଉଣ୍ଡ ଆଦି ମେସିନ ଖରାପ ହୋଇ ପଡ଼ିଛି। ଦୁଇ ବର୍ଷ ଧରି ହସ୍ପିଟାଲର ଚର୍ମ ରୋଗ ବିଭାଗ ମଧ୍ୟ ରହିଛି। ୫ ବର୍ଷରୁ ଅଧିକ ସମୟ ହେଲା ହୃଦ୍ରୋଗ ବିଭାଗର ଉଦ୍ଘାଟନ ହୋଇଥିଲେ ସୁଦ୍ଧା କାର୍ଯ୍ୟକ୍ଷମ ହୋଇନାହିଁ। ହସ୍ପିଟାଲରେ ସର୍ବସାଧାରଣ ଶୌଚାଳୟ ମଧ୍ୟ ନାହିଁ। ଏହି ସବୁ ସମସ୍ୟା ନେଇ ଆଜି ସ୍ଥାନୀୟ ଲୋକେ ଏକାମ୍ର ଜାଗରଣ ମଞ୍ଚ ସଭାପତି ଭୀଷ୍ମ ନାରାୟଣ ନାୟକଙ୍କ ନେତୃତ୍ବରେ ହସ୍ପିଟାଲର ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଜିତେନ୍ଦ୍ର ମୋହନ ବେବର୍ତ୍ତାଙ୍କୁ ଘେରିଥିଲେ। ଏଥି ସହ ସମସ୍ୟା ସମ୍ପର୍କରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ତେବେ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ସମସ୍ୟା ସମାଧାନ କରିବାକୁ ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରତିଶ୍ରୁତି ଦେଇଥିଲେ।