ସରିଲା ଟେଡ୍ଡି ଡେ’ : ଆଜି ପରସ୍ପରକୁ ପ୍ରତିଶ୍ରୁତି ଦେବାର ଦିନ

ଭୁବନେଶ୍ୱର : ଆଜି ସରିଛି ଭାଲେଣ୍ଟାଇନ୍‌ ସପ୍ତାହର ଚତୁର୍ଥ ଦିନ ଟେଡ୍ଡି ଡେ’। ଆସନ୍ତାକାଲି ପରସ୍ପରକୁ ପ୍ରତିଶ୍ରୁତି ଦେବାର ଦିନ ଅର୍ଥାତ୍‌ ପ୍ରୋମିଜ୍‌ ଡେ’। ଏହି ଦିନରେ ଉଭୟ ପରସ୍ପରକୁ ପ୍ରତିଶ୍ରୁତି ଦେଇ ଜୀବନ ସାରା ବାଟ ଚାଲିବାକୁ ଶପଥ ନେଇଥାନ୍ତି। କେବଳ ପ୍ରେମିକ ପ୍ରେମିକା ନୁହନ୍ତି ସ୍ୱାମୀ- ସ୍ତ୍ରୀ, ସାଙ୍ଗସାଥୀ ସମସ୍ତେ ସଂପର୍କକୁ ଜୀବନ ତମାମ ଦୃଢ଼ ରଖିବା ପାଇଁ ଶପଥ ନିଅନ୍ତି। ସଂର୍ପକକୁ ମଜବୁତ କରିବା ପାଇଁ ଉତ୍ସର୍ଗୀକୃତ ଏହି ପ୍ରୋମିଜ ଡେ’। ଆସନ୍ତାକାଲି ଏହି ଦିବସକୁ ପାଳନ କରିବା ପାଇଁ ରାଜଧାନୀରେ ବେଶ ଉତ୍ସାହ ଦେଖିବାକୁ ମିଳିଛି। ନିଜ ଭଲପାଉଥିବା ମଣିଷ ସହ ନିରୋଳାରେ କିଛି ସମୟ କାଟିବା ପାଇଁ ସମସ୍ତେ ନିଜ ମନ ପସନ୍ଦର ସ୍ଥାନ ବାଛି ସାରିଲେଣି। କିଏ କୋଳାହଳଠାରୁ ବାହାରକୁ ଯିବାକୁ ଯୋଜନା କରିଛନ୍ତି ତ ପୁଣି କିଏ ସହର ଭିତରେ ନିଜ ପସନ୍ଦର ସ୍ଥାନ ବାଛି ନେଇଛନ୍ତି।

ଭାଲେଣ୍ଟାଇନ ସପ୍ତାହର ଚତୁର୍ଥ ଦିନ ଅର୍ଥାତ ଟେଡ୍ଡି ଡେ’ ଆଜି ବେଶ ଧୁମ୍‌ଧାମରେ ପାଳନ ହୋଇଥିଲା। ସାଧାରଣତଃ ଝିଅମାନେ ଟେଡ୍ଡିକୁ ବେଶ ପସନ୍ଦ କରନ୍ତି। ସେଥିପାଇଁ ପ୍ରେମିକାକୁ ଟେଡ୍ଡି ଦେଇ ମନାଇବାର ସୁଯୋଗକୁ ପ୍ରେମିକମାନେ ହାତଛଡ଼ା କରି ନ ଥିଲେ। ଯୁବପିଢ଼ିଙ୍କ ଚାହିଦାକୁ ନଜରରେ ରଖି ବଜାରରେ ରଙ୍ଗବେରଙ୍ଗର ଟେଡ୍ଡି ରହିଥିଲା ଗିଫ୍ଟ ଦୋକାନରେ। ବିଶେଷକରି ‘ଆଇ ଲଭ୍‌ ୟୁ’ କହୁଥିବା ଟେଡ୍ଡିର ଅଧିକ ଚାହିଦା ଦେଖିବାକୁ ମିଳିଥିଲା। ଯେହେତୁ କିଛି ସଂଗଠନ ଭାଲେଣ୍ଟାଇନ ଡେ’ ପାଳନକୁ ବିରୋଧ କରୁଛନ୍ତି ସେଥିପାଇଁ ଖୋଲାଖୋଲି ଭାଲେଣ୍ଟାଇନ୍‌ ସପ୍ତାହରେ କୌଣସି କାର୍ଯ୍ୟକ୍ରମ ଆୟୋଜନ କରାଯାଉ ନାହିଁ। କିନ୍ତୁ ଏହି ସପ୍ତାହଟି ନିଜ ନିଜ ବାଟେରେ ସେଲିବ୍ରେସନ୍‌ କରିବାର ସୁଯୋଗକୁ କେହି ହାତଛଡ଼ା କରୁନାହାନ୍ତି।

‘ସ୍ୱାଭିମାନ’ରୁ ଆରମ୍ଭ ଅନିଷା ଓ ମଣ୍ଟୁଙ୍କ ପ୍ରେମ କାହାଣୀ

ଭୁବନେଶ୍ୱର : ‘ସ୍ୱାଭିମାନ’ ସିରିଏଲରେ ଆଗଧାଡ଼ିର ଅଭିନେତା ଓ ଅଭିନେତ୍ରୀ ହେଉଛନ୍ତି ଅନିଷା ଓ ମଣ୍ଟୁ। ସେମାନେ ମଧ୍ୟ ସଫଳ ପ୍ରେମୀଯୁଗଳ। ଚଳିତବର୍ଷ ଭାଲେଣ୍ଟାଇନ ଡେ’ ଓ ଶିବରାତ୍ରି ଏକାସାଙ୍ଗରେ ପଡ଼ୁଥିବାରୁ ଅନିଷା ଓ ମଣ୍ଟୁ ଚିନ୍ତାରେ ପଡ଼ିଛନ୍ତି। ସେହିଦିନ ମଧ୍ୟ ମଣ୍ଟୁଙ୍କ ଜନ୍ମଦିନ। ଗୋଟିଏ ଦିନରେ ଏସବୁ ପଡ଼ୁଥିବାରୁ ଦୁହେଁ କ’ଣ କରିବେ ନିଷ୍ପତ୍ତି ନେଇପାରି ନାହାନ୍ତି। ଭାଲେଣ୍ଟାଇନ ଡେ’ର ପ୍ରୋଗ୍ରାମ ତା ପୂର୍ବ ଦିନ ସ୍ଥିର କରାଯିବ।

ସେହିଦିନ ତରଙ୍ଗ ଚ୍ୟାନେଲ୍‌ରେ ଗୋଟେ ସୋ’ ଥିବାରୁ ଭାଲେଣ୍ଟାଇନର କିଛି ମୁହୂର୍ତ୍ତ ଆମେ ସେଠାରେ କାଟିବୁ ବୋଲି ବୋଲି କହିଛନ୍ତି ଅନିଷା। ଆମ ଭଲପାଇବା ‘ସ୍ୱାଭିମାନ’ ସିରିଏଲରୁ ଆରମ୍ଭ ହୋଇଥିଲା ଓ ପରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲୁ। ପରସ୍ପର ପରସ୍ପରକୁ ଭଲ ପାଉଥିଲେ ବି ବିବାହ କରିବୁ ବୋଲି ଜାଣି ନ ଥିଲୁ। ଆମ ଭଲ ପାଇବା ସଫଳ ହୋଇଥିଲା ଓ ପରେ ଆମେ ବିବାହ କଲୁ। ଦୁହେଁ ବିତାଉଥିବା ସବୁ ସମୟକୁ ଆମେ ଆମର ଅନୁଭୂତି ବୋଲି ଭାବି ନେଇଥାଉ। ବାହାଘର ପୂର୍ବରୁ ଏହି ଦିନଗଡ଼ିକୁ ବହୁତ ସେଲିବ୍ରେଟ୍‌ କରିଛୁ। ବାହାଘର ପରେ ଲାଗୁଛି ଆମେ ବହୁତ ବଡ଼ ହୋଇଗଲୁଣି । କାଲି ପ୍ରୋମିଜ ଡେ’ ହୋଇଥିବାରୁ ମୁଁ ମୋ ସ୍ୱାମୀଙ୍କୁ ସବୁବେଳେ ଖୁସିରେ ରଖିବି ବୋଲି ପ୍ରତିଶ୍ରୁତି ଦେବି। ସାଧାରଣତଃ ଦେଖାଯାଏ ସ୍ତ୍ରୀମାନେ ତାଙ୍କ ସ୍ୱାମୀଙ୍କୁ ଖୁସି ରଖିବାରେ କେଉଁଠି ନା କେଉଁଠି ଫେଲ ମାରନ୍ତି କିନ୍ତୁ ମୁଁ ତାଙ୍କୁ ଖୁସି ରଖିବାର ସବୁ ପ୍ରକାର ଚେଷ୍ଟା କରିବି ବୋଲି ଅନିଷା କହିଛନ୍ତି।

ସମ୍ବନ୍ଧିତ ଖବର