ସୁଧୁରୁନି ଟିକା କେନ୍ଦ୍ର ଅବ୍ୟବସ୍ଥା, ବରିଷ୍ଠ ନାଗରିକ ହନ୍ତସନ୍ତ

ବ୍ରହ୍ମେଶ୍ବର ୟୁ‌ପିଏସ୍‌ସି ଟିକା କେନ୍ଦ୍ରରେ ଶୁକ୍ରବାର ହିଁ ନେଇପାରିବ ଟିକାର ଦ୍ବିତୀୟ ଡୋଜ୍‌

ଭୁବନେଶ୍ବର : ବାରମ୍ବାର ଅଭିଯୋଗ, ଅସନ୍ତୋଷ ତଥା ଖବର ପ୍ରସାରଣ ପରେ ବି ଟିକାକରଣ କେନ୍ଦ୍ରର ଅବ୍ୟବସ୍ଥା ସୁଧୁରୁ ନାହିଁ। ବିଏମ୍‌ସି କର୍ତ୍ତୃପକ୍ଷଙ୍କ ଖାମଖିଆଲ ମନୋଭାବ ତଥା ଟିକାକେନ୍ଦ୍ରରେ ଉପସ୍ଥିତ କର୍ମଚାରୀଙ୍କ ବେପରୱା କାର୍ଯ୍ୟକଳାପ ଯୋଗୁଁ ବରିଷ୍ଠ ନାଗରିକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଜି ଟଙ୍କପାଣି ରୋଡ୍‌ ବ୍ରହ୍ମେଶ୍ବର ୟୁ‌ପିଏସ୍‌ସି ଟିକା କେନ୍ଦ୍ରଠାରେ ଏଭଳି ଅବ୍ୟବସ୍ଥା ସାମ୍ନାକୁ ଆସିଛି। କରୋନା ଟିକାର ଦ୍ବିତୀୟ ଡୋଜ୍‌ ନେବାକୁ ଯାଇ ଆଜି ଧୁ’ ଧୁ’ ଖରାରେ ବରିଷ୍ଠ ନାଗରିକ ଠିଆ ହୋଇ ହୋଇ ଘରକୁ ଫେରିଛନ୍ତି। ଦିନେ କି ଦୁଇ ଦିନ ନୁହେଁ, କରୋନାର ଦ୍ବିତୀୟ ଡୋଜ୍‌ ଟିକା ନେବାକୁ ସେମାନଙ୍କୁ ଆଉ ସପ୍ତାହେ ପରେ ଅର୍ଥାତ ଆସନ୍ତା ଶୁକ୍ରବାରକୁ ଆସିବାକୁ ସମୟ ଦିଆଯାଇଛି।

ଆଜି ଟଙ୍କପାଣି ରୋଡ୍‌ ବ୍ରହ୍ମେଶ୍ବର ୟୁ‌ପିଏସ୍‌ସି ଟିକା କେନ୍ଦ୍ରକୁ ପୂର୍ବାହ୍ନ ୧୦ଟାରେ ପହଞ୍ଚିଥିଲେ ପ୍ରାୟ ୧୦୦ରୁ ଊର୍ଧ୍ବ ବରିଷ୍ଠ ନାଗରିକ। କିନ୍ତୁ ଦିନକୁ ୮୦ଜଣଙ୍କୁ ଟିକା ଦେବା କ୍ରମରେ ପୂର୍ବାହ୍ନ ୧୦ଟା ସୁଦ୍ଧା ନିର୍ଦ୍ଧାରିତ ସଂଖ୍ୟକ ଲୋକଙ୍କୁ ଦ୍ବିତୀୟ ଡୋଜ୍‌ ଦିଆସରିଛି କହି କେନ୍ଦ୍ରର ଅଧିକାରୀମାନେ ଅବଶିଷ୍ଟ ଲୋକଙ୍କୁ ଫେରାଇ ଦେଇଥିଲେ। ଅନ୍ୟପକ୍ଷ‌ରେ ସପ୍ତାହକୁ ମାତ୍ର ଗୋଟିଏ ଦିନ ଅର୍ଥାତ୍‌ ଶୁକ୍ରବାର ଦିନ ଦ୍ବିତୀୟ ‌ଡୋଜ୍‌ ଟିକା ଦେବାକୁ ଧାର୍ଯ୍ୟ କରାଯାଇଛି କହି ସେମାନଙ୍କୁ ପରବର୍ତ୍ତୀ ଶୁକ୍ରବାର ଦିନ ଟିକା ନେବାକୁ ଆସିବାକୁ କହିଥିଲେ। କରୋନାର ପ୍ରଥମ ଡୋଜ୍‌ ନେବାର ୨୮ରୁ ୪୨ଦିନ ମଧ୍ୟରେ ଦ୍ବିତୀୟ ଡୋଜ୍‌ ନେବାର ପ୍ରାବଧାନ ରହିଛି। ହେଲେ ଏବେ ପ୍ରଶ୍ନ ଉଠୁଛି, କେନ୍ଦ୍ରରେ ପ୍ରାୟ ହଜାରେରୁ ଊର୍ଧ୍ବ ବରିଷ୍ଠ ନାଗରିକ ପ୍ରଥମ ଡୋଜ୍‌ ଟିକା ନେଇଥିବା ବେଳେ ଯଦି ପ୍ରତି ସପ୍ତାହରେ ୮୦ଜଣ କରି ତିନି ସପ୍ତାହେ ବି ଦିଆଯାଏ, ତେବେ ପ୍ରଥମ ଡୋଜ୍‌ ନେବାର ୪୨ଦିନ ଭିତରେ ଅତି ବେଶିରେ ମାତ୍ର ୧୬୦ କି ୨୪୦ ଲୋକଙ୍କୁ ହିଁ ଟିକା ଦିଆଯାଇପାରିବ। ତା’ ହେଲେ ଅବଶିଷ୍ଟ ଲୋକ କ’ଣ କରିବେ? ପୁଣି ଯଦି ଏଭଳି ନିର୍ଦ୍ଦିଷ୍ଟ ସଂଖ୍ୟା ନିର୍ଦ୍ଧାରଣ କରାଯାଇଛି, ତେବେ ଏହାର ଏକ ତାଲିକା ପ୍ରସ୍ତୁତ କରି ବରିଷ୍ଠ ନାଗରିକମାନଙ୍କୁ ଡକାଯାଉନାହିଁ କାହିଁକି ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

ଏଠାରେ ଆହୁରି ବି ପ୍ରଶ୍ନ ଉଠୁଛି, ଯଦି ଏଭଳି ନିୟମ କରାଯାଇଛି, ତେବେ ସାରା ଭୁବନେଶ୍ବର ପାଇଁ ସମାନ ହେବା କଥା। କିନ୍ତୁ ଏହାର ମାତ୍ର ୩ କିମି ଦୂରରେ ଥିବା ବିଜେଇଏମ୍‌ ବିଦ୍ୟାଳୟ ନିକଟସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସେଭଳି କିଛି ନିର୍ଦ୍ଧାରିତ ସଂଖ୍ୟା ନାହିଁ। ଅପରାହ୍‌ଣ ୩ଟାରୁ ୬ଟା ମଧ୍ୟରେ ସେଠାକୁ ଯାଉଥିବା ସମସ୍ତ ବରିଷ୍ଠ ନାଗରିକମାନଙ୍କୁ ଦ୍ବିତୀୟ ଡୋଜ୍‌ ଟିକା ଦିଆଯାଉଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ବରିଷ୍ଠ ନାଗରିକମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ କିଛି ଟିକା କେନ୍ଦ୍ର ଅଧିକାରୀମାନଙ୍କର ଏଭଳି ମ‌ନମୁଖୀ କାର୍ଯ୍ୟକଳାପକୁ ନିନ୍ଦା କରିଛନ୍ତି।

ସମ୍ବନ୍ଧିତ ଖବର