ଗ୍ରାମାଞ୍ଚଳରେ ଘାତକ ହେଉଛି କଠିନ ବର୍ଜ୍ୟବସ୍ତୁ

ୟୁନିସେଫ୍‌ର ଆଲୋଚନାଚକ୍ର

ଭୁବନେଶ୍ୱର : ମନୁଷ୍ୟ ପାଇଁ ପ୍ରାଣଘାତକ ହେବାରେ ଲାଗିଛି କଠିନ ବର୍ଜ୍ୟବସ୍ତୁ। ଏହାର ପ୍ରମାଣ ପ୍ରତ୍ୟକ୍ଷ ଭାବରେ ଅନୁଭୂତ ହେଉନଥିବାରୁ ଲୋକେ ସଚେତନ ହେଉନାହାନ୍ତି। ଉପଯୁକ୍ତ ପରିଚାଳନା ପାଇଁ ଆଇନ କାନୁନ୍‌, ସରକାରୀ କାଇଦା କଟକଣା କାଟୁ କରୁନଥିବା ବେଳେ ଆର୍ଥିକ ପୃଷ୍ଠପୋଷକତା ମଧ୍ୟ ସମୁଦ୍ରକୁ ଶଙ୍ଖେ। ଫଳରେ କର୍କଟ ରୋଗ ଭଳି ଏହା ମାଡ଼ି ମାଡ଼ି ଚାଲିଛି। ଜଳବାୟୁ ସହ ଭୂତଳ ଜଳ ଓ ମୃତ୍ତିକାକୁ ଏହି କଠିନ ବର୍ଜ୍ୟବସ୍ତୁ ପ୍ରଭାବିତ କରୁଥିବାରୁ ଅଜାଣତରେ ଲୋକେ ରୋଗାକ୍ରାନ୍ତ ହେଉଛନ୍ତି। କର୍କଟ, ଚର୍ମରୋଗ, ଶ୍ବାସକ୍ରିୟା ରୋଗ, ଋତୁସ୍ରାବରେ ଅନିୟମିତତା ପ୍ରଭୃତି ରୋଗ ଏହି କାରଣରୁ ବଢ଼ି ବଢ଼ି ଚାଲିଛି। ଗ୍ରାମାଞ୍ଚଳ ମଧ୍ୟ ଏହି ସମସ୍ୟାରୁ କମ୍‌ରେ ନାହିଁ। ସଚେତନ ଅଭାବ ସହ କାଇଦା କଟକଣାଠାରୁ ଢେର୍‌ ଦୂର‌‌ରେ ଥିବା ଗ୍ରାମାଞ୍ଚଳ ବିପଦ ଆଡ଼କୁ ଟାଣି ହୋଇଯାଉଛି। ଏଣୁ ସେଠା‌ରେ ଯୁଦ୍ଧକାଳୀନ ଭିତ୍ତିରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଆବଶ୍ୟକତା ରହିଛି। ହୋଟେଲ ମାରିୟନ୍‌ ପରିସରରେ ୟୁନିସେଫ୍ ପକ୍ଷରୁ ଓଡ଼ିଶା ମୁଖ୍ୟ ଡ. ମୋନିକା ନିଲସନ୍‌ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ଆଲୋଚନାଚକ୍ରରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଯୁଗ୍ମ ସଚିବ ସୁବାସ ଚନ୍ଦ୍ର ଦାସ, ଗ୍ରାମୀଣ ଜଳ ଯୋଗାଣ ଓ ନିଷ୍କାସନ ବିଭାଗର ଅଭୟ ବିଶ୍ବାଳ, ମୁମ୍ବାଇ କଠିନ ବର୍ଜ୍ୟବସ୍ତୁ ପରିଚାଳନା ବି‌ଶେଷଜ୍ଞ ପ୍ରମୋଦ ଡବ୍ରାସେ, ୟୁନିସେଫ୍ ୱାସ୍‌ ବିଶେଷଜ୍ଞ(ଓଡ଼ିଶା) ସିପ୍ରା ସକ୍‌ସେନା ପ୍ରମୁଖ ଏପରି ମତ ଦେଇଛନ୍ତି।

ଡ. ମୋନିକା ନିଲସନ୍‌ କହିଥିଲେ, ସ୍ନାୟୁ ସମ୍ବନ୍ଧୀୟ ରୋଗ, ପୁରୁଣା ଶ୍ବାସ ସମ୍ବନ୍ଧୀୟ ରୋଗର ମୁଖ୍ୟ କାରକ ହେଉଛି ମର୍‌କ୍ୟୁରି। ଏହା କଠିନ ବର୍ଜ୍ୟବସ୍ତୁ ପରିଚାଳନ ଅଭାବରୁ ଆମ ଶରୀରକୁ ବିଭିନ୍ନ ଉପାୟରେ ଯାଇଥାଏ। ବର୍ଜ୍ୟବସ୍ତୁ ସଂସ୍ପର୍ଶରେ ଆସିବା ଦ୍ବାରା ସଂକ୍ରମିତ ଘା’ ଜରିଆରେ ଚର୍ମ ଓ ରକ୍ତ ସଂକ୍ରମିତ ହୋଇଥାଏ। ସିପ୍ରା ସକ୍‌ସେନା କହିଲେ, ସହରୀ ସଭ୍ୟତା ଏବେ ଗ୍ରାମାଞ୍ଚ‌ଳରେ ପହଞ୍ଚି ଗଲାଣି। କଦଳୀ ପତ୍ର ନୁହେଁ, ବାହାଘରରେ ଡିସ୍‌ପୋଜେବଲ ଥାଳି, ଗ୍ଲାସ୍‌, ଚାମଚ ବ୍ୟବହାର ହେଲାଣି। ଏହି ବ୍ୟବହାର ବନ୍ଦ କରିବା ସହ ଗ୍ରା‌ମାଞ୍ଚଳର ବର୍ଜ୍ୟବସ୍ତୁର ସଠିକ୍‌ ପୁନଃଚକ୍ରଣ କରାଗଲେ, ତାହା ଏକ ସମ୍ପଦ ହୋଇପାରିବ।

ବିଶେଷଜ୍ଞ ଡବ୍ରାସେ କହିଲେ, ଯେକୌଣସି କଠିନ ବର୍ଜ୍ୟବସ୍ତୁକୁ ଲୋକଙ୍କଠାରୁ ସଂଗ୍ରହ ବ୍ୟବସ୍ଥା କଲେ ବିକଳ୍ପ ପରିଚାଳନା ବ୍ୟବସ୍ଥା ସଫଳ ହୋଇପାରିବ। କଠିନ ବର୍ଜ୍ୟକୁ ୪ଟି ବିଭାଗରେ ବିଭକ୍ତ କରିବା ସହ ପୃଥକୀକରଣ କରି ପରିଚାଳନା କଲେ ଏକ ସୁନ୍ଦର ପୃଥିବୀ ଗଠନ ସମ୍ଭବ। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଯୁଗ୍ମ ସଚିବ ସୁବାସ ଚନ୍ଦ୍ର ଦାସ କହିଲେ, ସରକାର କଠିନ ବର୍ଜ୍ୟବସ୍ତୁ ପରିଚାଳନା ଆଇନ-୨୦୧୬ ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ପ୍ରତି ଜିଲ୍ଲାର ୩ଟି ଲେଖାଏଁ ମୋଟ ୯୦ଟି ପଞ୍ଚାୟତରେ ପାଇଲଟ୍‌ ପ୍ରୋଜେକ୍ଟ ଭାବରେ ଏହି ବ୍ୟବସ୍ଥା କାମ କରିବ। ଆସନ୍ତା ୧ ବର୍ଷ ମଧ୍ୟରେ ଏହି ବର୍ଜ୍ୟବସ୍ତୁ ପରିଚାଳନା ସଫଳ ହେଲେ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ଏହାକୁ କଡ଼ାକଡ଼ି କରାଯିବ। ସାନିଟେସନ ରୁଲ୍‌ ମଧ୍ୟ ଡ୍ରାଫ୍ଟସ୍ତରରେ ରହିଛି। ଏହା କାର୍ଯ୍ୟକ୍ଷମ ହେଲେ ବର୍ଜ୍ୟବସ୍ତୁ ପରିଚାଳନା ନେଇ ଗ୍ରାମାଞ୍ଚଳରେ ସମସ୍ୟା ରହିନପାରେ ବୋଲି ସେ ଆଶା ରଖିଛନ୍ତି।

ସମ୍ବନ୍ଧିତ ଖବର