ଭୁବନେଶ୍ୱର: ଜୋର୍ଡାନ୍‌ର ଏକ ପ୍ରତିଷ୍ଠିତ ସିଲେଇ କମ୍ପାନିରେ ସଫଳତାର ସହ ୩ ବର୍ଷ କାମ କରି ଓଡ଼ିଶା ଫେରିଥିବା ୭ ଯୁବତୀଙ୍କୁ ଆଜି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଓର୍‌ମାସ୍‌ ପକ୍ଷରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେମାନେ ହେଲେ ରିନି ନାୟକ, ମିନି ନାୟକ, ପି. ରୀନା ଡୋରା, ସନ୍ତୋଷୀ ତରେହି, ଝିଲି ସାହୁ, ସୁଷମା ଶବର ଓ ଆରତି ପ୍ରଧାନ। ଓଡ଼ିଶାର ଅପହଞ୍ଚ ଗ୍ରାମାଞ୍ଚଳରୁ ଜୋର୍ଡାନ ପର୍ଯ୍ୟନ୍ତ ଯାତ୍ରା ଓ ସଫଳତା ପାଇଁ ସେମାନେ ଅନ୍ୟମାନଙ୍କ ଲାଗି ପ୍ରେରଣା ବୋଲି କୁହାଯାଇଛି।

Advertisment

ସୂଚନାଯୋଗ୍ୟ ଯେ ଏହି ଯୁବତୀମାନେ ଓଡ଼ିଶା ସରକାରଙ୍କ ଓର୍‌ମାସ୍ ସହଯୋଗରେ ଆଇଡିଆଲ୍ ଏଜୁକେସନ୍ ପ୍ରା. ଲିମିଟେଡ୍‌ରେ ଡିଡିୟୁଜିକେୱାଇ ସିଲେଇ ଟ୍ରେନିଂ ନେଇଥିଲେ। ୩ ମାସିଆ ସିଲେଇ ତାଲିମ୍ ପରେ ସେମାନଙ୍କୁ ଅନ୍‌ ଜବ୍‌ ଟ୍ରେନିଂ ମଧ୍ୟ ଦିଆଯାଇଥିଲା। ଟ୍ରେନିଂ ଶେଷ ପରେ ମୁମ୍ବାଇର ଟ୍ରେଡ୍ସମ୍ୟାନ୍ କମ୍ପାନି ସହଯୋଗରେ ସେମାନଙ୍କୁ ଜୋର୍ଡାନ୍‌ର ଏକ ପ୍ରତିଷ୍ଠିତ କ୍ଲାସିକ୍ ସିଲେଇ କମ୍ପାନିରେ ଚାକିରି ସୁଯୋଗ ଦିଆଯାଇଥିଲା। ଜୋର୍ଡାନରେ ୩ ବର୍ଷ ଚାକିରି କରିବା ପାଇଁ ସେମାନେ ଚୁକ୍ତି କରିଥିଲେ। ଏହି ୩ ବର୍ଷ ମଧ୍ୟରେ ସେମାନେ ଖାଇବା ପିଇବା ଓ ରହଣି ଖର୍ଚ୍ଚ ବାଦ୍‌ ପ୍ରାୟ ୧୦ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି ଏବଂ ଚୁକ୍ତି ଅବଧି ସରିବା ପରେ ଓଡ଼ିଶା ଫେରିଛନ୍ତି। ଏମାନେ ଇଛା କଲେ ପୁଣି ଥରେ ଜୋର୍ଡାନ ଯାଇ କାମ କରିପାରିବେ ବୋଲି କମ୍ପାନି ତରଫରୁ କୁହାଯାଇଛି। ଏମାନେ ଜୋର୍ଡାନରୁ ଆସି ଓଡ଼ିଶାରେ ପହଞ୍ଚିବା ପର୍ଯ୍ୟନ୍ତ ଉକ୍ତ କମ୍ପାନିର ଅଧିକାରୀମାନେ ସବୁପ୍ରକାର ସହଯୋଗ କରିଥିଲେ। ମାଗଣା ତାଲିମ ସହ ବିଦେଶରେ ଚାକିରି କରିବାର ସୁଯୋଗ ମିଳିଥିବାରୁ ଏହି ଯୁବତୀମାନେ ଓଡ଼ିଶା ସରକାରଙ୍କ ଓରମାସ୍ ଏବଂ ଆଇଡିଆଲ୍ ଏଜୁକେସନ୍‌କୁ ପ୍ରଶଂସା କରିଛନ୍ତି।