ଆଗାମୀ ପିଢ଼ି ପାଇଁ ଚିନ୍ତା କରିବାକୁ ପଡ଼ିବ

ଭୁବନେଶ୍ବର : ଜଳବାୟୁ ପରିବର୍ତନ ମାନବକୃତ। ସମସ୍ତଙ୍କ ଉପରେ ଏହାର ପ୍ରଭାବ ପଡ଼ିବ। ଏହି ସମସ୍ୟା କେବଳ ଗୋଟିଏ ଦେଶର ନୁହେଁ, ସମଗ୍ର ବିଶ୍ବର। ଜଳବାୟୁର ପରିବର୍ତନ ଯୋଗୁଁ ପୃଥିବୀରେ ଏହାର ଯଥେଷ୍ଟ ପ୍ରଭାବ ପଡ଼ୁଛି। ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ କୃଷି ଉତ୍ପାଦନଠାରୁ ଆରମ୍ଭ କରି ଜୈବ ବିବିଧତା, ବିପର୍ଯ୍ୟୟ ଭଳି ସମସ୍ୟା ଦେଖା ଦେଉଛି। ଏଭଳି ପରିସ୍ଥିତିରେ ସମସ୍ତେ ଏଥିପାଇଁ ଚିନ୍ତା କରିବା ଆବଶ୍ୟକ। ଆସନ୍ତା ୨୦୨୦ ସୁଦ୍ଧା ଭାରତ ୨୫/୩୦ ପ୍ରତିଶତ ପର୍ଯ୍ୟନ୍ତ ବାୟୁମଣ୍ଡଳକୁ ନିର୍ଗତ କରୁଥିବା ପ୍ରଦୂଷଣକୁ କମ୍ କରିବା ପାଇଁ ସ୍ବେଚ୍ଛାକୃତ ଭାବେ ଘୋଷଣା କରିଛି। ମିଳିତ ଜାତିସଂଘର ପରିବେଶ କାର୍ଯ୍ୟକ୍ରମ ବା ୟୁଏନ୍‌ଇପି ଅନୁସାରେ ଭାରତ ଏ ଦିଗରେ ଯଥେଷ୍ଟ ଅଗ୍ରଗତ କରିଥିବା ସୂଚନା ଦେଇଛି। ଆଗାମୀ ପିଢ଼ିକୁ ନଜରରେ ରଖି ଜଳବାୟୁ ପରିବର୍ତନ ଯୋଗୁଁ ଉପଜୁଥିବା ସମସ୍ୟା ନିରାକରଣ ଦିଗରେ ସମସ୍ତେ ଆଗେଇ ଆସିବା ଦରକାର ବୋଲି ମତ ପ୍ରକାଶ ପାଇଛି।

ଆଜି ଏକାଧିକ ଏନ୍‌ଜିଓ ପକ୍ଷରୁ ହୋଟେଲ ଏକ୍ସଲେନ୍‌ସିରେ ‘ଜଳବାୟୁ ପରିବର୍ତନ ପ୍ରଭାବ ଓ ସ୍ଥାୟୀ ଜୀବିକା’ ସଂପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏମ୍‌ସିସିର କଣ୍ଟ୍ରି ଡିରେକ୍ଟର ଗର୍ଡନ୍ ଜୁକ୍, ପ୍ରଫେସର ଏସ୍‌.ଏନ୍‌ ପାତ୍ରୋ, ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ, ପୂର୍ବତନ ପ୍ରଶାସକ ଅରବିନ୍ଦ ବେହେରା, ଜଳସଂପଦ ବିଭାଗର ଅତିରିକ୍ତ ସଚିବ କମଳ ଲୋଚନ ମିଶ୍ର ଓ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର