ଏସ୍‌ସିବିରେ ସମାବର୍ତ୍ତନ ଉତ୍ସବ ବିବାଦ

ସମାବର୍ତ୍ତନ ନୁହେଁ ବିଦାୟକାଳୀନ ସମାରୋହ: କର୍ତ୍ତୃପକ୍ଷଙ୍କ ସଫେଇ

କଟକ:ଏସ୍‌ସିବି ମେଡିକାଲ୍‌ କଲେଜ୍‌ରେ ସେରେମୋନିଆଲ ଡ୍ରେସ୍‌ ପିନ୍ଧି ହାଉସ୍‌ ସର୍ଜନ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ମେଡାଲ ଓ ସାର୍ଟିଫିକେଟ୍‌ ପ୍ରଦାନ ଉତ୍ସବକୁ ନେଇ ସୃଷ୍ଟି ହୋଇଥିବା ବିବାଦକୁ ନେଇ ପକ୍ଷ ରଖିଛନ୍ତି କର୍ତ୍ତୃପକ୍ଷ। ସ୍ୱାସ୍ଥ୍ୟ ବିଭାଗ ଏବଂ କୁଳାଧିପତି ତଥା ରାଜ୍ୟପାଳଙ୍କୁ ନଜଣାଇ ଏଭଳି ଉତ୍ସବ ଆୟୋଜନର ବୈଧତାକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ଏହି ଉତ୍ସବ ସହ ଏସସିବି ମେଡିକାଲ୍‌ କଲେଜର କୌଣସି ସଂପର୍କ ନଥିଲା ବୋଲି କହିଛନ୍ତି ଡିନ୍‌ ତଥା ପ୍ରିନ୍‌ସିପାଲ ପ୍ରଫେସର ଡାକ୍ତର ସିଦ୍ଧାର୍ଥ ଦାସ। କାର୍ଯ୍ୟକ୍ରମ ଆୟୋଜନ କରିଥିବା ହାଉସ୍‌ ସର୍ଜନ ଆସୋସିଏସନ୍‌ର ସଭାପତି ଡାକ୍ତର ପ୍ରସନ୍ନଜିତ୍‌ ପଟ୍ଟନାୟକ ବି ଅନୁରୂପ ମତ ରଖିବା ସହ ଏହା ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଥିଲା ଏବଂ ଏହାର ସମସ୍ତ ଖର୍ଚ୍ଚ ଆସୋସିଏସନ୍‌ ବହନ କରିଥିଲା ବୋଲି କହିଛନ୍ତି। ଅତିଥିମାନେ ପିନ୍ଧି ଥିବା ସେରିମୋନିଆଲ ଡ୍ରେସ୍‌ ମଧ୍ୟ ଆସୋସିଏସନ୍‌ ପକ୍ଷରୁ ଭଡ଼ାରେ ଅଣାଯାଇ ଉତ୍ସବ ପାଳନ କରାଯାଇଥିଲା ବୋଲି ଆସୋସିଏସନ୍‌ର ସଭାପତି ସୂଚନା ଦେଇଛନ୍ତି। କିନ୍ତୁ ଏକ ବିଦାୟକାଳୀନ ଉତ୍ସବକୁ ପ୍ରିନସିପାଲ ଏବଂ କୁଳପତିଙ୍କ ଉପସ୍ଥିତିରେ ଏବଂ ସମାବର୍ତ୍ତନ ଉତ୍ସବ ଢଙ୍ଗରେ ପାଳନ କରିବା ଘଟଣା ବିବାଦର ପ୍ରସଙ୍ଗ ହୋଇଛି। ସୂଚନା ଅନୁଯାୟୀ ଏସ୍‌ସିବିରେ ପ୍ରଥମ ଥର ପାଇଁ ହାଉସ୍‌ ସର୍ଜନଙ୍କ ପାଇଁ ଏକ ସ୍ୱତନ୍ତ୍ର ଉତ୍ସବ ପୁରୁଣା ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଥିଲା। ଗଲା ୧୧ ତାରିଖ ଦିନ ଅନୁଷ୍ଠିତ ଏହି ଉତ୍ସବରେ ୨୦୧୨-୧୭ ବ୍ୟାଚ୍‌ର ୧୫୦ ଜଣ କନିଷ୍ଠ ଡାକ୍ତରଙ୍କୁ ଅତିଥିମାନେ ଉପସ୍ଥିତ ରହି ସାର୍ଟିଫିକେଟ୍‌ ଏବଂ ମେଡାଲ୍‌ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ସୌମେନ୍ଦ୍ର ମୋହନ ପଟ୍ଟନାୟକ, ଏସ୍‌ସିବି ମେଡିକାଲ କଲେଜର ଡିନ୍‌ ତଥା ପ୍ରିନ୍‌ସିପାଲ ପ୍ରଫେସର୍‌ ଡାକ୍ତର ସିଦ୍ଧାର୍ଥ ଦାସ, ଅଧୀକ୍ଷକ ପ୍ରଫେସର ଡାକ୍ତର ପ୍ରସନ୍ନ କୁମାର ଦେବତା, ୟୁନିଅନ୍‌ ଆଡ୍‌ଭାଇଜର୍‌ ପ୍ରଫେସର ଡାକ୍ତର ନିରୂପମା ଚଇନି ପ୍ରମୁଖ ଉପସ୍ଥିତ ଥିଲେ। ଉତ୍ସବରେ ଅତିଥିମାନେ ସମାବର୍ତ୍ତନ ଉତ୍ସବ ଭଳିି ଗାଉନ୍‌ ତଥା ପୋଷାକ ପରିଧାନ କରି ମେଡାଲ ଓ ସାର୍ଟିଫିକେଟ୍‌ ପ୍ରଦାନ କରିଥିଲେ। ଏଭଳି କାର୍ଯ୍ୟକ୍ରମ କୁଳାଧିପତିଙ୍କ ବିନା ଅନୁମତିରେ ହୋଇଥିବା ଅଭିଯୋଗ ଆଣି ବିଧାନସଭାରେ ବି ପାଟିତୁଣ୍ଡ ହୋଇଥିଲା। କିନ୍ତୁ ଏଭଳି ଏକ କାର୍ଯ୍ୟକ୍ରମକୁ ସମାବର୍ତ୍ତନ ଉତ୍ସବ ରୂପ ଦେବା ଏବଂ କାର୍ଯ୍ୟକ୍ରମ ଆୟୋଜନରେ ଏସ୍‌ସିବି ମେଡିକାଲ କଲେଜର କୌଣସି ସଂପୃକ୍ତି ନଥିବା ବେଳେ ତାହାକୁ ବିବାଦକୁ ଟାଣିବା ଘଟଣାକୁ ନାପସନ୍ଦ କରିଛନ୍ତି ପ୍ରଫେସର ସିଦ୍ଧାର୍ଥ ଦାସ। ହାଉସ୍‌ ସର୍ଜନ ଆସୋସିଏସନ୍‌ ପକ୍ଷରୁ ସେମାନଙ୍କ ପାଠପଢା ଶେଷ ହେବାପରେ ବିଦାୟକାଳୀନ ଉତ୍ସବ ଓ ବନ୍ଧୁମିଳନ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ହାଉସ୍‌ ସର୍ଜନ ଆସୋସିଏସନ୍‌ର ସଭାପତି ଡାକ୍ତର ପ୍ରସନ୍ନଜିତ୍‌ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ସେହିଭଳି ଉତ୍ସବ ଆୟୋଜନ ସଂପର୍କରେ ହାଉସ୍‌ ସର୍ଜନ ଆସୋସିଏସନ୍‌ର ସଭାପତି ଡାକ୍ତର ପ୍ରସନ୍ନଜିତ୍‌ ପଟ୍ଟନାୟକ କହିଛନ୍ତି ଯେ ଶେଷ ବର୍ଷ ଥିବାରୁ ବିଦାୟକାଳୀନ ଉତ୍ସବ ଆୟୋଜନ କରିଥିଲୁ। କିନ୍ତୁ ଉତ୍ସବରେ କିପରି ଭାବରେ ଅତିଥିମାନେ ସମାବର୍ତ୍ତନ ଉତ୍ସବ ଭଳି ସେରିମୋନିଆଲ ଡ଼୍ରେସ୍‌ ପିନ୍ଧି ମେଡାଲ ଓ ସାର୍ଟିଫିକେଟ୍‌ ପ୍ରଦାନ କଲେ ତାହାକୁ ନେଇ ସେ କହିଛନ୍ତି ଯେ ହାଉସ୍‌ ସର୍ଜନ ଆସୋସିଏସନ୍‌ ପକ୍ଷରୁ ବିଦାୟକାଳୀନ ସମାରୋହକୁ ଭିନ୍ନ ଢଙ୍ଗରେ ପାଳନ କରିବା ପାଇଁ ମେଡାଲ, ଟ୍ରଫି ସହ ଅତିଥିମାନେ ପିନ୍ଧିଥିବା ପୋଷାକ ଭଡାରେ ଆଣି ଏଭଳି ଆୟୋଜନ କରାଯାଇଥିଲା। ଏହାକୁ ନେଇ ବିବାଦ ହେବା ଅନୁଚିତ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର