ପ୍ରଥମ ଦିନରେ ଝୁଣ୍ଟିଲା ଟିକାକରଣ କାର୍ଯ୍ୟକ୍ରମ : ବରିଷ୍ଠ ନାଗରିକ ନାକେଦମ୍‌

ଅନ୍‌ଲାଇନ୍‌ରେ ନେଟ୍‌ୱର୍କ, ଅଫ୍‌ଲାଇନ୍‌ରେ ଫର୍ମ ସମସ୍ୟା
କ୍ୟାପିଟାଲ ହସ୍ପିଟାଲରୁ ବି ଅନେକ ନିରାଶ ହୋଇ ଫେରିଲେ

ଭୁବନେଶ୍ବର : ଅବ୍ୟବସ୍ଥା ମଧ୍ୟରେ ସୋମବାର ଦିନ ରାଜଧାନୀରେ ଆରମ୍ଭ ହୋଇଛି ବରିଷ୍ଠ ନାଗରିକଙ୍କ ଟିକାକରଣ କାର୍ଯ୍ୟକ୍ରମ। ଉଭୟ ଅନଲାଇନ, ଅଫଲାଇନରେ ପଞ୍ଜୀକରଣରେ ଅବ୍ୟବସ୍ଥା ଯୋଗୁଁ ଟିକା ନେବାକୁ ଆସି ବରିଷ୍ଠ ନାଗରିକମାନେ ନାକେଦମ୍ ହୋଇଛନ୍ତି। ପଞ୍ଜୀକରଣ ନେଇ ଉପଯୁକ୍ତ ସୂଚନା ଅଭାବରୁ ୟୁନିଟ-୪ ସ୍ଥିତ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଆସିଥିବା ଅନେକ ବରିଷ୍ଠ ନାଗରିକଙ୍କୁ ଫେରାଇ ଦିଆଯାଇଥିଲା। ଅନ୍ୟପକ୍ଷରେ ପଞ୍ଜୀକରଣ ସହିତ ଟିକା ନେବା ପାଇଁ ଆଜିର ତାରିଖ ଥାଇ ମଧ୍ୟ କ୍ୟାପିଟାଲ ହସ୍ପିଟାଲ ଯାଇଥିବା ଅନେକ ନିରାଶ ହୋଇଥିଲେ।

ରାଜଧାନୀର ମୋଟ ୨୨ଟି ସରକାରୀ ଓ ଘରୋଇ ହସ୍ପିଟାଲରେ ଆଜିଠାରୁ ବରିଷ୍ଠ ନାଗରିକଙ୍କୁ ଟିକା ଦିଆଯିବ ବୋଲି ଘୋଷଣା ହୋଇଥିଲା। ତେଣୁ ‌ପ୍ରଚଣ୍ଡ ଖରା ସତ୍ତ୍ବେ କିଏ ଛୋଟେଇ ଛୋଟେଇ ଟିକା ନେବା ପାଇଁ ଆସିଥିଲେ ତ ଆଉ କାହାକୁ ଆଖିକୁ ଭଲ ଦେଖା ଯାଉନଥିଲେ ବି କଷ୍ଟ କରି ଆସିଥିଲେ। ଅଧିକାଂଶ ଝିଅ, ଜ୍ବାଇଁ, ପୁଅ, ବୋହୂ କିମ୍ବା ନାତୁଣୀ, ନାତିଙ୍କ ସହିତ ଆସିଥିଲେ। ସ୍ଥଳବିଶେଷରେ କେତେକ ବୁଢ଼ାବୁଢ଼ୀ ଏକା ଏକା ଆସିଥିଲେ ଟିକା କେନ୍ଦ୍ରକୁ। ଟିକା ନେଇ ସେମାନେ କୋଭିଡ ମୁକ୍ତ ହୋଇଯିବେ ବୋଲି ନିଶ୍ଚିତ ବି ନ ଥିଲେ। ତେବେ କରୋନାର ଦ୍ବିତୀୟ ଲହରି ଆସିବା ପରେ ଏହାକୁ ନେଇ ଭୟ ବଢ଼ଥିବାରୁ ସେମାନେ ଟିକା ନେବାକୁ ଆସିଥିଲେ। ଟିକା ନେବା ଲାଗି ସରକାରଙ୍କ ନିୟମ ଥିଲା; ଜଣେ ଅନଲାଇନରେ ପଞ୍ଜୀକରଣ କରିପାରିବେ କିମ୍ବା ଅଫଲାଇନରେ ଆବେଦନପତ୍ର ପୂରଣ ସହିତ ନିଜ ନାମ, ଲିଙ୍ଗ, ଜନ୍ମ ତାରିଖ, ମୋବାଇଲ ନମ୍ବର, ପରିଚୟପତ୍ର ପ୍ରଦାନ କରିବେ। ୪୫ ବର୍ଷରୁ ୫୯ ବର୍ଷ ମଧ୍ୟରେ କୌଣସି ବ୍ୟକ୍ତି ଏକାଧିକ ରୋଗରେ ପୀଡ଼ିତ ଥିଲେ ଡାକ୍ତରୀ ପ୍ରମାଣପତ୍ର ସହିତ ଟିକା ପାଇଁ ଯୋଗ୍ୟ ବିବେଚିତ ହେବେ। ମାତ୍ର ଅନଲାଇନରେ ପଞ୍ଜୀକରଣ ପାଇଁ ବାରମ୍ବାର ଚେଷ୍ଟା ସତ୍ତ୍ବେ ନେଟଓ୍ବାର୍କ ସମସ୍ୟା ଯୋଗୁଁ ପଞ୍ଜୀକରଣ କରିପାରି ନ ଥିଲେ ଅଧିକାଂଶ ବରିଷ୍ଠ ନାଗରିକ। ନୂଆପଲ୍ଲୀର ଡ.ବିବୁଧେନ୍ଦ୍ର ମିଶ୍ର(୭୨) କହିଛନ୍ତି, ପ୍ରାୟ ୨ ଘଣ୍ଟାରୁ ଅଧିକ ସମୟ ଧରି ଅପେକ୍ଷା କରିବା ପରେ ବି ଅନଲାଇନରେ ପଞ୍ଜୀକରଣ ନ ହେବାରୁ ସେ ୟୁନିଟ-୪ର ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସିଥିଲେ। ଏଠାରେ ଆବେଦନପତ୍ର ସଂଗ୍ରହ କରି ପୂରଣ କଲେ। ଏହାପରେ ଟିକା ନେବାକୁ ବି ଅନେକ ସମୟ ଲାଗିଗଲା। ୟୁନିଟ-୪ ଅଞ୍ଚଳର ଆଶାରାଣୀ ମିଶ୍ର(୬୪) କହିଛନ୍ତି, ୨ ଦିନ ପୂର୍ବରୁ ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ଆସି ସେ ପଞ୍ଜୀକରଣ ପାଇଁ ଫର୍ମ ମାଗିଥିଲେ। ମାତ୍ର ଫର୍ମ ଆସି ନ ଥିବା ଏବଂ କେବେ ଆସିବ ଜଣା ନ ଥିବା କହି ତାଙ୍କୁ ଫେରାଇ ଦିଆଯାଇଥିଲା। ନେଟୱର୍କ ସମସ୍ୟା ଯୋଗୁଁ ଅନଲାଇନରେ ବି ପଞ୍ଜୀକରଣ କରିପାରିଲେ ନାହିଁ। ଫର୍ମ ବି କେହି ଦେଲେ ନାହିଁ। ଆଜି ପୁଣି ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିବା ବେଳକୁ ପଞ୍ଜୀକୃତ ହୋଇ ନ ଥିବା ତାଙ୍କ ଭଳି ଅଧିକାଂଶଙ୍କୁ ଫେରିଯିବାକୁ କୁହାଯାଇଥିଲା। ତେବେ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ବାରମ୍ବାର ଆସିବା ସମ୍ଭବ ନୁହେଁ ବୋଲି କିଛି ବରିଷ୍ଠ ନାଗରିକ କହିବା ପରେ ତାଙ୍କ ସମେତ ଅନ୍ୟମାନଙ୍କୁ ଫର୍ମ ଦିଆଗଲା। ବାକିମାନଙ୍କୁ ୱାର୍ଡ ଅଧିକାରୀଙ୍କଠାରୁ ଫର୍ମ ନେବାକୁ କୁହାଗଲା। ଅନଲାଇନ ପଞ୍ଜୀକରଣ ହେଉ ନ ଥିବା, ଅଫଲାଇନ ଫର୍ମ କେଉଁଠୁ ମିଳିବ ଜଣା ନ ଥିବା ଯୋଗୁଁ ଉମାରାଣୀ ଦତ୍ତ(୬୭)ଙ୍କ ପାଇଁ ତାଙ୍କ ଜ୍ବାଇଁ ସକାଳ ୮ଟାରୁ ଧାଡ଼ି ଲଗାଇଥିଲେ। ଶେଷ‌‌େର ଦିନ ପ୍ରାୟ ୧୨ଟା ବେଳକୁ ଫର୍ମ ପୂରଣ ହୋଇ ତାଙ୍କୁ ଟିକା ନେବାକୁ ୪ଘଣ୍ଟା ସମୟ ଲାଗି ଯାଇଥିଲା। ସେହିପରି ବିଏମସି ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟିକାକରଣ କାର୍ଯ୍ୟକ୍ରମ ନେଇ ଆବଶ୍ୟକ ପ୍ରସ୍ତୁତିର ଅଭାବ ଲୋକଙ୍କୁ ବାଧିଥିଲା ବୋଲି କହିଛନ୍ତି ବରମୁଣ୍ଡାର ଆକୁଳି ଜେନା(୬୪)।

ଅନ୍ୟପକ୍ଷରେ ପ୍ରସ୍ତୁତିରେ ଅବ୍ୟବସ୍ଥା ଯୋଗୁଁ ଟିକା କେନ୍ଦ୍ରର ପ୍ରତୀକ୍ଷାଗୃହରେ ସାମାଜିକ ଦୂରତ୍ବ ନ ଥିଲା। ସ୍ବାସ୍ଥ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ଏଏନ୍‌ଏମ୍‌ କର୍ମୀ ଟିକା ଦେବା ପରେ ବିଶ୍ରାମ ଗୃହରେ କିଛି ସମୟ ପାଇଁ ବସି ଘରକୁ ଫେରି ଯାଇଥିଲେ। ଏହି କାର୍ଯ୍ୟକ୍ରମ ସମୟରେ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନ ଥିବା ନେଇ ମଧ୍ୟ କିଛି ବ୍ୟକ୍ତି ପ୍ରଶ୍ନ କରିଥିଲେ।

ସେହିପରି କ୍ୟାପିଟାଲ ହସ୍ପିଟାଲକୁ ଟିକା ନେବା ପାଇଁ ଦିନ ୧.୩୦ରେ ଆସିଥିବା ଶିଶୁପାଳଗଡ଼ର ପ୍ରୀତିଲତା ଜେନା(୬୫), ମନମୋହନ ପାଇକରାୟ(୬୭) ପ୍ରମୁଖ ବରିଷ୍ଠ ନାଗରିକମାନେ ହଇରାଣ ହୋଇଥିବା ଅଭିଯୋଗ କରିଥିଲେ। ମନମୋହନଙ୍କ କହିବା‌ ଅନୁଯାୟୀ ସେ ନିଜର ଏବଂ ପତ୍ନୀଙ୍କ ଅନଲାଇନ ପଞ୍ଜୀକରଣ କରିଥିଲେ। ଟିକା ନେବା ଦିନ ଆଜିର ତାରିଖ, ଦିନ ୯ଟାରୁ ୫ଟା ଏବଂ ଟିକାକେନ୍ଦ୍ର କମିସନରେଟ ପୁଲିସ ଡାକ୍ତରଖାନା ବୋଲି ଲେଖାଯାଇଥିଲା। ମାତ୍ର ସେଠାରୁ ତାଙ୍କୁ ଫେରାଇ ଦିଆଯାଇଥିଲା। ଦିନ ୧.୩୦ରେ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିବା ବେଳକୁ ଟାର୍ଗେଟ ଅନୁସାରେ ଏଠାରେ ୬୦ ଜଣଙ୍କୁ ଟିକା ଦିଆ ସରି ଯାଇଥିବାରୁ ଆଉ ଟିକା ମିଳିବ ନାହିଁ ବୋଲି କହି ଫେରାଇ ଦିଆଯାଇଥିଲା। ତାଙ୍କ ଭଳି ଆହୁରି ଅନେକ ବରିଷ୍ଠ ନାଗରିକ ଆଜି ଏଠାକୁ ଟିକା ନେବାକୁ ଆସି ନିରାଶ ହୋଇଥିଲେ।

ସମ୍ବନ୍ଧିତ ଖବର