ଭୁବନେଶ୍ବର: ରାଜ୍ୟରେ ୩ ହଜାରରୁ ଅଧିକ ପୁରାତନ ମନ୍ଦିର ଓ ଐତିହ୍ୟ କୀର୍ତ୍ତିରାଜି ରହିଛି। କିନ୍ତୁ ସେଥିରୁ ମାତ୍ର ୧୦ ପ୍ରତିଶତ ସଂରକ୍ଷଣ କରାଯାଉଛି। ଏଏସ୍ଆଇ ଓ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ହାତଗଣତି ମନ୍ଦିର ଓ କୀର୍ତ୍ତିରାଜିର ସଂରକ୍ଷଣ ଦାୟିତ୍ବ ନେଇଛନ୍ତି। ଅବଶିଷ୍ଟ ମନ୍ଦିରଗୁଡ଼ିକ ସମ୍ପର୍କରେ ସବିଶେଷ ତଥ୍ୟ ହିଁ ନାହିଁ। ଓଡ଼ିଶାର କୋଣ ଅନୁକୋଣରେ ଥିବା ଏହି ମନ୍ଦିର ଓ କୀର୍ତ୍ତିରାଜିଗୁଡ଼ିକୁ ଲୋକଲୋଚନକୁ ଆଣିବା ସହ ପ୍ରଚାର, ପ୍ରସାର କରିବାକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଣ୍ଟା ଭିଡ଼ିଛି। ଏସବୁର ଡକ୍ୟୁମେଣ୍ଟେସନ୍ କରି ଡିଜିଟାଲ୍ ପ୍ଲାଟ୍ଫର୍ମରେ ଉପଲବ୍ଧ କରାଇବାକୁ ଯୋଜନା ହୋଇଛି। ଫଳରେ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାର ପ୍ରାଚୀନତାକୁ ସମସ୍ତେ ଜାଣିପାରିବେ।
କିଛି ଦିନ ତଳେ ଏ ସମ୍ପର୍କିତ ଏକ ବୈଠକ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ସଂସ୍କୃତି, ପର୍ଯ୍ୟଟନ ଓ ପୂର୍ତ୍ତ ବିଭାଗର ଅଧିକାରୀମାନେ ଏଥିରେ ସାମିଲ ହୋଇଥିଲେ। କିଛି ବିଶେଷଜ୍ଞଙ୍କୁ ମଧ୍ୟ ଡକାଯାଇଥିଲା। ଏହି କୀର୍ତ୍ତିରାଜିଗୁଡ଼ିକୁ ସୁରକ୍ଷା ଓ ସଂରକ୍ଷଣ ସହ ସେହି ଅଞ୍ଚଳରେ ଭିତ୍ତିଭୂମି ସଜାଡ଼ିବା ନେଇ ମଧ୍ୟ ଆଲୋଚନା ହୋଇଥିଲା। ଏହାପରେ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗର ତଦାରଖରେ ପ୍ରକ୍ରିୟା ଆରମ୍ଭ ହୋଇଛି। ମନ୍ଦିରଗୁଡ଼ିକର ଇତିହାସ, ସ୍ଥାପତ୍ୟ ଶୈଳୀ, କେବେ ଓ କିଏ ମନ୍ଦିରର ପ୍ରତିଷ୍ଠା କରିଥିଲେ, ମନ୍ଦିରର ନିଆରା ପରମ୍ପରା, ପ୍ରସାଦ, ପର୍ବପର୍ବାଣିର ବିଶେଷତ୍ବ ତଥା ମନ୍ଦିର ସ୍ବତନ୍ତ୍ରତା ସମ୍ପର୍କରେ ତଥ୍ୟ ସଂଗ୍ରହ ଆରମ୍ଭ ହୋଇଛି। ଏହି ସବୁ ଲିଖିତ ତଥ୍ୟ ସହ ମନ୍ଦିରର ବିଭିନ୍ନ ଫଟୋ ଓ ଭିଡିଓକୁ ବି ସଂଗ୍ରହ କରାଯାଉଛି। ଏସବୁକୁ ଡକ୍ୟୁମେଣ୍ଟେସନ୍ କରି ବିଭାଗରେ ରଖାଯିବ। ଏଥିସହ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗର ଏକ ସ୍ବତନ୍ତ୍ର ୱେବ୍ସାଇଟ୍ ବି ଉନ୍ମୋଚିତ ହେବ। ପର୍ଯ୍ୟଟକମାନେ ଏହି ସାଇଟ୍ରେ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ଦ୍ବାରା ସଂରକ୍ଷିତ ସମସ୍ତ ମନ୍ଦିରର ପରିଦର୍ଶନ କରିବା ସହ ମନ୍ଦିର ସମ୍ପର୍କରେ ସବିଶେଷ ବିବରଣୀ ପାଇପାରିବେ। ଫଳରେ ଘରେ ବସି ଗୋଟିଏ କ୍ଲିକ୍ରେ ଯେ କେହି ବି ଓଡ଼ିଶାର ମନ୍ଦିରଗୁଡ଼ିକ ଦେଖିପାରିବ। ଏଥିସହ ମନ୍ଦିରଗୁଡ଼ିକ ସମ୍ମୁଖରେ ବି ଏହି ସବୁ ତଥ୍ୟ ଉଲ୍ଲେଖ ରହିବ ବୋଲି ପ୍ରତ୍ନତତ୍ତ୍ବ ଅଧୀକ୍ଷକ ଦେବଯାନୀ ଭୂୟାଁ ସୂଚନା ଦେଇଛନ୍ତି।
ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ତଦାରଖରେ ପ୍ରକ୍ରିୟା ଆରମ୍ଭ
ଡିଜିଟାଲ୍ ପ୍ଲାଟ୍ଫର୍ମରେ ସବୁ ତଥ୍ୟ ଉପଲବ୍ଧ ହେବ
ସଂସ୍କୃତି ବିଭାଗ ଅଧୀନରେ ଥିବା ପ୍ରତ୍ନତତ୍ତ୍ବ ବିଭାଗ ସେତେଟା ପ୍ରଭାବୀ ଢଙ୍ଗରେ କାମ କରିପାରିନି। ଫଳରେ ରାଜ୍ୟ ପ୍ରତ୍ନତତ୍ତ୍ବ ଅଧୀନରେ ଥିବା ମନ୍ଦିରଗୁଡ଼ିକର ରକ୍ଷଣାବେକ୍ଷଣ ବି ଆଶାନୁରୂପ ହେଉ ନାହିଁ। କେବଳ ସେତିକି ନୁହେଁ, ପ୍ରତ୍ନତତ୍ତ୍ବ ବିଭାଗକୁ ଯେତିକି ଟଙ୍କା ଦିଆଯାଉଛି, ତାହା ଖର୍ଚ୍ଚ ହୋଇ ନପାରି ଫେରିଯାଉଥିବା ନଜିର ବି ରହିଛି। ୨୦୨୪-୨୫ ଆର୍ଥିକ ବର୍ଷରେ ବ୍ୟୟବରାଦ ହୋଇଥିବା ସମସ୍ତ ୧୫ କୋଟି ଟଙ୍କା ଖର୍ଚ୍ଚ ନହୋଇ ଅର୍ଥ ବିଭାଗକୁ ଫେରିଗଲା। ଚଳିତ ବର୍ଷ ପୁଣି ୧୫ କୋଟି ଆସିଛି। ହେଲେ ୩ ମାସ ପରେ ବି ଟଙ୍କାଟିଏ ଖର୍ଚ୍ଚ ହୋଇନଥିଲା। ଏହାକୁ ନେଇ ଐତିହ୍ୟ ଗବେଷକ ଉଦ୍ବେଗ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ବହୁଦିନ ଧରି ବିଭାଗର ଅଧୀକ୍ଷକ ପଦ ମଧ୍ୟ ଖାଲି ପଡ଼ିଥିଲା। ଏହା ପରେ ରାଜ୍ୟ ସରକାର ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଉପନିର୍ଦ୍ଦେଶିକା ଦେବଯାନୀ ଭୂୟାଁଙ୍କୁ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଅଧୀକ୍ଷକ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଥିଲେ। ଏନେଇ ଅଧୀକ୍ଷକ ଶ୍ରୀମତୀ ଭୂୟାଁ କହିଛନ୍ତି, ୩ ଦଶନ୍ଧିରୁ ଅଧିକ ସମୟ ହେବ ଓଡ଼ିଶାରେ ପ୍ରତ୍ନତାତ୍ତ୍ବିକ ଖନନ କରାଯାଇନାହିଁ। ଓଡ଼ିଶାରେ ପ୍ରାୟ ମନ୍ଦିର ଦୟନୀୟ ଅବସ୍ଥାରେ ରହିଛି। ଏଣୁ ସେ ସବୁକୁ ପ୍ରଥମେ ସଂରକ୍ଷିତ ଓ ରକ୍ଷଣାବେକ୍ଷଣ କରାଯିବ। ଏଥିସହ ବିଭିନ୍ନ ସମୟରେ ପ୍ରତ୍ନତାତ୍ତ୍ବିକ ଖନନ କରାଯାଇ ଏହାର ସଂରକ୍ଷଣ ଓ ଡକ୍ୟୁମେଣ୍ଟେସନ୍ କରାଯିବ। ସମସ୍ତ ମନ୍ଦିର ସମ୍ପର୍କରେ ଗବେଷଣା ଓ ଏହାର ବିକାଶ ପାଇଁ ବିଭାଗ ପକ୍ଷରୁ ଏକ ‘ଆର୍ ଆଣ୍ଡ୍ ଡି’ ଟିମ୍ ଗଠିତ ହେବ। ମନ୍ଦିରଗୁଡ଼ିକର କେମିକାଲ୍ ଟ୍ରିଟ୍ମେଣ୍ଟ୍, ମନ୍ଦିର ପାର୍ଶ୍ବବର୍ତ୍ତୀ ଅଞ୍ଚଳକୁ ଚଉଡ଼ା ଓ ଜବରଦଖଲ ମୁକ୍ତ, ମନ୍ଦିରର ଜାଗାକୁ ଚିହ୍ନଟ କରିବା ଆଦି ଦିଗରେ ଏବେ ବିଭାଗ କାର୍ଯ୍ୟରତ। କେବଳ ମନ୍ଦିର ନୁହେଁ, ମଠଗୁଡ଼ିକ ପାଇଁ ବି ସମାନ ନୀତି ଆପଣାଇଛି ବିଭାଗ।