ଆଜି ସ୍ବାୟତ୍ତ ଶାସନ ଦିବସ: ମାଳମାଳ ପ୍ରକଳ୍ପ, ଅଧାରୁ ଅଧିକ ଅଚଳ

ଭୁବନେଶ୍ୱର: ଆସନ୍ତାକାଲି ସ୍ବାୟତ୍ତ ଶାସନ ଦିବସ। ଗତବର୍ଷ ଭଳି ଏଥର ବି ନିରାଡ଼ମ୍ବର ସହକାରେ ଏହି ଦିବସକୁ ପାଳନ କରିବା ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି)। ପୂର୍ବ ଭଳି ଆଡ଼ମ୍ବରପୂର୍ଣ୍ଣ ଉଦ୍‌ଘାଟନ କିମ୍ବା ଶିଳାନ୍ୟାସ ହେବାର କାର୍ଯ୍ୟକ୍ରମ ନାହିଁ। ମହାମାରୀ କରୋନା ପାଇଁ କେବଳ ପତାକା ଉତ୍ତୋଳନରେ ସୀମିତ ରହିବ ବିଏମ୍‌ସି କାର୍ଯ୍ୟକ୍ରମ। ତେଣୁ ପୂର୍ବ ଭଳି ଏଥର ଏହି ସ୍ବତନ୍ତ୍ର ଦିବସ ପାଳନ ଅବସରରେ ରାଜଧାନୀ ଉତ୍ସବମୁଖର ହେବ ନାହିଁ। ବର୍ଷକୁ ଥରେ ବିଏମ୍‌ସି ପାଇଁ ଆସୁଥିବା ସ୍ବତନ୍ତ୍ର ଉତ୍ସବ ଏଥର ବି ଫିକା ପଡ଼ିଯିବ।
ରାଜ୍ୟର ଅନ୍ୟ ସମସ୍ତ ପୌରସଂସ୍ଥା ଓ ମହାନଗର ନିଗମ ତୁଳନାରେ ବିଏମ୍‌ସି ସବୁଠାରୁ ଆଗରେ।

ରାଜସ୍ବ ଆଦାୟ, ରାଜଧାନୀବାସୀଙ୍କ ପାଇଁ ବହୁମୁଖୀ ଯୋଜନା, ସବୁଥିରେ ଆଗରେ ବିଏମ୍‌ସି। ଏଇଥିପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଠାରୁ ବାହାବା ସାଉଁଟେ ବିଏମ୍‌ସି। ତେଣୁ ବେଶ୍‌ ଆଡମ୍ବର ସହକାରେ ସ୍ବାୟତ୍ତ ଶାସନ ଦିବସକୁ ବିଏମ୍‌ସି ପାଳନ କରେ। ଏହି ସ୍ବତନ୍ତ୍ର ଦିବସ ଅବସରରେ ରାଜଧାନୀରେ ତିନିଦିନିଆ ଉତ୍ସବ ପାଳନ କରାଯାଏ। ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ହୁଏ। କିନ୍ତୁ କରୋନା ପାଇଁ ଦୁଇ ବର୍ଷ ହେବ କୌଣସି ପ୍ରକଳ୍ପର ଶିଳାନ୍ୟାସ କିମ୍ବା ଉଦ୍‌ଘାଟନ ହେଉନାହିଁ। କୌତୁହଳପ୍ରଦ କଥା ହେଉଛି, ତିନି ବର୍ଷ ତଳେ ଏହି ସ୍ବତନ୍ତ୍ର ଦିବସରେ ବିଏମ୍‌ସି ଶିଳାନ୍ୟାସ କରି ଯେଉଁ ସବୁ ପ୍ରକଳ୍ପର ଗୋଲାପି ସ୍ବପ୍ନ ଦେଖାଇଥିଲା, ସେଥିମଧ୍ୟରୁ ଅନେକ କେବଳ ଫଳକ ପୋତାରେ ରହିଯାଇଛି। ଯେଉଁ ହାତ ଗଣତି କେତୋଟି ପ୍ରକଳ୍ପ ସଂପୂର୍ଣ୍ଣ ହୋଇଛି, ସେସବୁ ବ୍ୟବହାର ଉପଯୋଗୀ ହୋଇନାହିଁ। ଅଳ୍ପ କିଛି କାର୍ଯ୍ୟକ୍ରମ ଲୋକଙ୍କ ହିତରେ ଲାଗିଛି। ତେଣୁ ସ୍ବାୟତ୍ତ ଶାସନ ଦିବସ ପାଳନକୁ ନେଇ ରାଜଧାନୀବାସୀଙ୍କ ମନରେ ସ୍ପୃହା ନାହିଁ ବୋଲି ଚର୍ଚ୍ଚା ହେଉଛି। ବରଂ ଏହି ଉତ୍ସବ ପାଳନ କରି ଅଯଥା ରାଜକୋଷ ଖାଲି କରାଯାଉଥିଲା ବୋଲି ଆଲୋଚନା ହେଉଛି।

ବରିଷ୍ଠ ନାଗରିକ ଚିତ୍ତ ବିନୋଦନ କେନ୍ଦ୍ର: ୨୦୧୬ ମସିହା ସ୍ବାୟତ୍ତ ଶାସନ ଦିବସ ଅବସରରେ ୫ନମ୍ବର ୱାର୍ଡ ଚକେଇସିଆଣିଠାରେ ବରିଷ୍ଠ ନାଗରିକଙ୍କ ପାଇଁ ଏକ ଚିତ୍ତବିନୋଦନ କେନ୍ଦ୍ରର ଶିଳାନ୍ୟାସ ହୋଇଥିଲା। ତତ୍କାଳୀନ ମନ୍ତ୍ରୀ ଉଷା ଦେବୀ ଏହାର ଶିଳାନ୍ୟାସ କରିଥିଲେ। ଭିତ୍ତିପ୍ରସ୍ତର ଫଳକରେ ମନ୍ତ୍ରୀଙ୍କ ସମେତ ବିଧାୟକ, ମେୟର, କର୍ପୋରେଟରଓ ଅନ୍ୟାନ୍ୟ ପ୍ରାୟ ୨୦ଜଣ ବ୍ୟକ୍ତି ବିଶେଷଙ୍କର ନାମ ଥିଲା। ବରିଷ୍ଠ ନାଗରିକମାନେ ଏଠାରେ ମନଖୁସିରେ ଅବସର ସମୟ କାଟିବା ଲାଗି ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ପଡ଼ିଥିଲା। କିନ୍ତୁ ଏବେ ୫ ବର୍ଷ ପରେ ଉକ୍ତ ଭିତ୍ତିପ୍ରସ୍ତର ଫଳକ ଭାଙ୍ଗିରୁଜି ଗଲାଣି ପଛେ ସେଠି ଇଟା ଖଣ୍ଡେ ପଡ଼ିପାରିଲା ନାହିଁ। ଏହି ୱାର୍ଡରେ ୨୪ ଏକର ସରକାରୀ ଜମି ଥାଇ ବି ଏହି ପ୍ରକଳ୍ପ ପାଇଁ ଜମି ଖୋଜୁଛି ବିଏମ୍‌ସି। ପ୍ରତିବର୍ଷ ସ୍ବାୟତ୍ତ ଶାସନ ଦିବସ ଆସୁଛି ଓ ବରିଷ୍ଠ ନାଗରିକମାନେ ଏହି ପ୍ରକଳ୍ପ କଥା ମନେ ପକାଉଛନ୍ତି।

ଭିଏସ୍‌ଏସ୍‌ ନଗରରେ ଡେ’ କେୟ‌ାର ସେଣ୍ଟର
ଘର ଭଳି ଶିଶୁମାନଙ୍କ ଯତ୍ନ ନେବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଥିବା ସ୍ଥାନଟି ହେଉଛି ବିଏମ୍‌ସିର ଡେ’କେୟାର ସେଣ୍ଟର। ଭିଏସ୍‌ଏସ୍‌ ନଗରରେ ଏଭଳି ଏକ ସ୍ବତନ୍ତ୍ର କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ୨୦୧୬ ମସିହାରେ ବିଏମ୍‌ସି ପକ୍ଷରୁ ଶିଳାନ୍ୟାସ ହୋଇଥିଲା। କିନ୍ତୁ ୫ ବର୍ଷ ପରେ ବି ଅଞ୍ଚଳବାସୀଙ୍କୁ ବିଏମ୍‌ସି ଦେଖାଇଥିବା ଏହି ସୁନେଲି ସ୍ବପ୍ନ ସେମିତି ସ୍ବପ୍ନରେ ରହିଯାଇଛି। ପ୍ରତିବର୍ଷ ସ୍ବାୟତ୍ତ ଶାସନ ଦିବସ ଆସୁଛି ଓ ଭିଏସ୍‌ଏସ୍‌ନଗରବାସୀ ଡେ’ କେୟାର୍‌ ସେଣ୍ଟର କଥା ଭାବି ହେଉଛନ୍ତି।
ଅଚଳ ଅବସ୍ଥାରେ ନୂଆ ଶ୍ମଶାନ ଓ କବରସ୍ଥାନ
୨୦୧୬ ମସିହା‌ରେ ଵାର୍ଡ ନମ୍ବର ୨ର ବନଫୁଲ ବସ୍ତିରେ ଏକ କବରସ୍ଥାନର ଶିଳାନ୍ୟାସ କରାଯାଇଥିଲା। ୨୦୧୯ ସୁଦ୍ଧା ଏହା ନିର୍ମାଣ କାମ ସରିଥିଲା। ହେଲେ ଆଜି ପର୍ଯ୍ୟନ୍ତ ଲୋକାର୍ପଣ ହେଲାନି। ରାଜଧାନୀରେ କବରସ୍ଥାନ ଅଭାବ ପାଇଁ ଲୋକେ ସମସ୍ୟାରେ ପଡ଼ୁଥିଲେ ବି ଏହି ନୂଆ ପ୍ରକଳ୍ପଟି ଅଚଳ ଅବସ୍ଥାରେ ପକାଇ ରଖାଯାଇଛି। ଠିକ୍‌ ସେହିଭଳି ଗାଡ଼କଣରେ ଏକ ନୂଆ ଶ୍ମଶାନ ନିର୍ମାଣ ହୋଇସାରିଛି। କିନ୍ତୁ କାର୍ଯ୍ୟକ୍ଷମ ହୋଇନଥିବାରୁ ଏବେ ଏହାକୁ ବଣଜଙ୍ଗଲ ଘେରି ଗଲାଣି। ଶବଦାହ ପାଇଁ ରାଜଧାନୀବାସୀ ଘୋର୍‌ ସମସ୍ୟାରେ ପଡ଼ୁଥିଲେ ବି ରାଜକୋଷରୁ ବ୍ୟୟ ହୋଇଥିବା ଅର୍ଥ ଅଚଳ ହୋଇ ପଡ଼ିଛି।

ଜଙ୍ଗଲ ପାଲଟିଛି ଶିଶୁ ଉଦ୍ୟାନ
୨୦୧୬ ମସିହାରେ ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ଏକ ଶିଶୁ ଉଦ୍ୟାନ ଶିଳାନ୍ୟାସ ହୋଇଥିଲା। ୨୦୨୦ ବେଳକୁ ଏହାର ନିର୍ମାଣ ସରିଥିଲା ଓ କାର୍ଯ୍ୟକ୍ଷମ ହୋଇଥିଲା। ହେଲେ ଏହାର ରକ୍ଷଣାବେକ୍ଷଣ ଓ ଯତ୍ନ ନିଆନଯିବାରୁ ଏହା ଏବେ ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି। କେବଳ ଦୋଳିକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଶିଶୁ କ୍ରୀଡ଼ା ସରଞ୍ଜାମ ଭାଙ୍ଗି ଯାଇଛି। ମଦ୍ୟପଙ୍କ ଆଡ଼ାସ୍ଥଳ ପାଲଟିଥିବା ଏହି ଉଦ୍ୟାନର ସବୁଆଡ଼େ ମଦ ବୋତଲ, ସିଗାରେଟ୍‌ ଓ ଦିଆସିଲି ଖୋଳ ବିଛାଡ଼ି ହୋଇପଡ଼ିଛି। ବିଏମ୍‌ସି ଏତେ ସୁନ୍ଦର ପ୍ରକଳ୍ପକୁ କ’ଣ ମଦ୍ୟପଙ୍କ ପାଇଁ ନିର୍ମାଣ କରିଥିଲା ବୋଲି ସାଧାରଣରେ ପ୍ରଶ୍ନ ହେଉଛି।
ବିଏମ୍‌ସିର ସଫଳତା
ଅନେକ ବିଫଳତା ସତ୍ତ୍ବେ ବିଏମ୍‌ସିର କିଛି ସଫଳ କାହାଣୀ ବି ଅଛି। ଆବର୍ଜନାରୁ ପ୍ରସ୍ତୁତ ହେଉଥିବା ‘ମୋ ଖତ’ ଏକ ସଫଳ ପ୍ରକଳ୍ପ। ଆବର୍ଜନାର ସୁବିନିଯୋଗ ସହ ବିଏମ୍‌ସିର ଆୟ ବୃଦ୍ଧି ଓ ମହିଳାଙ୍କୁ ସ୍ବାବଲମ୍ବୀ କରିବାରେ ଏହି ପ୍ରକଳ୍ପ ପ୍ରଶଂସନୀୟ ହୋଇପାରିଛି। ସେହିଭଳି କିନ୍ନରମାନଙ୍କୁ ହୋଲ୍ଡିଂ ଟାକ୍ସ ଆଦାୟ ଓ ପାର୍କିଂ ସ୍ଥାନରେ କର୍ମସଂସ୍ଥାନ ଯୋଗାଇ ବିଏମ୍‌ସି ଏକ ମାଇଲ୍‌ ଖୁଣ୍ଟ ସ୍ଥାପନ କରିଛି। ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ରାଜଧାନୀର ସମସ୍ତ ହସ୍‌ପିଟାଲକୁ ଆଇଏସ୍‌ଓ ମାନ୍ୟତା ମିଳିବା ବି ଅନ୍ୟ ଏକ ସଫଳତା ବୋଲି କୁହାଯାଉଛି। ସେହିଭଳି ‘ମୁକ୍ତା’ ଯୋଜନାରେ ୧୭୦୦ ବର୍ଷା ଜଳ ଅମଳ ପ୍ରକଳ୍ପ ତିଆରି କରି ବିଏମ୍‌ସି ରାଜ୍ୟ ତାଲିକାର ଶୀର୍ଷ ସ୍ଥାନ ଅକ୍ତିଆର କରିଛି। କୋଭିଡ୍‌ ଟିକାକରଣରେ ଧାର୍ଯ୍ୟ ଅବଧି ପୂର୍ବରୁ ଶତ ପ୍ରତିଶତ ଟିକାକରଣ କରି ବିଏମ୍‌ସି ଦେଶରେ ନୂଆ ରେକର୍ଡ ସ୍ଥାପନ କରିଛି।

ଭାଙ୍ଗିଦେଲେ, କିଛି କଲେ ନାହିଁ
ଭାଙ୍ଗିଦେଲେ, ହେଲେ କିଛି କଲେ ନାହିଁ। ଯେଉଁସ୍ଥାନ କଲ୍ୟାଣ ମଣ୍ଡପ ପାଇଁ ସବୁବେଳେ ଚଳଚଞ୍ଚଳ ହୋଇ ଉଠିଥିଲା। ସଭା ଠାରୁ ଆରମ୍ଭ କରି ଉତ୍ସବ କରାଯାଇ ବିଏମ୍‌ସି ରାଜସ୍ବ ଆଦାୟ କରୁଥିଲା। ଏବେ ତାହା ବଣ ଜଙ୍ଗଲରେ ପରିଣତ ହୋଇଯାଇଛି। ନୂଆପଲ୍ଲୀ ୱାର୍ଡ ନଂ-୩୯ରେ ଭୁବନେଶ୍ବର ମହାନଗର ନିଗମର ମୁଖ୍ୟ କାର୍ଯ୍ୟାଳୟ ନିର୍ମାଣ ପାଇଁ କଲ୍ୟାଣ ମଣ୍ଡପକୁ ଭାଙ୍ଗି‌ଦେଲେ। ଆଉ ମହାନଗର କାର୍ଯ୍ୟାଳୟ ନିର୍ମାଣ ପାଇଁ ୩କୋଟି ୩୩ଲକ୍ଷ ବ୍ୟୟ ଅଟକଳ କରାଗଲା। ୨୦୧୬ ମସିହାରେ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କଲେ। ହେଲେ କିଛିଦିନ ପରେ ବିଏମ୍‌ସି କାର୍ଯ୍ୟାଳୟକୁ ସତ୍ୟନଗରକୁ ସ୍ଥାନାନ୍ତର କରାଗଲା। ଇତି ମଧ୍ୟରେ ୫ବର୍ଷ ବିତିଯାଇଥିଲେ ମଧ୍ୟ ସେଠାରେ ନା ହେଲା ବିଏମ୍‌ସି କାର୍ଯ୍ୟାଳୟ ନା କଲ୍ୟାଣ ମଣ୍ଡପ ନା ଅନ୍ୟକୌଣସି ପ୍ରକଳ୍ପ। ବିଭିନ୍ନ ଉତ୍ସବ ପାଇଁ କଲ୍ୟାଣ ମଣ୍ଡପ ଉପରେ ନିର୍ଭର କରୁଥିବା ସ୍ଥାନୀୟଲୋକ ବାରମ୍ବାର ଦାବି କରିଥିଲେ ବି କଲ୍ୟାଣ ମଣ୍ଡପ କରାଗଲା ନାହିଁ। ତେବେ କାହିଁକି କଲ୍ୟାଣ ମଣ୍ଡପକୁ ଭଙ୍ଗା ଗଲା, ତାହା ଏବେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଲକ୍ଷ୍ମୀସାଗର ଐତିହ୍ୟ ତୋରଣ ପ୍ରହସନ
ଲକ୍ଷ୍ମୀସାଗର ଛକରେ ନିର୍ମାଣ ହୋଇଥାଆନ୍ତା ଐତିହ୍ୟ ତୋରଣ। ସ୍ଥାନୀୟ ଲୋକଙ୍କୁ ଅନେକ ସ୍ବପ୍ନ ଦେଖାଇଲେ। ଆଉ ୨୦୧୮ ମସିହାରେ ପୂର୍ବତନ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ଭିତ୍ତିପ୍ରସ୍ତର ସ୍ଥାପନ କଲେ। ହେଲେ ୩ ବର୍ଷ ବିତି ଯାଇଥିଲେ ବି ତୋରଣ ତ ଦୂରର କଥା ସେଠି ଇଟା ଖଣ୍ଡେ ବି ଯୋଡ଼େଇ ହୋଇନି।

ହୋଇପାରିଲାନି ଆର୍‌ଡି ଫୁଟ୍‌ ଓଭରବ୍ରିଜ୍‌
ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ସମ୍ମୁଖରେ ଛାତ୍ରୀମାନେ ରାସ୍ତାପାର୍‌ ହେବା ବେଳେ ଅନେକ ସମୟରେ ଦୁର୍ଘଟଣା ଘଟୁଥିବାରୁ ଅସନ୍ତୋଷ ଦେଖାଦେଇଥିଲା। ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ ପାଇଁ ଛାତ୍ରୀମାନେ ଦାବି କରି ରାସ୍ତାରୋକ କଲେ। ଫୁଟ୍‌ ଓଭରବ୍ରିଜ୍‌ ହେବ ବୋଲି ସରକାର ସ୍ଥିର କଲେ। ଆଉ ଖୋଦ୍‌ ମୁଖ୍ୟମନ୍ତ୍ରୀ ସ୍ବାୟତ୍ତ ଶାସନ ଦିବସରେ ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ ନେଇ ଶିଳାନ୍ୟାସ କଲେ। ହେଲେ ପାଖାପାଖି ୯ ବର୍ଷ ବିତିଯାଇଥିଲେ ବି ଏପର୍ଯ୍ୟନ୍ତ ଫୁଟ୍‌ ଓଭରବ୍ରିଜ୍‌ ହୋଇପାରିଲା ନାହିଁ। ପ୍ରଥମେ ଏହା ଆର୍‌ଡି ବିଶ୍ବବିଦ୍ୟାଳୟର ମୁଖ୍ୟ ଫାଟକରୁ ମହାବୀର ମାର୍କେଟ୍‌ କମ୍ପ୍ଲେକ୍ସ ମଧ୍ୟରେ ହେବାର ଥିଲା। ପରେ ଏହାର ପ୍ଲାନ୍‌କୁ ବଦଳାଇ ଏକ ଘରୋଇ ସପିଂ ମଲ୍‌ ନିକଟରେ କରିବାକୁ ଯୋଜନା କରାଯାଇଥିଲା। ଯାହାକୁ ନେଇ ଆରମ୍ଭ ହୋଇଥିଲା ବିବାଦ।
କୁଆଡ଼େ ଗଲା ଶୌଚାଳୟ?
ୱାର୍ଡ ନଂ-୩୦ ସଦିଦନଗର ମାର୍କେଟ୍‌ ଆଖପାଖ ଅଞ୍ଚଳରେ ଶୌଚାଳୟ ନଥିବାରୁ ସମସ୍ୟା ଦେଖାଦେଇଥିଲା। ତେଣୁ ନନ୍ଦନକାନନ ଉଦ୍ଭିଦ ଉଦ୍ୟାନ କାର୍ଯ୍ୟାଳୟ ସମ୍ମୁଖରେ ଏକ ଅତ୍ୟାଧୁନିକ ଶୌଚାଳୟ ନିର୍ମାଣ ପାଇଁ ଜମି ଚିହ୍ନଟ ହୋଇଥିଲା। ୨୦୧୬ ମସିହାରେ ଶିଳାନ୍ୟାସ କରାଗଲା। ହେଲେ ପରବର୍ତ୍ତୀ ସମୟରେ ସେଠାରୁ ଫଳକ ଉଠାଇ‌ ଫୋପାଡ଼ି ଦିଆଗଲା। ସେଠାରେ ବହୁମୁଖୀ ପାର୍କିଂ କରାଗଲା। ଅଥଚ ଏପର୍ଯ୍ୟନ୍ତ ଶୌଚାଳୟ ହୋଇପାରିଲା ନାହିଁ।

 

ସମ୍ବନ୍ଧିତ ଖବର