ହଲ୍‌ରୁ ଟିକସ ଛାଡ଼ ପରେ ଫରକ ପଡ଼ିଲାନି : ମୁହଁ ଫେରାଉଛନ୍ତି ପ୍ରଯୋଜକ

କପିପେଷ୍ଟ ବଢ଼ୁଛି, ଫିଲ୍ମ ମାନ କମୁଛି

ଭୁବନେଶ୍ବର: ପ୍ରେକ୍ଷାଳୟ ଉପରୁ ଟିକସ ଛାଡ଼ ହେଲା। ସିନେମା ହଲ୍‌ ସଂଖ୍ୟା ବି ବୃଦ୍ଧି ପାଇଲାଣି। ତଥାପି ତାହାର କୌଣସି ପ୍ରଭାବ ଓଡ଼ିଆ ସିନେମା ଶିଳ୍ପ ଉପରେ ପଡ଼ୁନି। ସ୍ଥିତି ଯେମିତି ଥିଲା, ସେମିତି ରହିଛି। ଫିଲ୍ମର ମାନ ବଢ଼ୁ ନଥିବା ବେଳେ ପୁରୁଣା ପ୍ରଯୋଜକମାନେ ଏବେ ଓଲିଉଡ୍‌ରୁ ମୁହଁ ଫେରାଇବା ଆରମ୍ଭ କଲେଣି। ଆଗରୁ ଚିଟ୍‌ଫଣ୍ଡ ସଂସ୍ଥା ସହାୟତାରେ ଚଳଚ୍ଚିତ୍ର ନିର୍ମାଣ ଚାଲିଥିଲା। ଗତ କିଛି ବର୍ଷ ହେଲା ଓଲିଉଡ୍‌ରେ ଚିଟ୍‌ଫଣ୍ଡ ଅର୍ଥ ଲାଗି ପାରୁନାହିଁ। ଏପଟେ ପୁରୁଣା ପ୍ରଯୋଜନା ସଂସ୍ଥା ଫିଲ୍ମ ନିର୍ମାଣ କରୁ ନଥିବାରୁ ବର୍ଷକୁ ବର୍ଷ ଓଡ଼ିଆ ସିନେମା ସଂଖ୍ୟା କମିବାରେ ଲାଗିଛି। ସ୍ଥିତି ଏଭଳି ହୋଇଛି ଯେ ୨୦୧୭ରେ ୩୮ଟି ସିନେମା ନିର୍ମାଣ ହୋଇଥିବା ‌ବେଳେ ୨୦୧୮ରେ ଏବେ ସୁଦ୍ଧା ପ୍ରାୟ ୨୮ଟି ସିନେମା ରିଲିଜ୍‌ ହୋଇଥିବା ସୂଚନା ମିଳିଛି।

ଓଡ଼ିଆ ଚଳଚ୍ଚିତ୍ରର ମାନ ବୃଦ୍ଧି କରିବା ଓ ଏହି ବ୍ୟବସାୟକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାର ପ୍ରେକ୍ଷାଳୟ ଉପରୁ ଟିକସ ଛାଡ଼ କରିଥିଲେ। ଲାଗୁଥିଲା ସିନେମା ନିର୍ମାଣ ସଂସ୍ଥାମାନେ ଆଗ୍ରହ ପ୍ରକାଶ କରିବେ। ବର୍ଷକୁ ବର୍ଷ ଅଧିକ ସଂଖ୍ୟକ ସିନେମା ନିର୍ମାଣ ହେବ। କିନ୍ତୁ ସୁଧାର ଆସିଲାନି। ଡିଜିଟାଲ୍ ସାଟେଲାଇଟ୍‌ରେ ରାଇଟ୍(ସତ୍ତ୍ୱାଧିକାର) ବିକ୍ରି ଦ୍ବାରା ଓଡ଼ିଆ ସିନେମା ଓ ସିନେମା ଗୀତଗୁଡ଼ିକ ଭଲ ମୂଲ୍ୟରେ ଘରୋଇ ଟିଭି ଚ୍ୟାନେଲ୍‌ଗୁଡ଼ିକୁ ବିକ୍ରି କରାଯାଉଛି। ଏହାଦ୍ୱାରା ଓଡ଼ିଆ ପ୍ରଯୋଜକମାନେ ଚଳଚ୍ଚିତ୍ର ନିର୍ମାଣରେ ଲକ୍ଷାଧିକ ଟଙ୍କାର କ୍ଷତି ସହୁଛନ୍ତି। ସେପଟେ ହାତଗଣତି କିଛି ତାରକାଙ୍କୁ ନେଇ ପ୍ରେକ୍ଷାଳୟ ମାଲିକ ଓ ବିତରକମାନେ ଓଲିଉଡ୍‌ରେ ମନମାନି ଜାରି ରଖିଛନ୍ତି। ନୂଆ କଳାକାରଙ୍କ ଫିଲ୍ମ ରିଲିଜ୍ କରାଇ ଦେଉନାହାନ୍ତି। ଏଭଳି ସ୍ଥିତିକୁ ଦେଖି ନୂଆ ପ୍ରଯୋଜନା ସଂସ୍ଥା ବି ଓଲିଉଡ୍‌ରେ ଅର୍ଥ ନିବେଶ କରିବା ପାଇଁ ଇଚ୍ଛା କରୁନାହାନ୍ତି। କେତେକ ପୁରୁଣା ପ୍ରଯୋଜନା ସଂସ୍ଥା ମୌଳିକ ଧର୍ମୀ କାହାଣୀକୁ ନେଇ ସିନେମା ନିର୍ମାଣ କରିବାକୁ ଉଦ୍ୟମ କରୁଥିଲେ ମଧ୍ୟ ତେଲୁଗୁ ଓ ତାମିଲ୍‌ ଚଳଚ୍ଚିତ୍ରର ଅବିକଳ (କପି-ପେଷ୍ଟ)ଯୋଗୁଁ ସେମାନେ ଓଲିଉଡ୍‌ରେ ଆଗକୁ ବଢ଼ି ପାରୁନାହାନ୍ତି। ମୌଳିକ ତଥା ସାମାଜିକଧର୍ମୀ କାହାଣୀକୁ ଧରି ନାମକରା କଳାକାରଙ୍କ ପାଖକୁ ଯାଉଥିଲେ ମଧ୍ୟ କମ୍ ପାରିଶ୍ରମିକରେ କାମ କରିବାକୁ ଅଭିନେତା ଅଭିନେତ୍ରୀ ମନା କରି ଦେଉଛନ୍ତି। ଏହାଦ୍ବାରା ପ୍ରଯୋଜକମାନେ ଫିଲ୍ମ କରିବା ପରିବର୍ତେ ରୋଜଗାର ପାଇଁ ଅନ୍ୟ ପନ୍ଥା ଆପଣାଉଛନ୍ତି। ଦଶହରା, ରଜ, ନୂଆବର୍ଷ ସମୟରେ ସିନେମା ରିଲିଜ୍‌ କଲେ ଭଲ ବେପାର ‌ହେଉଥିବାରୁ ପ୍ରଯୋଜନା ସଂସ୍ଥାଗୁଡ଼ିକ ସେହି ସମୟକୁ ଅପେକ୍ଷା କରି ରହିଥାନ୍ତି। ହେଲେ କେତେକ ପ୍ରଯୋଜନା ସଂସ୍ଥା ଏବେ ଫିଲ୍ମ ଇଣ୍ଡଷ୍ଟ୍ରିରେ ରାଜୁତି କରୁଛନ୍ତି। ଫିଲ୍ମ ରି‌ଲିଜ୍‌ ହେବା ପୂର୍ବରୁ ହଲ୍‌ଗୁଡ଼ିକ ବୁକିଂ କରି ନେଉଛନ୍ତି। ବାକି ପ୍ରଯୋଜନା ସଂସ୍ଥାଗୁଡ଼ିକ ସିନେମା ରିଲିଜ୍‌ କରିବାକୁ ଚାହିଁଲେ ମଧ୍ୟ ହଲ୍‌ ପାଉନାହାନ୍ତି। ପରବର୍ତୀ ସମୟରେ ସିନେମା ରିଲିଜ୍‌ କଲେ ମଧ୍ୟ ବହୁତ କ୍ଷତି ସହୁଛନ୍ତି। ଏଭଳି ସମସ୍ୟା ପାଇଁ ପୁରୁଣା ପ୍ରଯୋଜନା ସଂସ୍ଥା ଓଲିଉଡ୍‌କୁ ବାଏ ବାଏ କହିଲେଣି।

ରାଜ୍ୟରେ  ହଲ୍‌ ସଂଖ୍ୟା ବଢ଼ୁଛି
ଦୁଇ ବର୍ଷ ତଳେ ରାଜ୍ୟରେ ଯେତିକି ସିନେମା ହଲ୍‌ ଥିଲା, ଏବେ ସେଥିରେ କିଛିଟା ବୃଦ୍ଧି ପାଇଛି। ତଥ୍ୟ କହୁଛି, ୨୦୧୫ରେ ରାଜ୍ୟରେ ସଚଳ ଅବସ୍ଥାରେ ୭୨ଟି ସିନେମା ହଲ୍‌ ରହିଥିଲା। ଏବେ ତାହା ୮୦ ଛୁଇଁଛି। କଟକରେ ଆଇନକ୍ସ ଖୋଲିବା ପରେ କିଛିଟା ସୁଧାର ଆସିଛି। ଭୁବନେଶ୍ବରରେ ଏବେ ୮ଟି ହଲ୍‌ର ୧୦ଟି ପରଦାରେ ଫିଲ୍ମ ଚାଲୁଛି। ଖୁବ୍‌ଶୀଘ୍ର ଏସ୍‌ପ୍ଲାନେଡ୍‌ରେ ଏକାଥରେ ୭ଟି ପରଦା ଆସିବାକୁ ଯାଉଛି। ସୈନିକ ସ୍କୁଲ ନିକଟରେ ନୂଆ କରି ଖୋଲିବାକୁ ଥିବା ଭୁବନେଶ୍ବର-ୱାନ୍‌ ମଲ୍‌ରେ ବି ୩ଟି ପରଦା ଖୋଲିବ। ଏହାଦ୍ବାରା ସିନେମା ରିଲିଜ୍‌ କରିବାକୁ ଅସୁବିଧା ହେବ ନାହିଁ ବୋଲି କୁହାଯାଉଛି। ହେଲେ ଓଡ଼ିଆ ସିନେମାର ମାନ କମୁଥିବାରୁ ଦର୍ଶକ ମୁହଁ ଫେରାଇ ହିନ୍ଦୀ ଓ ଇଂରାଜୀ ଫିଲ୍ମକୁ ଆଦରି ନେଉଛନ୍ତି। ଏହି ହଲ୍‌ଗୁଡ଼ିକ ଆସିବା ପରେ କିଭଳି ସୁଧାର ଆସିବ, ସେ ନେଇ ପ୍ରଶ୍ନ ଉଠିଛି।

ପ୍ରଯୋଜକ କହନ୍ତି…
ଦୈତ ନଗରୀରେ ଥିବା ସମସ୍ତ ପ୍ରେକ୍ଷାଳୟର ଅବସ୍ଥା ଭଲ ଥିବା ବେଳେ ସେଠାରେ ଓଡ଼ିଆ ଚଳଚ୍ଚିତ୍ରକୁ ରିଲିଜ୍ କରିବାକୁ ସୁଯୋଗ ଦିଆଯାଉ ନାହିଁ। ପୂଜାରେ ହାତଗଣତି କେତେଜଣ କଳାକାରଙ୍କ ଚଳଚ୍ଚିତ୍ରକୁ ପ୍ରେକ୍ଷାଳୟ ମିଳୁଛି। ଯେଉଁଥିପାଇଁ ସମ୍ପୃକ୍ତ କଳାକାରମାନେ ନିଜର ପାରିଶ୍ରମିକ ବଢ଼ାଇ ଦେଉଛନ୍ତି। ସେମାନଙ୍କ ଦାଉରୁ ପ୍ରଯୋଜକମାନେ ନୂଆ କଳାକାରଙ୍କୁ ନେଇ ଫିଲ୍ମ ନିର୍ମାଣ କରୁଥିଲେ ମଧ୍ୟ ତାହା ପ୍ରେକ୍ଷାଳୟ ମାଲିକଙ୍କୁ ସନ୍ତୁଷ୍ଟ କରିପାରୁ ନାହିଁ। ପ୍ରେକ୍ଷାଳୟରେ କର ଛାଡ଼ କରାଯିବା ପରେ ମଧ୍ୟ ଓଡ଼ିଆ ଚଳଚ୍ଚିତ୍ର ସଂଖ୍ୟା ବଢ଼ୁନି କିମ୍ବା ନାମ ଓ ବ୍ୟବସାୟରେ ଉନ୍ନତି ହେଉନି। ପୁରୁଣା ଚଳଚ୍ଚିତ୍ର ନିର୍ମାତା ଓ ବିତରକ ହନ୍ତସନ୍ତ ହେଉଛନ୍ତି।

ଟୁଟୁ ନାୟକ, ଚଳଚ୍ଚିତ୍ର ନିର୍ମାତା
ଓଡ଼ିଆ କଳାକାର ନିଜର ଆଚରଣ ଓ ଉଚ୍ଚାରଣକୁ ସଂଯତ ନ କରିବାରୁ ଓଲିଉଡ୍‌ରେ ଫିଲ୍ମର ମାନ ଓ ବ୍ୟବସାୟ କମିବାରେ ଲାଗିଛି। ଦର୍ଶକ ନିଜର ହିରୋକୁ ଆଖି ଆଗରେ ନକାରାତ୍ମକ ବ୍ୟବହାର ଓ ଚରିତ୍ରରେ ଦେଖିବା ଫଳରେ ସେମା‌ନଙ୍କ ଚଳଚ୍ଚିତ୍ରକୁ ଦେଖିବା ପାଇଁ ମନ ବଳାଉ ନାହାନ୍ତି। ଅନ୍ୟପକ୍ଷରେ କଳାକାରଙ୍କ ମଧ୍ୟରେ ବୁଝାମଣାର ଅଭାବ ଏବଂ ମନଇଚ୍ଛା ଫିଲ୍ମ ଟିକେଟ୍ ଦର ବୃଦ୍ଧି ବଡ଼ ସମସ୍ୟା ପାଲଟିଛି। ସମାନ ଦାମ୍‌ରେ ଦର୍ଶକ ବଲିଉଡ୍‌ ଫିଲ୍ମ ନ ଦେଖି ଓଲିଉଡ୍‌ ଫିଲ୍ମ ଦେଖିବା ପାଇଁ କାହିଁକି ମନ ବଳାଇବେ ତାହା ଆଜିର ଦିନରେ ଚିନ୍ତାର ବିଷୟ ପାଲଟିଛି।

ରମେଶ ବାରିକ,ଚଳଚ୍ଚିତ୍ର ନିର୍ମାତା
ଓଡ଼ିଆ ଚଳଚ୍ଚିତ୍ର ନିର୍ମାତାମାନେ ମୌଳିକ କାହାଣୀ ଉପରେ ଆଉ କାର୍ଯ୍ୟ କରୁନାହାନ୍ତି। କପି ପେ‌ଷ୍ଟ୍ ଫିଲ୍ମ ନିର୍ମାଣ କରି ଅଳ୍ପ ପରିଶ୍ରମ ଓ ଖର୍ଚ୍ଚରେ ଭଲ ଆୟ କରିବା ପାଇଁ ଲାଗି ପଡ଼ିଛନ୍ତି। କେତେକ ଚ୍ୟାନେଲ୍ ଚଳଚ୍ଚିତ୍ର ତିଆରି କରିବା ଓ ତାର ପ୍ରମୋସନ୍ ବହୁଳ ମାତ୍ରାରେ କରି ଭଲ ବ୍ୟବସାୟ କରୁଥିବା ବେଳେ ସାଧାରଣ ତଥା ପୁରୁଣା ପ୍ରଯୋଜକ ଭଲ ଚଳଚ୍ଚିତ୍ର କରି ଲୋକପ୍ରିୟତା ହାସଲ କରିପାରୁ ନାହାନ୍ତି। ବଲିଉଡ୍‌ ଫିଲ୍ମ ବିନା ତିଥିରେ ଫିଲ୍ମ ରିଲିଜ୍ ହେଉଥିବା ବେଳେ ଓଲିଉଡ୍‌ ପ୍ରଯୋଜକମାନେ କେବଳ ପୂଜା ପର୍ବକୁ ଅପେକ୍ଷା କରିଥାନ୍ତି।
ଶାନ୍ତନୁ କୁମାର ସାଇ, ଚଳଚ୍ଚିତ୍ର ନିର୍ମାତା

 

ସମ୍ବନ୍ଧିତ ଖବର