ଭୁବନେଶ୍ବର: ଭାରତର ବୈଦେଶିକ ମନ୍ତ୍ରାଳୟ ଅନ୍ତର୍ଗତ ଭାରତୀୟ ସାଂସ୍କୃତିକ ସମ୍ପର୍କ ପରିଷଦ ତରଫରୁ ପ୍ରଫେସର ଅନୀଲ କୁମାର ମହାପାତ୍ରଙ୍କୁ ସମ୍ମାନଜନକ ‘ଭାରତୀୟ ଚେୟାର’ ରୂପେ ଚୟନ କରାଯାଇଛି। ଭାରତ ସରକାର ୩୨ଟି ଦେଶ ସହ ବୁଝାମଣାପତ୍ର ସ୍ୱାକ୍ଷର କରି ୪୭ଟି ଚେୟାର ପ୍ରତିଷ୍ଠା କରିଛନ୍ତି। ଏହି ଚୟନ ପ୍ରକ୍ରିୟା ବହୁତ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବା ବେଳେ ବିଭିନ୍ନ ବିଭାଗକୁ ବିଚାର ପରିସରଭୁକ୍ତ କରାଯାଇଥାଏ। ଯେଉଁମାନଙ୍କୁ ବଛାଯାଇଥାଏ ସେମାନେ ବର୍ଷେ ବା ଦୁଇବର୍ଷ ପାଇଁ  ବିଶ୍ବବିଦ୍ୟାଳୟଗୁଡ଼ିକରେ ଆବାସିକ ଭାବେ ରହି ଭାରତର ସଂସ୍କୃତି, ରାଜନୈତିକ ବ୍ୟବସ୍ଥା ଆଦି ଉପରେ ଗବେଷଣାତ୍ମକ ସନ୍ଦର୍ଭ ଲେଖିବା ସହ ବିଭିନ୍ନ ସମ୍ପାନ ଓ ପାଠଚକ୍ରରେ ବକ୍ତବ୍ୟ ରଖିଥାନ୍ତି। ଭାରତର ସାଂସ୍କୃତିକ ରାଜଦୂତ ଭାବେ ସେମାନଙ୍କୁ ଗ୍ରହଣ କରାଯାଇଥାଏ। ପ୍ରଫେସର ଅନୀଲ ମହାପାତ୍ର ନେପାଳର କାଠମାଣ୍ଡୁସ୍ଥିତ ତ୍ରିଭୁବନ ବିଶ୍ବବିଦ୍ୟାଳୟରେ ଭାରତୀୟ ଶିକ୍ଷା ଚେୟାର ମଣ୍ଡନ କରିବେ। ଆଗରୁ ପ୍ରଫେସର ମହାପାତ୍ର ଅକ୍ସଫୋର୍ଡ ଓ ହାଇଡେଲବର୍ଗ ବିଶ୍ବବିଦ୍ୟାଳୟରେ ଫେଲୋସିପ୍‌ ପାଇ ଗବେଷଣା କରିବାର କୃତିତ୍ବ ଅର୍ଜନ କରିଛନ୍ତି। ଓଡ଼ିଶାର ସମସ୍ତ ବିଶ୍ବବିଦ୍ୟାଳୟରୁ ପ୍ରଥମ ବ୍ୟକ୍ତି ଭାବେ ଫକୀରମୋହନ ବିଶ୍ବବିଦ୍ୟାଳୟରେ କାର୍ଯ୍ୟରତ ପ୍ରଫେସର ମହାପାତ୍ର ଏହି ସମ୍ମାନ ପାଇଛନ୍ତି।