ରେଭେନ୍ସାର ଗୌରବ ରହିଛି, ରହିବ: ପ୍ରଫେସର ପାତ୍ର

-ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ହେଉଥିବା ବେଳେ ଆପଣ କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି। ଏଭଳି ଗୁରୁ ଦାୟିତ୍ୱକୁ କିଭଳି ତୁଲାଇବେ?
ଦେଶରେ ଏମିତି କେଉଁ ଶିକ୍ଷାନୁଷ୍ଠାନ ନାହିଁ ଯାହାର ଚର୍ଚ୍ଚା ନ ହୁଏ। କିଏ ଭଲ କାମ ଲାଗି ଚର୍ଚ୍ଚାରେ ରହୁଛି ତ ଆଉ କିଏ ଖରାପ। ରେଭେନ୍ସାରେ ସେଭଳି କୌଣସି ସମସ୍ୟା ଥିବା ଭଳି ଲାଗୁ ନାହିଁ। ସମସ୍ତଙ୍କୁ ସାଙ୍ଗରେ ନେଇ କାର୍ଯ୍ୟ କରିବା ମୋର ପ୍ରାଥମିକତା ରହିବ। ରେଭେନ୍ସା ହେଉଛି ଓଡ଼ିଶାର ସମ୍ମାନ। ତାହାର ମର୍ଯ୍ୟାଦା ବଜାୟ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ।

-କ୍ୟାମ୍ପସର ବିକାଶ ଦିଗରେ କ’ଣ ସବୁ ପଦକ୍ଷେପ ନେବେ?
ଗୋଟିଏ ଶିକ୍ଷାନୁଷ୍ଠାନ ଲାଗି ଛାତ୍ରଛାତ୍ରୀ ହେଉଛନ୍ତି ସବୁ କିଛି। ପ୍ରଥମେ ସେମାନଙ୍କ ସମସ୍ୟାର ସମାଧାନ କରିବାକୁ ପ୍ରାଥମିକତା ଦେବା ଆବଶ୍ୟକ। ଏହାପରେ ଶିକ୍ଷା, ଶିକ୍ଷାନୁଷ୍ଠାନର ସମସ୍ୟା ବୁଝିବାକୁ ହେବ। ରେଭେନ୍ସା ଏକ ଐତିହ୍ୟ ସମ୍ପନ୍ନ କ୍ୟାମ୍ପସ ହୋଇଥିବାରୁ ତାହାକୁ ବିଶ୍ୱସ୍ତରୀୟ କରିବାକୁ ଉଦ୍ୟମ କରିବି। ତିନି ବର୍ଷ ମଧ୍ୟରେ ମୋ ଦ୍ୱାରା ଯେତିକି ସମ୍ଭବ ଏହି ବିଶ୍ୱବିଦ୍ୟାଳୟର ବିକାଶ ଦିଗରେ କାର୍ଯ୍ୟକ୍ରମ ହାତକୁ ନେବି।

-ରେଭେନ୍ସାର ଗୌରବ କିଭଳି ଫେରି ଆସିବ ବୋଲି ଆପଣ ଭାବୁଛନ୍ତି?
ବର୍ତମାନ ସ୍ଥିତିରେ ଶିକ୍ଷାଦାନ ପଦ୍ଧତିରେ ପରିବର୍ତନ ଆଣିବାକୁ ହେବ। ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ କାର୍ଯ୍ୟରତ ଓଡ଼ିଆ ପ୍ରଫେସରମାନେ ଏଠାରେ କାର୍ଯ୍ୟ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ସେମାନଙ୍କୁ ଆଣିବାକୁ ପଡ଼ିବ। ଖାଲି ପଡ଼ିଥିବା ଅଧ୍ୟାପକ ପଦବି ପୂରଣ ଦିଗରେ ପଦକ୍ଷେପ ନିଆଯିବ। ଛାତ୍ରଛାତ୍ରୀ, ଅଧ୍ୟାପକ, କର୍ମଚାରୀଙ୍କ ଅଭିଯୋଗ ଶୁଣିବା ସହ ସମସ୍ୟାର ସମାଧାନ ନେଇ ପ୍ରସ୍ତାବ ଗ୍ରହଣ କରିବାକୁ ହେବ। ରେଭେନ୍ସାର ଗୌରବ ରହିଛି, ରହିବ। ଏହାକୁ ବିଶ୍ୱସ୍ତରୀୟ ଶିକ୍ଷାନୁଷ୍ଠାନ ଭାବେ ଗଢ଼ିବାକୁ ପଡ଼ିବ।

ରାଜନୈତିକ ଦଳଙ୍କ ହସ୍ତକ୍ଷେପ ଯୋଗୁଁ କ୍ୟାମ୍ପସରେ ଶିକ୍ଷା ପ୍ରଭାବିତ ହେଉଛି କି?
ସେମିତି କିଛି ବି ନାହିଁ। କ୍ୟାମ୍ପସ ହେଉଛି ସମସ୍ତଙ୍କର। ଏହାର ବିକାଶ ଲାଗି ପ୍ରତିଟି ବ୍ୟକ୍ତି ଲାଗିବା ଆବଶ୍ୟକ। ରାଜନୈତିକ ବ୍ୟକ୍ତି ହୁଅନ୍ତୁ କି ପ୍ରଶାସନିକ ଅଧିକାରୀ ସମସ୍ତଙ୍କ କଥା ଶୁଣିବାକୁ ପଡ଼ିବ। ପ୍ରସ୍ତାବଗୁଡ଼ିକର ଆଲୋଚନା କରିବା ସହ ତାହାକୁ କାର୍ଯ୍ୟକାରୀ କରିବା ଦିଗରେ ପଦକ୍ଷେପ ନେବା ଆବଶ୍ୟକ। ଶିକ୍ଷାନୁଷ୍ଠାନ ମୁଖିଆ କେବେ ନିଜକୁ ମୁଁ ଭାବିବା ଉଚିତ୍‌ ନୁହେଁ। ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବାକୁ ହେବ।

ସମ୍ବନ୍ଧିତ ଖବର