ଭୁବନେଶ୍ବର: ବିନା ଓସି(ଅକ୍ୟୁପାନ୍‌ସି ସାର୍ଟିଫିକେଟ୍‌)ରେ ଫ୍ଲାଟ୍‌ ଓ ବିନା ଲେଆଉଟ୍‌ ପ୍ଲାନ୍‌ରେ ବିକ୍ରି ହେଉଛି ଜମି। ଏହା ଅତି ସାଧାରଣ କଥା ହୋଇଛି। ସମସ୍ତେ ସବୁ ଜାଣୁଛନ୍ତି ହେଲେ କାହା ଉପରେ କାର୍ଯ୍ୟାନୁଷ୍ଠାନ ହେଉନି। ମୋଟା ଅଙ୍କରେ ହାତଗୁଞ୍ଜା କାରବାର ଏହି ବେପାରକୁ ପ୍ରୋତ୍ସାହିତ କରୁଛି। ଅତି ସାଧାରଣ ଭାଷାରେ କହିବାକୁ ଗଲେ ଏହି କାରବାରରେ ଅଧିକାରୀମାନେ ‘କଞ୍ଚା ପଇସା’ ରୋଜଗାର କରୁଛନ୍ତି। ଯେଉଁଥିପାଇଁ ପ୍ରମୋଟର ଓ ବିଲ୍ଡରମାନେ ମନମାନି କରୁଛନ୍ତି। ରାସ୍ତା, ନଳା, ବିଦ୍ୟୁତ୍‌, ସ୍ବେରେଜ୍‌ ଭଳି ମୌଳିକ ସୁବିଧା ଦେଉନାହାନ୍ତି। ଗୋଟିଏ ପଟେ ବିଲ୍ଡର ଓ ଅଧିକାରୀ ମାଲେମାଲ୍‌ ହେଉଥିବା ବେଳେ ରାଜଧାନୀରେ ଘରଟିଏ ପାଇ ଖୁସି ଥିବା ସାଧାରଣ ଲୋକଟିଏ ବର୍ଷବର୍ଷ ଧରି ଯମଯନ୍ତ୍ରଣା ଭୋଗୁଛି। ଅନେକ ସମୟରେ ଜନପ୍ରତିନିଧିମାନେ ମଧ୍ୟ ଆକ୍ରୋଶର ଶିକାର ହେଉଛନ୍ତି। ତେବେ ଆଉ ନୁହେଁ, ଏଭଳି ଅଭିଯୋଗ ଆସିଲେ ବିଲ୍ଡରଠାରୁ ଅର୍ଥ ଆଦାୟ କରି ଲୋକଙ୍କୁ ମୌଳିକ ସୁବିଧା ବା ଭିତ୍ତଭୂମି ଯୋଗାଇ ଦେବାକୁ ବିଏମ୍‌ସି ନିଷ୍ପତ୍ତି ନେଇଛି। 

Advertisment

ବିଭିନ୍ନ ସମୟରେ ବିଏମ୍‌ସିରେ ଗଦା ହୋଇଥିବା ଏଭଳି ଅଭିଯୋଗର ଅନୁଧ୍ୟାନ କଲାବେଳେ ଏକାଧିକ ବିଲ୍ଡର ବିଏମ୍‌ସିର ତାଲିକାଭୁକ୍ତ ହୋଇଛନ୍ତି। ଯେଉଁମାନେ ଲୋକଙ୍କୁ ଘର ବିକି ଦେଇଛନ୍ତି, କିନ୍ତୁ ରାସ୍ତା ଓ ନଳା ଭଳି ସୁବିଧା ଦେଇ ନାହାନ୍ତି। ଏଭଳି ତାଲିକାର ଶୀର୍ଷରେ ରହିଛି ୱାର୍ଡ ନଂ-୪ ସ୍ଥିତ ଭାରତଭିଲ୍ଲା ବିଲ୍ଡର। ଏଠାରେ ୫୦ରୁ ଅଧିକ ଘର ତିଆରି କରି ବିଲ୍ଡର ଲୋକଙ୍କୁ ବିକ୍ରି କରିଛି। କିନ୍ତୁ ରାସ୍ତା, ନାଳ, ବିଦ୍ୟୁତ୍, ସ୍ବେରେଜ୍ ସୁବିଧା ନାହିଁ। ଫଳରେ ପ୍ରତ୍ୟେକ ଦିନ ଅଭିଯୋଗ ଆସୁଛି। ଅନେକ ମାନସମନ୍ଥନ ପରେ ବା ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ବିଏମ୍‌ସି ଏଠାରେ ଏହି ସବୁ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ଆବଶ୍ୟକ ହେଉଥିବା ଅର୍ଥ ସମ୍ପୃକ୍ତ ବିଲ୍ଡର ଠାରୁ ଆଦାୟ କରିବାକୁ ପ୍ଲାନିଂ ଆଣ୍ଡ ଡେଭଲପ୍‌ମେଣ୍ଟ ଷ୍ଟାଣ୍ଡିଂ କମିଟି ନେଇଥିବା ନିଷ୍ପତ୍ତିକୁ କର୍ପୋରେସନ ସ୍ବୀକୃତି ମିଳିଛି। ଏହିଭଳି ୭ଟି ପ୍ରକଳ୍ପ ଏଯାବତ୍‌ ବିଏମ୍‌ସିର ତାଲିକାଭୁକ୍ତ ହୋଇଥିବା ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି। ଯେଉଁ ସର୍ତ୍ତରେ ପ୍ଲାନ୍‌ ଦିଆଯାଉଛି ତାହା ପାଳନ ହେଲା କି ନାହିଁ ବିଏମ୍‌ସିର ପ୍ଲାନିଂ ସେକ୍ସନ ଯାଞ୍ଚ କରୁନାହିଁ। 

ମୌଳିକ ସୁବିଧା ପାଉନାହାନ୍ତି ଲୋକ
ଆଦାୟ ହେବ ଖର୍ଚ୍ଚ ହେବାକୁ ଥିବା ଅର୍ଥ
ବିନା ଓସିରେ ବିକ୍ରି ହେଉଛି ଘର

ସେହିଭଳି ଲୋକମାନଙ୍କୁ ମୌଳିକ ସୁବିଧା ନଯୋଗାଇ କେତେକ ବିଲ୍ଡର ବିନା ଓସିରେ ଘର ବିକ୍ରି କରିଦେଉଛନ୍ତି। ଅଭିଯୋଗ ପରେ ଖୋଳତାଡ଼ ହେଉହେଉ ବିଚିତ୍ର ତଥ୍ୟ ପଦାକୁ ଆସିଛି। ଅନୁମୋଦିତ ପ୍ଲାନ୍‌ ଅନୁସାରେ ମାତ୍ର ୮ରୁ ୧୦ ପ୍ରତିଶତ କୋଠା ନିର୍ମାଣ ହୋଇଛି। ପ୍ଲାନ୍‌ ଅନୁସାରେ ହୋଇ ନଥିବାରୁ ଓସି ପ୍ରଦାନ କରିବା ସମ୍ଭବ ହେଉନାହିଁ। ଏଥିପାଇଁ ମଧ୍ୟ ଲକ୍ଷ ଲକ୍ଷଟଙ୍କା ହାତଗୁଞ୍ଜା କାରବାର ଅଭିଯୋଗ ହୋଇଛି। ଏଥର ମେୟର ଓ ପ୍ଲାନିଂ ଆଣ୍ଡ ଡେଭଲପ୍‌ମେଣ୍ଟ ଷ୍ଟାଣ୍ଡିଂ କମିଟି ଦ୍ୱାରା ଏକ୍ସଟର୍ନାଲ୍‌ ଇନ୍‌ଫ୍ରାଷ୍ଟ୍ରକ୍‌ଚର୍‌ ଡେଭ୍‌ଲପ୍‌ମେଣ୍ଟ ପ୍ଲାନ୍‌(ଇଆଇଡିପି) ଅନୁମୋଦନ ପରେ ଚୂଡ଼ାନ୍ତ ଆପତ୍ତି ବିହୀନ ପ୍ରମାଣପତ୍ର(ଏନ୍‌ଓସି) ଓ ଓସି ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଅନ୍ୟପଟେ, କେବଳ ପ୍ରମୋଟର ନୁହନ୍ତି, ବରଂ କେତେକ ବ୍ୟକ୍ତି ନିଜ ଜମିକୁ ବିନା ଲେଆଉଟ୍‌ ପ୍ଲାନ୍‌ରେ ବିକ୍ରି କରୁଛନ୍ତି। ରାସ୍ତା, ନାଳ ଆଦି ସୁବିଧା ଯୋଗାଇଦେବାକୁ ଅତିରିକ୍ତ ଅର୍ଥ ମଧ୍ୟ ନେଉଛନ୍ତି। କିନ୍ତୁ ବିକ୍ରି କରିସାରିବା ପରେ ଆଉ ଲୋକଙ୍କ ଅସୁବିଧା ବୁଝୁନାହାନ୍ତି। ଏଣୁ ଲେଆଉଟ୍‌ ପ୍ଲାନ୍‌ ଅନୁମୋଦନ ନଥିଲେ ଜାଗା ନକିଣିବା ପାଇଁ ଖବରକାଗଜ ମାଧ୍ୟମରେ ବିଜ୍ଞାପନ ପ୍ରକାଶ କରିବାକୁ ନିଷ୍ପତ୍ତି ହୋଇଛି। 
ବିଏମ୍‌ସି ପ୍ଲାନିଂ ସେକ୍ସନ ଦୁର୍ନୀତିରେ ବୁଡ଼ିଥିବା ଅଭିଯୋଗ ହୋଇଛି। ବିଏମ୍‌ସି ଅଞ୍ଚଳରେ ଦିଆଯାଉଥିବା ପ୍ଲାନ୍‌ ମଧ୍ୟରୁ ଅର୍ଦ୍ଧାଧିକରେ ସର୍ବନିମ୍ନ ସର୍ତ୍ତକୁ ଉପେକ୍ଷା କରାଯାଇଥିବା ଅଭିଯୋଗ ହୋଇଛି। ଆଇନଜୀବୀ ଦେବାଶିଷ ଦାସଙ୍କ ଅଭିଯୋଗ ହେଉଛି, ଯେଉଁ ସର୍ତ୍ତରେ ପ୍ଲାନ୍‌ ଅନୁମୋଦନ ହେଉଛି ସେ ସର୍ତ୍ତ ପୂରଣ ହେଲା କି ନାହିଁ ତାହା ପରବର୍ତ୍ତୀ ସମୟରେ ଯାଞ୍ଚ କରାଯାଉନାହିଁ। ଏଣୁ କେତେକ ହାତଗଣତି ବିଲ୍ଡରଙ୍କୁ ଛାଡ଼ିଦେଲେ କୌଣସି ନିର୍ମାଣରେ ପ୍ଲାନ୍‌ର ସର୍ତ୍ତ ପୂରଣ ହେଉନାହିଁ। ବିଏମ୍‌ସିରେ ଟାଉନ୍‌ ପ୍ଲାନର ଦାୟିତ୍ବରେ ଜଣେ ଅଧସ୍ତନ କର୍ମଚାରୀ ରହିଛନ୍ତି। ସରକାର ଜଣେ ପ୍ଲାନର୍‌ଙ୍କୁ ବିଏମ୍‌ସିରେ ନିଯୁକ୍ତି ଦେଇଥିଲେ ମଧ୍ୟ ତାଙ୍କୁ ବିଏମ୍‌ସି ପ୍ଲାନ୍‌ ଅନୁମୋଦନ ଦାୟିତ୍ବ ଦେଲାନାହିଁ। ପ୍ଲାନ୍‌ ଅନୁମୋଦନ କାରବାରରେ ହୋଇଥିବା କେଳେଙ୍କାରୀ ଧରାପଡ଼ିବା ଭୟରେ ଏଭଳି କରାଯାଇଥିଲା। ପ୍ରଥମେ ବିଏମ୍‌ସି‌ରେ ଚାଲିଥିବା ଦୂର୍ନୀତି ବନ୍ଦ କରନ୍ତୁ, ପରେ ବିଲ୍ଡର ଠାରୁ ଅର୍ଥ ଆଦାୟ କଥା କର୍ତ୍ତୃପକ୍ଷ ଚିନ୍ତା କରିବେ ବୋଲି ସେ କହିଛନ୍ତି।