ଶ୍ରୀଲିଙ୍ଗରାଜ ମନ୍ଦିରରେ ମାଳମାଳ ସମସ୍ୟା, ସିଂହଦ୍ବାର କବାଟକୁ ଶିକୁଳି ସାହା

ପୁରୁଣା ଭୁବନେଶ୍ବର: ମାଳମାଳ ସମସ୍ୟାରେ ଛନ୍ଦି ହୋଇ ରହିଛି ଶ୍ରୀଲିଙ୍ଗରାଜ ମନ୍ଦିର। ରକ୍ଷଣାବେକ୍ଷଣ ଦିଗରେ କେନ୍ଦ୍ର ପ୍ରତ୍ନତତ୍ତ୍ବ ବିଭାଗର(ଏଏସ୍‌ଆଇ) ଅବହେଳା ମନ୍ଦିରର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି। ସେହିଭଳି ରାଜ୍ୟ ସରକାରଙ୍କ ଏକାମ୍ର ବିକାଶ ଯୋଜନା ମନ୍ଦିରର ବାହ୍ୟ ପରିସରର ସୌନ୍ଦର୍ଯ୍ୟକୁ ବିକଶିତ କରୁଥିବାବେଳେ ମନ୍ଦିରର ମୁଖ୍ୟ ଆୟକୁ ସଙ୍କୁଚିତ କରିଛି। ଫଳରେ ନୀତିକାନ୍ତି ପାଇଁ ଘୋର୍ ଆର୍ଥିକ ସମସ୍ୟା ଦେଖାଦେଇଛି। ଠାକୁରଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଏଣେତେଣେ ପଡ଼ି ଖଇରାତ ହେଉଥିବା ବେଳେ ରାଜ୍ୟ ସରକାର ସେସବୁର ପୁନରୁଦ୍ଧାର ପାଇଁ ସାମାନ୍ୟ ଉଦ୍ୟମ କରୁନଥିବା ଅଭିଯୋଗ ହେଉଛି।

ଏବେ ବର୍ଷାଋତୁ ଆରମ୍ଭ ‌ହୋଇଯାଇଛି ଓ ବର୍ଷା ହେବା ମାତ୍ରେ ମନ୍ଦିରରୁ ପାଣି ଗଳିବା ଆରମ୍ଭ ହୋଇଯାଇଛି। ମୁଖ୍ୟ ମନ୍ଦିରର ଭୋଗ ମଣ୍ଡପ, ଜଗମୋହନରୁ ପାଣି ଗଳୁଛି। ସେହିଭଳି ପାର୍ବତୀ ମନ୍ଦିର, ଭୁବନେଶ୍ବରୀ ମନ୍ଦିର, ଜଗନ୍ନାଥ ମନ୍ଦିର, ବିଶ୍ବକର୍ମା ମନ୍ଦିର, ବଡ଼ ଗଣେଶ ମନ୍ଦିର, ବୈଦ୍ୟନାଥ ମନ୍ଦିର, ବୃଷଭ ମନ୍ଦିର, ସିଦ୍ଧି ବିନାୟକ ମନ୍ଦିରରୁ ପାଣି ଗଳୁଛି। ବର୍ଷ ବର୍ଷ ଧରି ଏହି ସମସ୍ୟା ଲାଗି ରହିଥିବାରୁ ମନ୍ଦିର ଦିନକୁ ଦିନ ଦୁର୍ବଳ ହେଉଛି ବୋଲି ଅଭିଯୋଗ ହେଉଛି। ଫ‌‌ାଟ ଦିନକୁ ଦିନ ବଢ଼ିବା କାରଣରୁ ମନ୍ଦିର ଦୁର୍ବଳ ହେବା କୁହାଯାଉଛି। ମାତ୍ର କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭାଗ ଏଥି ପ୍ରତି ଧ୍ୟାନ ଦେଉନାହିଁ। ୨୦୧୯ ସେପ୍ଟେମ୍ବର ୨୬ରେ ଦେବୋତ୍ତର ବିଭାଗ କମିସନର ଏସବୁ ସମସ୍ୟାକୁ ନେଇ ଏଏସ୍ଆଇ ଡିଜିଙ୍କୁ ଚିଠି ଲେଖିଥିଲେ। ତେବେ କଥା ସେଇ ଚିଠି ଲେଖାରେ ଅଟକି ଯାଇଛି।

ମନ୍ଦିରରୁ ପାଣି ଗଳିବା ବନ୍ଦ କରିବା ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ। ଏବେ ମନ୍ଦିରର ସିଂହଦ୍ବାର ଫାଟକ କବାଟ ଭୁଶୁଡ଼ି ପଡ଼ିବା ଆଶଙ୍କା ଦେଖା ଦେଇଛି। ଅସ୍ଥାୟୀ ଭାବେ ସୁରକ୍ଷା ଦେବାକୁ ଶିକୁଳି ଲଗାଯାଇଛି। ଗତ ଜୁନ୍‌ ୮ତାରିଖରେ ପବନ ଓ ବଜ୍ରପାତରେ ଏହି କବାଟ ବଙ୍କା ହୋଇ ଯାଇଥିଲା। ଏଥିରେ ଲାଗିଥିବା କିଳିଣି ଛାଡ଼ି ଯିବାରୁ କବାଟ ନଇଁ ପଡ଼ିଥିଲା। ସେବାୟତମାନେ କବାଟକୁ ଠେକ ଦେଇ ରଖିଥିଲେ। କିନ୍ତୁ କବାଟ ସ୍ବତଃ ବନ୍ଦ ହୋଇଯାଉଥିବାରୁ ସେବାୟତମା‌ନେ ଯା’ଆସ କରିବାରେ ସମସ୍ୟାରେ ପଡ଼ୁଥିଲେ। ଏବେ କବାଟକୁ ଖୋଲା ରଖିବାକୁ ଏଏସ୍ଆଇ ପକ୍ଷରୁ ଆଜି ଶିକୁଳି ଲଗାଯାଇଛି। କିନ୍ତୁ ତୁରନ୍ତ ସ୍ଥାୟୀ ମରାମତି ଜରୁରୀ ହୋଇପଡ଼ିଛି ବୋଲି ସେବାୟତମାନେ କହିଛନ୍ତି। ବଡ଼ କଥା ହେଉଛି ଏତେ ବଡ଼ କାରୁକାର୍ଯ୍ୟପୂର୍ଣ୍ଣ ସ୍ଥାପତ୍ୟ ତଥା ମନ୍ଦିର ପାଇଁ ଏକ ଭଲ କବାଟ ନିର୍ମାଣ କରିବା ଦିଗରେ କାହାର ଦୃଷ୍ଟି ପଡ଼ୁନଥିବାରୁ ବହୁ ଶ୍ରଦ୍ଧାଳୁଙ୍କ ମନରେ କ୍ଷୋଭ ଜାତ ହୋଇଛି। ଶ୍ରୀମନ୍ଦିର କବାଟ ରୁପାରେ ନିର୍ମାଣ ହୋଇଥିବା ବେଳେ ଲିଙ୍ଗରାଜ ମନ୍ଦିର ପାଇଁ ଭଲ କବାଟ ବ୍ୟବସ୍ଥା ହୋଇପାରିନାହିଁ। ସେହିପରି ମନ୍ଦିରର ଆର୍ଥିଂ କାମ ଆରମ୍ଭ ହେବ ବୋଲି କହି ଏଏସ୍ଆଇ ଚୁପ୍‌ ବସି ପଡ଼ିଛି। କାମ କେବେ ଆରମ୍ଭ ହେବ ସେନେଇ ଏଏସ୍ଆଇ ଅଧୀକ୍ଷକ ଅରୁଣ କୁମାର ମଲ୍ଲିକ କିଛି କହିବାକୁ ମନା କରି ଦେଇଛନ୍ତି।

ଅପରପକ୍ଷରେ ଠାକୁରଙ୍କ ବିଭିନ୍ନ ନୀତିକାନ୍ତି ପାଇଁ ମନ୍ଦିର ପ୍ରଶାସନ ପୂର୍ବରୁ ବିଭିନ୍ନ ବାହ୍ୟ ଉତ୍ସରୁ କିଛି ଅର୍ଥ ପାଉଥିଲା। ଏକ ଏଟିଏମ୍‌ ଓ ବିଭିନ୍ନ ଦୋକାନରୁ ଭଡ଼ା ଆଦାୟ ହେଉଥିଲା। ମାତ୍ର ଏକାମ୍ର ବିକାଶ ଯୋଜନାରେ ଏସବୁ ଭାଙ୍ଗି ଯିବା ପରେ ଉକ୍ତ ଆୟ ବନ୍ଦ ହୋଇଯାଇଛି। ସେହିପରି ଗାଡ଼ି ପାର୍କିଂ, ସାଇକଲ ଷ୍ଟାଣ୍ଡ୍‌, ଚପଲ ଷ୍ଟାଣ୍ଡ ଭଳି ସଂସ୍ଥାସବୁ କରୋନା ଯୋଗୁଁ ସବୁ ବନ୍ଦ ହୋଇଯାଇଛି। ତେଣୁ ଠାକୁରଙ୍କ ଦୈନନ୍ଦିନ ନୀତି ପାଇଁ ଆର୍ଥିକ ଅଭାବ ଦେଖା ଦେଇଛି। ପରିତାପର କଥା ମହାପ୍ରଭୁଙ୍କ ଅଚଳାଚଳ ସମ୍ପତ୍ତି ଏଣେତେଣେ ପଡ଼ିଛି। ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ବିଭିନ୍ନ ବ୍ୟକ୍ତି ତଥା ଅନୁଷ୍ଠାନ ହରିଲୁଟ୍‌ କରୁଛନ୍ତି। ଅଥଚ ଠାକୁର ଭୋକରେ ରହିବା ସ୍ଥିତି। ତେଣୁ ମନ୍ଦିରରେ ସ୍ବତନ୍ତ୍ର ଆଇନ ଲାଗୁ ନହେବା ଓ ମହାପ୍ରଭୁଙ୍କ ହରିଲୁଟ୍‌ ହେଉଥିବା କୋଟି କୋଟି ଟଙ୍କାର ସମ୍ପତ୍ତି ଉଦ୍ଧାର ନହେବା ପର୍ଯ୍ୟନ୍ତ ଏହି ସମସ୍ୟା ଲାଗି ରହିବ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି। ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଠାକୁରଙ୍କ ସମ୍ପତି ହରିଲୁଟ୍ କରୁଥିବା ସମ୍ପର୍କରେ ଆଇନ ବିଭାଗ, ଦେବୋତ୍ତର ବିଭାଗ, ଜିଲ୍ଲାପାଳ, ବିଏମ୍‌ସି କମିସନର ଓ ମନ୍ଦିର ପ୍ରଶାସନ ପାଖରେ ପୁଳାପୁଳା ଅଭିଯୋଗ ହେଉଛି। ଅଥଚ କୌଣସି ବିଭାଗ ପଦକ୍ଷେପ ନେଉନାହାନ୍ତି।

ଭୁବନେଶ୍ବର ନାଗରିକ କମିଟି, ଏକାମ୍ର ଜନ ଜାଗରଣ ମଞ୍ଚ, କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ରଞ୍ଜନ ଚୌଧୁରୀ ମନ୍ଦିରର ସମ୍ପତ୍ତି ହରିଲୁଟ୍‌ ବାବଦରେ ବାରମ୍ବାର ଅଭିଯୋଗ କରିଛନ୍ତି। ହେଲେ ପଦକ୍ଷେପ ଶୂନ। ଏନେଇ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଛନ୍ତି ଯେ ଠାକୁରଙ୍କ ସମ୍ପତ୍ତି ହରିଲୁଟ୍‌ ଓ ଜମିଜମା ଜାଲ୍‌ ବିକ୍ରିକୁ ନେଇ ବହୁ ଅଭିଯୋଗ ଆସିଛି। ସେସବୁକୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯାଇଛି।

ସମ୍ବନ୍ଧିତ ଖବର