ଭୁବନେଶ୍ୱର : ବିଏମ୍ସି ପରିମଳ ବ୍ୟବସ୍ଥାକୁ ବିବାଦ ପିଛା ଛାଡ଼ୁନି। ଅଧିକାରୀଙ୍କ ଅପାରଗତା ଯୋଗୁ ଭୁଆସୁଣି ଡମ୍ପିଂୟାର୍ଡରେ ବାୟୋ ମାଇନିଂ ପ୍ରକଳ୍ପ ଅନିଶ୍ଚିତତା ଭିତରକୁ ଠେଲି ହୋଇ ଯାଇଥିବା ବେଳେ ସହରର ସଫେଇ ଟେଣ୍ଡର୍ରେ ଏବେ କେଁ ପଶିଛି। ନିକଟ ଅତୀତରେ ହୋଇଥିବା ଏହି ଟେଣ୍ଡର୍ ଏବେ ଆଇନ ଜାଲରେ ଫଶିଛି। ରାଜ୍ୟର ଅନ୍ୟ ପୌରସଂସ୍ଥାରେ ସରକାରୀ ଟେଣ୍ଡର ପ୍ରକ୍ରିୟାରୁ ବଞ୍ଚିତ କରାଯାଇଥିବା ଏକ ସଂସ୍ଥାକୁ ଦୁଇଟି ପ୍ୟାକେଜ୍ରେ ସଫେଇ ଦାୟିତ୍ବ ଦେବା ପାଇଁ ବିଏମ୍ସି ଚୟନ କରିଥିବାରୁ ଅନ୍ୟ ସଂସ୍ଥା ପିଏମ୍ଆର ହାଇକୋର୍ଟ ଯାଇଛି। ଥରେ ଏକ ସଂସ୍ଥାକୁ ସରକାରୀ ପ୍ରକ୍ରିୟାରେ ଭାଗ ନେବାକୁ ବଞ୍ଚିତ କରା ଯାଇଥିବା ଘୋଷଣା ହେବା ପରେ ପୁଣି ଥରେ କିଭଳି ଟେଣ୍ଡର ଦିଆଯିବ ତାହାର ବିଚାର କରିବା ପାଇଁ ସଂସ୍ଥା ହାଇକୋର୍ଟରେ ମାମଲା କରିଛି। ପିଏମ୍ଆରର ଆବେଦନକୁ ଗ୍ରହଣ କରି ହାଇକୋର୍ଟ ଦୁଇଟି ପ୍ୟାକେଜ୍ ଉପରେ ରହିତାଦେଶ ଜାରି କରିଛନ୍ତି। ପରବର୍ତ୍ତୀ ଶୁଣାଣି ଜୁଲାଇ ୨୫ ତାରିଖରେ ରହିଛି। ଫଳରେ ଏହି ସଫେଇ ବ୍ୟବସ୍ଥା ପୁଣି ଥରେ ଅଡ଼ୁଆରେ ଛନ୍ଦି ହୋଇ ପଡ଼ିଛି।
/sambad/media/post_attachments/wp-content/uploads/2022/07/high-court-300x180.jpg)
ଏହା ପୂର୍ବରୁ ହାଇକୋର୍ଟ ତିନିଟି ପ୍ୟାକେଜ୍ ଉପରେ ରହିତାଦେଶ ଜାରି କରିଥିଲେ। ଟେଣ୍ଡରରୁ ବାଦ୍ ପଡ଼ିଥିବା ରାଜ୍ୟ ବାହାରର ସଂସ୍ଥା ‘ସାଇ ଭେଞ୍ଚର’ ବିଏମ୍ସିର ମୂଲ୍ୟାୟନ ପ୍ରକ୍ରିୟାରେ ଭୁଲ ଥିବା ଦର୍ଶାଇ ହାଇକୋର୍ଟଙ୍କ ଆଶ୍ରୟ ନେଇଥିଲା। ବିଏମ୍ସି ଉଦ୍ଦେଶ୍ୟମୂଳକ ଭାବେ ଅନ୍ୟ ସଂସ୍ଥାଙ୍କୁ ଅନୁକମ୍ପା ଦେଖାଇ ‘ସାଇ ଭେଞ୍ଚର’ର ବିଡ୍ ଡକ୍ୟୁମେଣ୍ଟ ବିଚାରକୁ ନେଇନଥିବା ଅଭିଯୋଗ କରିଥିଲା। ଅଭିଯୋଗ ଆଧାରରେ ହାଇକୋର୍ଟ ପ୍ୟାକେଜ୍ ନମ୍ବର ୩, ୮ ଓ ୯ ଉପରେ ରହିତାଦେଶ ଜାରି କରିଥିଲେ। ତେବେ ‘ସାଇ ଭେଞ୍ଚର୍’ କେବଳ ୩ ନମ୍ବର ପ୍ୟାକେଜ୍ ପାଇଁ ଆବେଦନ କରିଥିବାରୁ ୮ ଓ ୯ ନମ୍ବର ପ୍ୟାକେଜ୍ ଉପରେ ମାମଲା କରିବାର କିଛି ଯଥାର୍ଥତା ନାହିଁ ବୋଲି କୋର୍ଟ କହିବା ସହ ଏହି ଦୁଇ ପ୍ୟାକେଜ୍ ଉପରୁ ରହିତାଦେଶ ଉଠାଇ ଦେଇଥିଲେ। କିନ୍ତୁ ରହିତାଦେଶ ଉଠିଲା ପରେ ପିଏମ୍ଆର୍ ସଂସ୍ଥା ପୁନର୍ବାର ଏହି ଦୁଇଟି ପ୍ୟାକେଜ୍ ଉପରେ ମାମଲା କରିଥିଲା। ଫଳରେ ୮ ଓ ୯ ନମ୍ବର ପ୍ୟାକେଜ୍ ପୁଣି ଅଦାଲତି ବିବାଦକୁ ପଶିଗଲା। ଫଳରେ ତିନିଟି ପ୍ୟାକେଜ୍କୁ ନେଇ ମାମଲା ଚାଲିଥିବାରୁ ସହରର ପରିମଳ ବ୍ୟବସ୍ଥାରେ ସୁଧାର ଆସିବା ପ୍ରଶ୍ନ ଉଠୁ ନାହିଁ।
ନିକଟ ଅତୀତରେ ବିଜୟ ଅମୃତା କୁଲାଙ୍ଗେ ବିଏମ୍ସି କମିସନର ଭାବରେ କାର୍ଯ୍ୟଭାର ନେଇଛନ୍ତି। ଏହା ପୂର୍ବରୁ ବ୍ରହ୍ମପୁର ମହାନଗର ନିଗମରେ କମିସନର ଥିବା ବେଳେ ବ୍ରହ୍ମପୁର ପରିମଳ ବ୍ୟବସ୍ଥାରେ ଢେର ଆଗରେ ଥିଲା। ବିଏମ୍ସିକୁ ପଛରେ ପକାଇ ବ୍ରହ୍ମପୁର ସ୍ବଚ୍ଛ ସର୍ବେକ୍ଷଣରେ ଜାତୀୟସ୍ତରରେ ପୁରସ୍କୃତ ହୋଇଥିଲା। ସେ ଏଠାରେ କାର୍ଯ୍ୟଭାର ନେବା ପରେ ପରିମଳ ବ୍ୟବସ୍ଥାରେ ସୁଧାର ଆସିବା ସହ ବ୍ରହ୍ମପୁର ଭଳି ବିଏମ୍ସି ମଧ୍ୟ ଆଗରେ ରହିବ ବୋଲି ଆଶା ପ୍ରକାଶ ପାଇଥିଲା। ହେଲେ ଟେଣ୍ଡର ପ୍ରକ୍ରିୟାରେ ରହିଥିବା ଦୁର୍ବଳତା ଓ କେତେକ ଭୁଲ୍ ନିଷ୍ପତ୍ତି ଯୋଗୁ ପରିମଳ ବ୍ୟବସ୍ଥାରେ ସୁଧାର ଆସିବା ପରିଲକ୍ଷିତ ହେଉ ନାହିଁ।
ବିଏମ୍ସି ଅଞ୍ଚଳରେ ଏବେ ୫୭ଟି ୱାର୍ଡରେ ରାମ୍କି, ଜାଗୃତି ଓ ପିଏମ୍ଆର୍ କନ୍ସୋର୍ଟିୟମ ସଫେଇ କରୁଛନ୍ତି। ବିଏମ୍ସି ୧୦ଟି ୱାର୍ଡ ନିଜେ କରୁଛି। ଗତ ମାର୍ଚ୍ଚରେ ଏହି ସଂସ୍ଥାମାନଙ୍କର ଚୁକ୍ତି ଅବଧି ଶେଷ ହୋଇଛି। ଏହା ପରେ ବିଏମ୍ସି ସମସ୍ତ ୬୭ ୱାର୍ଡକୁ ୧୦ଟି ପ୍ୟାକେଜ୍ କରି ସଫେଇ କାର୍ଯ୍ୟକୁ ଘରୋଇକରଣ କରିବାକୁ ଯୋଜନା କରିଥିଲା। ଟେଣ୍ଡର ଜରିଆରେ ୭ ସଂସ୍ଥା ଚିହ୍ନଟ ହୋଇଥିଲେ। ଏଥିରେ ଥିଲା କଟକର ସଂସ୍ଥା ମଞ୍ଜୁ ସର୍ଭିସ୍। ମଞ୍ଜୁ ସର୍ଭିସ୍ ଅନୁଗୁଳ ପୌରପାଳିକାରେ ପରିମଳ ବ୍ୟବସ୍ଥା ଠିକା ନେଇଥିଲା। କିନ୍ତୁ ସର୍ତ୍ତ ମୁତାବକ କାମ ନ କରିବାରୁ ଅନୁଗୁଳ ପୌରପାଳିକା ତାକୁ ୩ ବର୍ଷ ପର୍ଯ୍ୟନ୍ତ କୌଣସି ଟେଣ୍ଡରରେ ଭାଗ ନେଇ ପାରିବ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି କରିଥିଲା। ଏଭଳି ବିବାଦ ଯୋଗୁ କଟକ ମହାନିଗମର ୩ ଓ ୪ ନମ୍ବର ଜୋନ୍ର ପରିମଳ ଦାୟିତ୍ବ ନେଇଥିବା ଏହି ମଞ୍ଜୁ ସର୍ଭିସ କାମ କରିବ ନାହିଁ ବୋଲି କମିସନର ନିଖିଲ ପବନ୍ କଲ୍ୟାଣ ଘୋଷଣା କରିଛନ୍ତି। ଏଭଳି ସ୍ଥିତିରେ ମଞ୍ଜୁ ସର୍ଭିସ୍ ବିଏମ୍ସିରେ ଟେଣ୍ଡର ପ୍ରକ୍ରିୟାରେ ଭାଗ ନେବା ସହ ପରିମଳ ଦାୟିତ୍ବ ନେବାକୁ ଯୋଗ୍ୟ ହୋଇଥିବାରୁ ପିଏମ୍ଆର କୋର୍ଟ ଯାଇଛି। ଫଳରେ ୩ ପ୍ୟାକେଜ୍ ଏବେ ଅଦାଲତି ମାମଲାରେ ଛନ୍ଦି ହୋଇପଡ଼ିବାରୁ ପୂର୍ବରୁ ସଫେଇ କରୁଥିବା ଠିକା ସଂସ୍ଥାଙ୍କ ଚୁକ୍ତିନାମାକୁ କମ୍ ସମୟ ପାଇଁ ନବୀକରଣ କରି ବିଏମ୍ସି କାମ ଚଳାଉଛି।
ପୂର୍ବରୁ ଠିକା ସଂସ୍ଥାଙ୍କର ପ୍ରାପ୍ୟ ବିଏମ୍ସି ବକେୟା ରଖିଥିବାରୁ ବିବାଦ ଉପୁଜିଥିଲା। ଏହି ପ୍ରାପ୍ୟ ପାଇଁ ସମ୍ପୃକ୍ତ ସଂସ୍ଥାମାନେ ବାରମ୍ବାର ବିଏମ୍ସିର ଦ୍ବାରସ୍ଥ ହେଉଥିଲେ ମଧ୍ୟ ମିଳୁନଥିବାରୁ ସମ୍ପୃକ୍ତ ସଂସ୍ଥା କର୍ମଚାରୀଙ୍କୁ ଦରମା ଦେଇ ପାରୁନଥିଲେ। ଅନେକ ସମୟରେ କର୍ମଚାରୀମାନେ ଆନ୍ଦୋଳନ ଧାରଣା ଦେଉଥିବାରୁ ଭୁବନେଶ୍ବରରେ ପରିମଳ ବ୍ୟବସ୍ଥା ଭୁଶୁଡ଼ି ପଡ଼ୁଥିଲା। ଏଣୁ ବିଏମ୍ସି ସମସ୍ତ ୱାର୍ଡକୁ ଘରୋଇକରଣ ଯୋଜନା କରି ନୂଆ ସଂସ୍ଥା ଚୟନ କରିବାକୁ ଟେଣ୍ଡର କରିଥିଲା। କିନ୍ତୁ ଏଭଳି ବିବାଦ ହେବାରୁ ପୁରୁଣା ସଂସ୍ଥାଙ୍କୁ ଧରି କାମ କରିବାକୁ ବାଧ୍ୟ ହୋଇଛି।