ପ୍ରଫେସର ଘନଶ୍ୟାମ ଦାଶ ଛାତ୍ରବୃତ୍ତି ପ୍ରଦାନ

ଭୁବନେଶ୍ବର: ଇମ୍ଫାର ସମାଜ କଲ୍ୟାଣ ଶାଖା ‘ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍‌ (ବିଆଇପିଏଫ) ତରଫରୁ ଉଚ୍ଚଶିକ୍ଷା ପାଇଁ ଚତୁର୍ଦଶ ପ୍ରଫେସର ଘନଶ୍ୟାମ ଦାଶ ଛାତ୍ରବୃତ୍ତି ପ୍ରଦାନ କରାଯାଇଛି। ବିଭିନ୍ନ ଶୃଙ୍ଖଳାରେ ବୃତ୍ତିଗତ ଡିଗ୍ରି ପାଠ୍ୟକ୍ରମରେ ଅଧ୍ୟୟନ କରୁଥିବା ୬ଜଣ ମେଧାବୀ ବିଦ୍ୟାର୍ଥୀଙ୍କୁ ୨୦୧୮ ଶିକ୍ଷାବର୍ଷ ପାଇଁ ଏହି ସମ୍ମାନଜନକ ଛାତ୍ରବୃତ୍ତି ପ୍ରଦାନ କରାଯାଇଛି। ଏହି ମନୋନୀତ ଛାତ୍ରଛାତ୍ରୀ ସେମାନଙ୍କ ସମଗ୍ର ପାଠ୍ୟକ୍ରମ ଅବଧିର ଏକାଡେମିକ ଫି’ ଏବଂ ତତ୍‌ ସମ୍ପର୍କିତ ଖର୍ଚ୍ଚର ୯୦% ତଥା ସର୍ବାଧିକ ୪ଲକ୍ଷ ଟଙ୍କା ପାଇବେ।

୨୦୧୮ ବର୍ଷ ପାଇଁ ଏହି ଛାତ୍ରବୃତ୍ତି ପାଇବା ନିମନ୍ତେ ବୌଦ୍ଧ ଜିଲ୍ଲା ବନ୍ଧନାଝୁଲିରୁ ଗୀତାଞ୍ଜଳି ପୋଢ଼, ଦେବଗଡ଼ ଜିଲ୍ଲା ବସୁପାଲିରୁ ରାଜେଶ କୁମାର ପ୍ରଧାନ, ବରଗଡ଼ ଜିଲ୍ଲା ବିର୍ହିପାଲିରୁ ରଂଜନ କୁମାର ମହାନନ୍ଦ, କେନ୍ଦ୍ରାପଡ଼ା ଜିଲ୍ଲା ବାଘତଇଳାରୁ ସ୍ବାଗତ ସାମଲ, ପୁରୀ ଜିଲ୍ଲା ଆଶ୍ରମପାଟଣାରୁ ତୁଷାର କୁମାର ଜେନା ଏବଂ ଅନୁଗୁଳ ଜିଲ୍ଲା ନୂଆପଡ଼ାରୁ ବିକାଶ ବାଦି ମନୋନୀତ ହୋଇଥିଲେ। ଗୀତାଞ୍ଜଳି ଏବଂ ରଂଜନ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଇନ୍‌ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚରେ ଏମ୍‌ବିବିଏସ୍‌ କରୁଥିବା ବେଳେ ତୁଷାର ଓ ବିକାଶ କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭଂଜ ମେଡିକାଲ କଲେଜରେ ଏମ୍‌ବିବିଏସ୍‌ କରୁଛନ୍ତି। ରାଜେଶ ଏବଂ ସ୍ବାଗତ ଯଥାକ୍ରମେ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି, (ଏନଆଇଟି) ରାଉରକେଲା ଓ କଲେଜ ଅଫ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ସିଇଟି), ଭୁବନେଶ୍ବରରେ ବି. ଟେକ୍‌ ପଢ଼ୁଛନ୍ତି। ବିଆଇପିଏଫର ଟ୍ରଷ୍ଟି ତଥା ଇମ୍ଫାର ମ୍ୟାନେଜିଂ ଡାଇରେକ୍ଟର ଶୁଭ୍ରକାନ୍ତ ପଣ୍ଡାଙ୍କ ଦ୍ବାରା ଏହି ଛାତ୍ରବୃତ୍ତି ପ୍ରଦାନ କରାଯାଇଥିଲା। ଏହି ଅବସରରେ ଇମ୍ଫାର ହୋଲ ଟାଇମ୍‌ ଡାଇରେକ୍ଟର ସି.ଆର ରାୟ, ଚିଫ ଫାଇନାନ୍ସ ଅଫିସର ତଥା କମ୍ପାନି ସେକ୍ରେଟାରୀ ପ୍ରେମ ଖଣ୍ଡେଲୱାଲ ଏବଂ ଫାଉଣ୍ଡେସନର ଏକ୍‌ଜିକ୍ୟୁଟିଭ ଭାଇସ ପ୍ରେସିଡେଣ୍ଟ ଟି.ସି ହୋତା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର