ଭୁବନେଶ୍ବର: ବିଏମ୍‌ସିର ୪୫ ନମ୍ବର ୱାର୍ଡ ଅନ୍ତର୍ଗତ ବଡ଼ଗଡ଼ ଛକରେ ୫ବର୍ଷ ତଳେ ନିର୍ମାଣ ହୋଇଥିବା ସର୍ବସାଧାରଣ ଶୌଚାଳୟ ଏବେ ଭୂତକୋଠି ପାଲଟିଛି। ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ଶୌଚାଳୟଟି ଏବେ ଲୋକଙ୍କ କାମରେ ଆସୁନି। ଉପରକୁ ଫଳକଟି ସମ୍ପୂର୍ଣ୍ଣ ଚକାଚକ୍‌ ଦେଖାଯାଉଥିବା ବେଳେ ଭିତରେ ଲାଗିଥିବା ଜିନିଷ ସବୁ ଭାଙ୍ଗିରୁଜି ଗଲାଣି। ବିଏମ୍‌ସିର ଦୂରଦୃଷ୍ଟି ଅଭବାରୁ ଏହି ଲୋକାଭିମୁଖୀ ପ୍ରକଳ୍ପର ଭାଗ୍ୟ ଏଭଳି ହୋଇଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି।

Advertisment

ବ୍ୟବହାରରେ ଆସୁନି ଶୌଚାଳୟ
ବିଏମ୍‌ସିର ଦୂରଦୃଷ୍ଟି ଅଭାବ
ପାଣିରେ ପଡ଼ିଲା ୧୩ଲକ୍ଷ

ସୂଚନା ଅନୁସାରେ, ୨୦୧୭ ଜୁଲାଇ ୨୦ରେ ଏହାକୁ ଉଦ୍‌ଘାଟନ କରାଯାଇଥିଲା। ୧୩ ଲକ୍ଷ ୫୦ହଜାର ଟଙ୍କା ବ୍ୟୟ ଏହାକୁ ନିର୍ମାଣ କରାଯାଇଥିଲା। ପାଖାପାଖି ବର୍ଷେ କାଳ ଘରୋଇ ସଂସ୍ଥା ଏହାକୁ ଠିକାସୂତ୍ରରେ ନେଇଥିଲା। ହେଲେ ଏହା ଲୋକମାନଙ୍କ ବ୍ୟବହାରରେ ଆସିଲାନି। ଏଇ ଶୌଚାଳୟଟି ଗାଁ ମୁଣ୍ଡରେ ହୋଇଥିବା ବେଳେ ଏଠି ଦେକାନ କରିଥିବା ଅଧିକାଂଶ ବ୍ୟବସାୟୀ ହେଉଛନ୍ତି ଗ୍ରାମବାସୀ। ଯେଉଁ ହାତଗଣତି କୋତୋଟି ଦୋକାନ ରହିଲା, ସେମାନେ ହାଟ ଭିତରେ ଥିବା ଏକ ଶୌଚାଳୟକୁ ବ୍ୟବହାର କରୁଛନ୍ତି। ଫଳରେ ଏହି ଶୌଚାଳୟଟି ସଂପୂର୍ଣ୍ଣ ବ୍ୟବହାର ଅନୁପଯୋଗୀ ହୋଇ ପଡ଼ିରହିଛି। ତେଣୁ ଆର୍ଥିକ କ୍ଷତିରୁ ବର୍ତ୍ତିବା ପାଇଁ ଠିକା ସଂସ୍ଥା ମଧ୍ୟ ପୁର୍ନବାର ଟେଣ୍ଡର୍‌ ନେଇ ନଥିବା ଜଣାପଡ଼ିଛି।

ସ୍ଥାନୀୟ ବାସିନ୍ଦାଙ୍କ କହିବାନୁସାରେ, ଏହି ଶୌଚାଳୟର କୌଣସି ଆବଶ୍ୟକତା ନଥିଲା। ବିଏମ୍‌ସି ପକ୍ଷରୁ ଅତ୍ୟନ୍ତ ବେପରୁଆ ଭାବେ ଏହି ପ୍ରକଳ୍ପଟି ନିର୍ମାଣ କରାଯାଇଛି। କାରଣ ଏଠାରେ ଥିବା ଦୋକାନୀମାନଙ୍କ ଘର ଏଇ ଗାଁରେ ହୋଇଥିବାରୁ ସେମାନେ ସ୍ନାନ, ଶୌଚ ପାଇଁ ନିଜ ଘରକୁ ନଯାଇ ଏଠି ଟଙ୍କା କାହିଁକି ଯିବେ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।

ଏ ସଂର୍ପକରେ କର୍ପୋରେଟର୍‌ ଅମରେଶ ଜେନା କହିଛନ୍ତି, ଏହି ପ୍ରକଳ୍ପ ଏବେ ଲୋକଙ୍କ କାମରେ ଆସୁନି। ଆଗାମୀ ଦିନରେ ମଧ୍ୟ ଏହା କୌଣସି କାମରେ ଆସିବନି। ତେଣୁ ବିଏମ୍‌ସି ପକ୍ଷରୁ ଏହାକୁ ସଂପୂର୍ଣ୍ଣ ଉଚ୍ଛେଦ କରି ଦିଆଯାଉ। ନଚେତ ସେଠାରେ ଏକ କଲ୍ୟାଣ ମଣ୍ଡପ ଥିବାରୁ ଏହି ଶୌଚାଳୟକୁ କଲ୍ୟାଣ ମଣ୍ଡପ ସହ ଯୋଡ଼ି ଦିଆଯାଉ।

publive-image

ଉଲ୍ଲେଖ‌ଯୋଗ୍ୟ, ବିଭିନ୍ନ ସ୍ଥାନରେ କର୍ପୋରେଟର୍‌ମାନେ ନିଜ ସ୍ବାର୍ଥସାଧନ ପାଇଁ ଅନାବଶ୍ୟକ ଭାବେ ନିଜ ଶାସନ କାଳ ଭିତରେ ବିଏମ୍‌ସି ରାଜସ୍ବ ଟଙ୍କାରେ ଏକାଧିକ ପ୍ରକଳ୍ପ ନିର୍ମାଣ କରି ଦେଉଛନ୍ତି। କିନ୍ତୁ ପରବର୍ତ୍ତୀ ସମୟରେ ତାହା ‌କୌଣସି କାମରେ ଆସୁନି ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି। ତେଣୁ ଆଗାମୀ ଦିନରେ ହେଉଥିବା ପ୍ରକଳ୍ପକୁ ନିର୍ମାଣ କଲା ବେଳେ ସ୍ଥାନୀୟ ଲୋକଙ୍କ ମତାମତ ଲୋଡ଼ିବା ସହ ପାରିପାର୍ଶ୍ବିକ ପରିସ୍ଥିତିକୁ ଭଲ ଭାବେ ଯାଞ୍ଚ କରାଯାଉ ବୋଲି ସେମାନେ ଦାବି କରିଛନ୍ତି।