ଖଣ୍ଡଗିରି: ଖୁଣ୍ଟରେ ଲାଇଟ୍ ଲାଗିଛି, ହେଲେ ଜଳୁନି। କୋଉଠି ଜଳୁଛି ଯେ ଜଳୁଛି, ଆଉ ଲିଭୁନି। ଆଉ କିଛି ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ମୂଳରୁ ଲାଇଟ୍ର ବ୍ୟବସ୍ଥା ହିଁ ନାହିଁ। ଫଳରେ ସଂଧ୍ୟା ହେଲେ ଅସାମାଜିକଙ୍କ ଉତ୍ପାତ ଆରମ୍ଭ ହେଉଛି। ରାଜଧାନୀ ଉପକଣ୍ଠ ଶ୍ୟାମପୁର, ପାଇକରାପୁର, ଭରତପୁର ଜିଏ କଲୋନି ଭଳି ଅଞ୍ଚଳରେ ଏମିତି ଘୋର୍ ଅବ୍ୟବସ୍ଥା ଦେଖାଦେଇଛି। ଏହି ଅଞ୍ଚଳଗୁଡ଼ିକ ବିଏମ୍ସି ଅଧୀନ ୨୩ ନମ୍ବର ୱାର୍ଡରେ ଆସୁଥିଲେ ହେଁ ସେମାନଙ୍କୁ ଉଚିତ ସେବା ମିଳୁନାହିଁ। ଏ ସଂପର୍କରେ ଅଞ୍ଚଳବାସୀ ବାରମ୍ବାର ବିଏମ୍ସିକୁ ଅଭିଯୋଗ କରିଛନ୍ତି। ହେଲେ କେହି ଶୁଣୁନାହାନ୍ତି। ତେଣୁ ଆଗାମୀ ଦିନରେ ସେମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
ସୂଚନାନୁସାରେ, ଶ୍ୟାମପୁରରୁ ସମ୍ ଡାକ୍ତରଖାନା ଆଡ଼କୁ ଯାଇଥିବା ରାସ୍ତାରେ ଥିବା ବିଜୁଳି ଖୁଣ୍ଟରେ ବତି ନାହିଁ। ଅଞ୍ଚଳବାସୀଙ୍କ ପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ରାସ୍ତା। କିନ୍ତୁ ବାରମ୍ବାର ଅଭିଯୋଗ ପରେ ବି ବିଏମ୍ସି ଏଥିପ୍ରତି ଧ୍ୟାନ ଦେଉନଥିବାରୁ ଅଞ୍ଚଳବାସୀଙ୍କ ଅସନ୍ତୋଷ ବୃଦ୍ଧି ପାଉଛି। ସଂଧ୍ୟା ହେଲେ ଏହି ରାସ୍ତାରେ ଅସାମାଜିକ ତତ୍ତ୍ବଙ୍କ ଉତ୍ପାତ ଆରମ୍ଭ ହୋଇଯାଉଛି। ରାସ୍ତା ଉପରେ ବାଇକ୍ ଉପରେ ବସି ଅନାୟାସରେ ମଦ ପିଉଛନ୍ତି। ଦୁର୍ଭାଗ୍ୟକୁ ଯଦି ସେହି ବାଟ ଦେଇ କେହି ଯାଉଛି, ତାକୁ ଧମକଚମକ ଦେବା ସହ ଲୁଟ୍ କରିବାକୁ ପଛାଉ ନାହାନ୍ତି।
ସ୍ଥାନୀୟ ବାସିନ୍ଦା ନବକିଶୋର ଦାସଙ୍କ କହିବା କଥା, ଗ୍ରାମର କିଛି ଅଞ୍ଚଳ ପଞ୍ଚାୟତ ଓ କିଛି ଅଂଶ ବିଏମ୍ସି ଅଧୀନରେ ଆସୁଥିବାରୁ ଆମେ ସବୁବେଳେ ଅବହେଳିତ ହୋଇ ରହିଛୁ। ନା ବିଏମ୍ସି ସେବା ଯୋଗାଉଛି ନା ପଞ୍ଚାୟତ। ପରସ୍ପର ଉପରେ କାମ ଛାଡ଼ି ଉଭୟ ହାତ ଝାଡ଼ିଝୁଡ଼ି ହୋଇ ବସି ପଡ଼ୁଛନ୍ତି। ରାଜଧାନୀର କଳେବର ବଢ଼ୁଥିବାରୁ ଏଠାରେ ମଧ୍ୟ ନୂଆ ନୂଆ ଆପାର୍ଟମେଣ୍ଟ୍ ତିଆରି ହେଉଛି ଓ ଜମି ବିକ୍ରି ଚାଲିଛି। ବାହାରୁ ଲୋକ ଆସି ଏଠାରେ ଘର କରି ରହିଲେଣି। ମାତ୍ର ରାତି ହେଲେ ସେମାନଙ୍କ ମନରେ ଏକ ଅଜଣା ଛନକା ପଶୁଛି। ରାସ୍ତାରେ ଷ୍ଟ୍ରିଟ୍ ଲାଇଟ୍ ନଥିବାରୁ ସନ୍ଧ୍ୟା ପରେ ଯାତାୟାତ କରିବାକୁ ଭୟ କରୁଛନ୍ତି। ସେହିପରି ଅଞ୍ଚଳରେ ଥିବା ବିଦ୍ୟୁତ୍ ଖୁଣ୍ଟର ରକ୍ଷଣାବେକ୍ଷଣ ମଧ୍ୟ କରାଯାଉ ନାହିଁ। କେତେକ ଖୁଣ୍ଟରେ ଅନାବନା ଲତା ମାଡ଼ି ଯାଇଥିବା ଦେଖାଯାଇଛି। ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।
ଅପରପକ୍ଷେ ଦାସପୁର, ଅନ୍ଧାରୁଆ, କାଟେଣି, ଗୋଠପାଟଣା, ନୂଆଗାଁ ଭଳି ଅଞ୍ଚଳ ଏବେ ବି ପଞ୍ଚାୟତ ଅଧୀନରେ ରହିଛି। ଏହି ଅଞ୍ଚଳରେ ବଡ଼ବଡ଼ ଶିକ୍ଷାନୁଷ୍ଠାନ ଗଢ଼ି ଉଠିଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଆତଯାତ ହେଉଛି। କିନ୍ତୁ ସଂଧ୍ୟା ପରେ ଏହି ରାସ୍ତାରେ ବି ଅନ୍ଧାର ରାଜୁତି କରୁଛି। ଖାଲି ସେତିକି ନୁହେଁ, ରାସ୍ତାର ଅବସ୍ଥା ଭଲ ନଥିବାରୁ ପ୍ରାୟ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟୁଛି।