ବିଏମ୍‌ସିର ସ୍ଥାୟୀ କମିଟି ଅଧ୍ୟକ୍ଷ ମନୋନୟନ ପ୍ରକ୍ରିୟା ବିଳମ୍ବିତ: ୭ ଦିନ କହିଥିଲେ ୧୦ ଦିନ ବିତିଲାଣି

ବିଳମ୍ବ କରାଉଛି କି ମନୋମାଳିନ୍ୟ, ଅଭିମାନ!

ଭୁବନେଶ୍ବର : ବିଏମ୍‌ସିର ୧୦ଟି ଷ୍ଟାଣ୍ଡିଂ କମିଟି ଗଠନ ହେଲା। ମେୟରଙ୍କ ସମେତ କମିସନର ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ୧୦ଟି ଷ୍ଟାଣ୍ଡିଂ କମିଟି ପାଇଁ ୬୬ ସଦସ୍ୟ ନିର୍ବାଚିତ ହେଲେ। କୁହାଗଲା ୭ ଦିନ ପରେ କମିଟିର ଅଧ୍ୟକ୍ଷ ନିର୍ବାଚନ ହେବ। ଏହା ପରେ କମିଟି କାମ ଆରମ୍ଭ କରିବ। ଏହି ଘୋଷଣାକୁ ୧୦ ଦିନ ବିତିଲାଣି। ହେଲେ ଅଧ୍ୟକ୍ଷ ପଦ କେବେ ପୂରଣ ହେବ, ସେ ନେଇ କାହା ପାଖରେ ସୂଚନା ନାହିଁ। ସଦସ୍ୟମାନେ ବିଏମ୍‌ସି ଫୋନ୍‌କୁ ଅପେକ୍ଷା କରିଥିବା ବେଳେ କେବେ ଏହି ପ୍ରକ୍ରିୟା ଶେଷ ହେବ, ସେନେଇ ବିଏମ୍‌ସି ମଧ୍ୟ ନିଶ୍ଚିତ ନାହିଁ।

ଗୋଟିଏ ଗୋଟିଏ କମିଟିରେ ବିଜେଡିର ଏକାଧିକ ଟାଣୁଆ ନେତା ରହିଛନ୍ତି। ଉଭୟ ଅଧ୍ୟକ୍ଷ ପଦ ପାଇଁ ଦାବିଦାର ଅଛନ୍ତି। ଏଣୁ ଜଣଙ୍କୁ କଲେ ଆଉ ଜଣେ ଅଭିମାନ କରିବ। ଫଳରେ ମନୋମାଳିନ୍ୟ ଘଟିବ। ଏଣୁ ସେହି ଭୟରେ ପ୍ରକ୍ରିୟା ବିଳମ୍ବ ହେଉନି ତ? ଦାବିଦାରମାନଙ୍କୁ ମନେଇବା ପାଇଁ ଚାଲିଥିବା ଉଦ୍ୟମ ଯୋଗୁ ଡେରି ହେଉନି ତ?
ଗତ ୪ ତାରିଖ ଦିନ ୬୭ଟି ୱାର୍ଡର ନିର୍ବାଚିତ ପ୍ରତିନିଧିଙ୍କୁ ନେଇ ୧୦ଟି ଷ୍ଟାଣ୍ଡିଂ କମିଟି ଗଠନ କରାଯାଇଛି। ୯ଟି କମିଟିରେ ୭ଜଣ ଲେଖାଏଁ ସଦସ୍ୟ ରହିଥିବା ବେଳେ ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଥିବା କଣ୍ଟ୍ରାକ୍ଟ୍‌ସ୍‌ କମିଟିରେ ୩ ଜଣ ସଦସ୍ୟ ରହିଛନ୍ତି।

ପୁରାତନ ତଥା ଏକାଧିକବାର ଜିତିଥିବା କର୍ପୋରେଟର୍‌ ହିଁ କମିଟିର ଅଧ୍ୟକ୍ଷ ପଦ ହାତେଇବା ଥୟ ହୋଇଛି। ଡେପୁଟି ମେୟର ପଦ ଲାଗି ଆଶାୟୀ ଥିବା କର୍ପୋ‌ରେଟର ହତାଶ ହୋଇଥିବାରୁ ସେମାନଙ୍କୁ କମିଟିର ଅଧ୍ୟକ୍ଷ ଭାବେ ଥଇଥାନ କରିବାକୁ ଏକପ୍ରକାର ନିଷ୍ପତ୍ତି ହୋଇଛି।

ତେବେ ମୁଖ୍ୟ ବିବାଦ ଜନସ୍ବାସ୍ଥ୍ୟ, ବିଦ୍ୟୁତ୍‌, ପାନୀୟ ଜଳ, ଡ୍ରେନେଜ୍‌ ଓ ପରିବେଶ ଷ୍ଟାଣ୍ଡିଂ କମିଟିରେ ରହିଛି। ଏଥିରେ ସଦସ୍ୟ ଭାବରେ ବିରଞ୍ଚି ନାରାୟଣ ମହାସୂପକାର, ଭରତ କୁମାର ଲେଙ୍କା, ମିନୁଶ୍ରୀ ଖୁଣ୍ଟିଆ, ଛବି ଦାଶ, ଶୁଭ୍ରାଂଶୁ ଶେଖର ପଟ୍ଟନାୟକ, ମୋନାଲିସା ସାହୁ ଓ ରଞ୍ଜୁଲତା ରାୟ ରହିଛନ୍ତି। ଏଥିରେ ପ୍ରମୁଖ ଦାବିଦାର ହେଉଛନ୍ତି ବିରଞ୍ଚି ଓ ଭରତ। ଉଭୟ ଅଧ୍ୟକ୍ଷ ପଦ ପାଇଁ ଦାବିଦାର ଅଛନ୍ତି। ଯେଉଁଦିନ ଏହି ନିର୍ବାଚନ ହେଲା ସେତେବେଳେ ଉଭୟ ନେତା ଗୋଟିଏ କମିଟିରେ ରହିଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଉଭୟ ଅସନ୍ତୋଷ ପ୍ରକାଶ କରି ଉଠି ଆସିଥିଲେ। ଏବେ ଯାହାକୁ ଅଧ୍ୟକ୍ଷ ପଦ ଦେବେ ଅନ୍ୟଜଣକ ଅଭିମାନ କରିବ। ଏଣୁ ଏହି କମିଟିରେ କାହାକୁ ସ‌ନ୍ତୁଷ୍ଟ କରିବେ, ଏବେ ମୁଖିଆ ଚିନ୍ତାରେ ପଡ଼ିଛନ୍ତି।

ସେହିଭଳି ପ୍ଲାନିଂ ଆଣ୍ଡ୍‌ ଡେଭଲ୍‌ପମେଣ୍ଟ କମିଟିରେ ଶ୍ରୀଧର ଜେନା, କବିତା ସ୍ବାଇଁ, ପିଙ୍କି ସ୍ବାଇଁ, ବିପ୍ଳବ ବେହେରା, ନମିତା ମହାପାତ୍ର, ଚାରୁଲତା ସାମନ୍ତରାୟ, ସୁକୁମାର ସାହୁ ସଦସ୍ୟ ରହିଛନ୍ତି। ଏଥିରେ ଶ୍ରୀଧରଙ୍କ ସମେତ ପୂର୍ବତନ କର୍ପୋରେଟର ହୃଦୟ ବଲ୍ଲଭ ସାମନ୍ତରାୟଙ୍କ ନିକଟ ସମ୍ପର୍କୀୟ ଚାରୁଲତା ମଧ୍ୟ ଦାବିଦାର ଅଛନ୍ତି। ତେଣୁ ସେଠାରେ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇପାରେ। ବାକି କମିଟିଗୁଡ଼ିକରେ ଅଧ୍ୟକ୍ଷ ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି।

ପବ୍ଲିକ ୱାର୍କସ କମିଟିରେ ଅମରେଶ ଜେନା, ଅଭିଯୋଗ ଓ ସାମାଜିକ ନ୍ୟାୟ କମିଟିରେ ନୃପେଶ କୁମାର ନାୟକ, ସ୍ଲମ୍‌ ରିସେଟେଲ୍‌ମେଣ୍ଟ ଅତିରିକ୍ତ ଷ୍ଟାଣ୍ଡିଂ କମିଟିରେ ମହାମାୟା ସ୍ବାଇଁ, ଟ୍ୟାକ୍ସ, ଫାଇନାନ୍‌ସ ଓ ଆକାଉଣ୍ଟସ୍‌ କମିଟିରେ ପ୍ରୀତିନନ୍ଦା ରାଉତରାୟ, ଲାଇସେନ୍ସ୍‌ ଓ ଅପିଲ୍‌ସ୍‌ କମିଟିରେ ପ୍ରେମାନନ୍ଦ ଜେନା, ଶିକ୍ଷା, ଚିତ୍ତ ବିନୋଦନ ଓ ସଂସ୍କୃତି କମିଟିରେ ମିହିର କୁମାର ରାଉତଙ୍କ ନାମ ଅଧ୍ୟକ୍ଷ ପଦ ପାଇଁ ଏକପ୍ରକାର ସ୍ପଷ୍ଟ ହୋଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର