ବନ୍ଧୁଙ୍କୁ ବିଭୋର କଲେ ସୁନିଲ୍‌

ଭୁବନେଶ୍ବର: ସଂଗୀତ, ପୂଜ୍ୟପୂଜା ଓ ବନ୍ଧୁମିଳନ। ରବୀନ୍ଦ୍ର ମଣ୍ଡପ ମଞ୍ଚରେ ଆଜି ଏ ୩ଟିର ସଂଯୋଗ ଏକ ନିଆରା ପରିବେଶ ସୃଷ୍ଟି କରିଥିଲା। ଉତ୍କଳ ବିଶ୍ବବିଦ୍ୟାଳୟ ବାଣୀବିହାର ୧୯୮୬-୮୮ ବ୍ୟାଚ୍‌ ପକ୍ଷରୁ ଆଜି ଏକ ନିଆରା ଢଙ୍ଗରେ ଆୟୋଜିତ ହୋଇଥିଲା ସଂଗୀତ ସନ୍ଧ୍ୟା। ମୁମ୍ବାଇରେ ସଂଗୀତ କ୍ଷେତ୍ରରେ ନିଜର ପରିଚୟ ସୃଷ୍ଟି କରିପାରିଥିବା ଓଡ଼ିଆ ପୁଅ ସୁନିଲ ପରିଡ଼ାଙ୍କ ସଂଗୀତ ପରିବେଷଣ ଦର୍ଶକ ଭରପୂର ଉପଭୋଗ କରିଥିଲେ। ନିଜ ବନ୍ଧୁ ସୁନିଲଙ୍କୁ ମଞ୍ଚ ଉପରେ ଶୁଣି ଖାଲି ସେମାନେ ବିଭୋର ହୋଇନଥିଲେ ବରଂ ତାଳ ଦେଇ ଗାଇଥିଲେ। ମେଁ ଲେକେ ଆୟା ହୁଁ.., ତୁମ୍‌ସେ ମିଲ୍‌କର ନା ଜାନେ କ୍ୟୁଁ.., ତୁ ଇସ୍‌ ତର୍‌ହା ସେ ମେରି ଜିନ୍ଦେଗି ମେ ସାମିଲ୍‌ ହୈ… ଏବଂ ଚାହୁଁଗା ମେ ତୁଝେ ସାଞ୍ଜ୍‌ ସବେରେ…ଭଳି ଗୀତ ସମେତ ମହମ୍ମଦ ରଫିଙ୍କ ବହୁ ସଂଗୀତ ଗାଇ ଶୁଣାଇଥିଲେ। ଏହି ଅବସରରେ ବିଶିଷ୍ଟ ସଂଗୀତ ନିର୍ଦେଶକ ପଦ୍ମଶ୍ରୀ ପ୍ରଫୁଲ୍ଲ କର, ବାଦ୍ୟଶିଳ୍ପୀ ପ୍ରଭାତ କୁମାର ବୋଷଙ୍କୁ ସମ୍ବର୍ଧିତ କରାଯାଇଥିଲା। ବରିଷ୍ଠ ପୁଲିସ୍‌ ଅଧିକାରୀ ଦେବାଶିଷ ପାଣିଗ୍ରାହୀ, ସୁଶାନ୍ତ ନାଥ ଏବଂ ଭାରତ ଉଦ୍ୟୋଗର ଏମ୍‌ଡି ସୁଶାନ୍ତ ପଣ୍ଡା ଅତିଥି ଭାବେ ଯୋଗଦେଇ ପ୍ରତିଭାଙ୍କୁ ପୁରସ୍କୃତ କରିଥିଲେ। ଅନୁ‌ଷ୍ଠାନର ସଭାପତି ଡ. ବୀରକିଶୋର ଦାଶ, ସମ୍ପାଦିକା ସ୍ମିତା ନାୟକ, ଆବାହକ ପୂର୍ଣ୍ଣଚନ୍ଦ୍ର ସାହୁ, ବସନ୍ତ ସାହାଣି ପ୍ରମୁଖ ଉପସ୍ଥିତ ଥିଲେ। ବନ୍ଦିତା ଦାଶ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ମନୋରଂଜନ ରଥ, ଆଶିଷ ପତି ଏବଂ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର