ମାଗଣାରେ ଖାଦ୍ୟ ଯୋଗାଉଛନ୍ତି ଅଧ୍ୟାପକ ତାପସ

ଘରକୁ ଘର ବୁଲି ବାଣ୍ଟୁଛନ୍ତି, ସ୍ତ୍ରୀ ରାନ୍ଧୁଛନ୍ତି, ଝିଅ ଓ ଭାଣିଜୀ ପ୍ୟାକିଂ କରୁଛନ୍ତି

ଚନ୍ଦ୍ରଶେଖରପୁର : ପେସା ଅଧ୍ୟାପନା। ପିଲାଙ୍କୁ ପଢ଼ାଇବା ହେଉଛି ବୃତ୍ତି। ହେଲେ ନିଶା ହେଉଛି ଅସହାୟଙ୍କୁ ଠିକଣା ସମୟରେ ସହଯୋଗ କରିବା। ଏବେ କରୋନା ସଂକ୍ରମିତଙ୍କ ଘରକୁ ଯାଇ ମାଗଣାରେ ଖାଦ୍ୟ ଯୋଗାଇବାର ନିଶା ତାଙ୍କୁ ଘାରିଛି। ଭୟରେ ଲୋକେ କରୋନା ସଂକ୍ରମିତଙ୍କ ପାଖ ମାଡ଼ୁ ନଥିବା ବେଳେ ଅଧ୍ୟାପକ ଡ. ତାପସ ପଣ୍ଡା ଘରୁ ରନ୍ଧା ଖାଦ୍ୟ ନେଇ ପହଞ୍ଚି ଯାଉଛନ୍ତି ସେମାନଙ୍କ ପାଖରେ। ସେ ଗରିବ ହେଉ କି ସ୍ବଚ୍ଛଳ ବର୍ଗର ହେଉ; ଡ. ପଣ୍ଡା ଏଥିପାଇଁ କାହାଠାରୁ ପଇସାଟିଏ ଗ୍ରହଣ କରନ୍ତି ନାହିଁ। ଏବେ ରାଜଧାନୀରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବହୁ ସଂକ୍ରମିତ ନିଜ ଘରେ ସଙ୍ଗରୋଧରେ ରହୁଛନ୍ତି। ଫଳରେ ସେମାନେ ଖାଇବା ପିଇବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଏହି ସଂକଟ ସମୟରେ ଦେବଦୂତ ସାଜିଛନ୍ତି ଡ. ପଣ୍ଡା। ସେ ଖବର ପାଇବା ମାତ୍ରେ ଲୋକଙ୍କ ଘରେ ଘରେ ପହଞ୍ଚାଉଛନ୍ତି ରନ୍ଧାଖାଦ୍ୟ। ନିଜେ ବାଇକ୍‌ରେ ଯାଇ ସଙ୍ଗରୋଧରେ ଥିବା ବ୍ୟକ୍ତିଙ୍କୁ ଖାଇବା ଦେଇ ଆସୁଛନ୍ତି। ଏହି କାମରେ ଡ. ପଣ୍ଡାଙ୍କୁ ତାଙ୍କ ସହଧର୍ମିଣୀ, ଝିଅ ଓ ଭାଣିଜୀ ସହଯୋଗ କରୁଛନ୍ତି। ପତ୍ନୀ ରୋଷେଇ କରୁଥିବା ବେଳେ ଝିଅ ଓ ଭାଣିଜୀ ପ୍ୟାକିଂ କରୁଛନ୍ତି ଏବଂ ଡ. ପଣ୍ଡା ବ‌ାଇକ୍‌ ଯୋଗେ ସେ ସବୁକୁ ସଂକ୍ରମିତଙ୍କ ଘରେ ପହଞ୍ଚାଉଛନ୍ତି।

ଚନ୍ଦ୍ରଶେଖରପୁର କାନନବିହାର ଅଞ୍ଚଳରେ ଘର ଭଡ଼ା ନେଇ ରହୁଛନ୍ତି ଡ. ପଣ୍ଡା। ସେ ଉତ୍କଳ ବିଶ୍ବବିଦ୍ୟାଳୟରେ ଅଧ୍ୟାପକ ଭାବେ କାର୍ଯ୍ୟ କରନ୍ତି। କରୋନା ସଂକ୍ରମିତମାନେ ସଙ୍ଗରୋଧରେ ଥିବା ଅବସ୍ଥାରେ ଖାଦ୍ୟ ସଂଗ୍ରହ କରିବା କଷ୍ଟକର ହୋଇପଡ଼ିଥାଏ। ସବୁ ସଂକ୍ରମିତଙ୍କ ଘରେ ରାନ୍ଧି ଖାଇବା ବ୍ୟବସ୍ଥା ନଥାଏ। ସେମାନେ ବି ବାହାରକୁ ଯାଇ ହୋଟେଲରୁ ଖାଇବା ଆଣିପାରନ୍ତି ନାହିଁ। ସେହିଭଳି ଅର୍ଥାଭାବରୁ କିଛି ବ୍ୟକ୍ତି ଘରୋଇ ସଂସ୍ଥା ଜରିଆରେ ବି ଖାଦ୍ୟ ମଗାଇ ପାରନ୍ତି ନାହିଁ। ସେମାନଙ୍କ ପାଇଁ ସେ ଏହି ବ୍ୟବସ୍ଥା କରିଛନ୍ତି ବୋଲି କହିଛନ୍ତି।

ପତ୍ନୀ ରାଜେଶ୍ୱରୀ ପଣ୍ଡା ମଧ୍ୟ ବଡ଼ ଆଗ୍ରହରେ ରୋଷେଇ ପ୍ରସ୍ତୁତ କରନ୍ତି। ଝିଅ ତପସ୍ୟା ଓ ଭାଣିଜୀ ସମ୍ପୂର୍ଣ୍ଣା ବି ଖୁବ୍‌ ଆନନ୍ଦରେ ପ୍ୟାକିଂ କରନ୍ତି। ଡାଲି, ଭାତ, ରୁଟି, ଭଜା, ତରକାରୀ ଭଳି ଖାଦ୍ୟ ତିଆରି କରୁଛନ୍ତି। ସାମାଜିକ ଗଣମାଧ୍ୟମରେ ନିଜର ମୋବାଇଲ ନମ୍ବର ଦେଇଛନ୍ତି। ଯେଉଁମାନେ ଫୋନ୍‌ କରୁଛନ୍ତି, ସେମାନଙ୍କ ନିକଟରେ ଖାଦ୍ୟ ପହଞ୍ଚିଯାଉଛି। ପ୍ରଥମେ ପ୍ରଥମେ କମ୍‌ ବରାଦ ଆସୁଥିଲା। ଏବେ ପ୍ରତିଦିନ ୧୫୦ ପାଖାପାଖି ବରାଦ ଆସୁଛି। ସାମାଜିକ ଗଣମାଧ୍ୟମରେ ତାଙ୍କର ପୋଷ୍ଟ ଦେଖି ଅନ୍ୟ ୫ଜଣ ସହୃଦୟ ବ୍ୟକ୍ତି ତାଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି। ସେମାନେ ମଧ୍ୟ ରନ୍ଧାଖାଦ୍ୟ ବାଣ୍ଟୁଛନ୍ତି। ଡ. ପଣ୍ଡାଙ୍କ କହିବା କଥା, ଆମ ହାଣ୍ଡିରେ ଶେଷ ମୁଠାକ ଭାତ ଆଉ ଶେଷ ରୁଟି ପଟକ ଥିବା ଯାଏ, ଆମ ପଡ଼ୋଶୀ ଭୋକରେ ନ ରହୁ। ଏହା ହେଉଛି ମୁଖ୍ୟ କଥା। ବର୍ତ୍ତମାନ ତାଙ୍କୁ ସାଧାରଣ ଲୋକଙ୍କୁ ସାହାଯ୍ୟ କରିବାର ସୁଯୋଗ ମିଳିଛି। ଦିନେ ତାଙ୍କୁ ବି କେହି ସହଯୋଗ କରିଥିଲା। ତେଣୁ ଏଥିରେ ସେ ବହୁତ ଖୁସି। ବଡ଼ କଥ‌ା ହେଉଛି, ତାଙ୍କ ପରିବାର ତାଙ୍କ ସହ ଠିଆ ହୋଇଛି। କିଛି ଅଜଣା ଲୋକ ମଧ୍ୟ ଯୋଗାଯୋଗ କରୁଛନ୍ତି। ସ୍ଥାନୀୟ କିଛି ଲୋକ ନିଜ ଘରେ ରୁଟି ତିଆରି କରି ଦେଉଛନ୍ତି। ଯିଏ ଯେତିକି ସମ୍ଭବ, ଅସମୟରେ ଲୋକମାନଙ୍କୁ ସାହାଯ୍ୟ କରନ୍ତୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର