ଭୁବନେଶ୍ବର: ଚିଲି, ନେଦରଲାଣ୍ଡ, ସ୍ପେନ୍‌, ଇଂଲଣ୍ଡ, ମାଲେସିଆ, ବେଲଜିୟମ୍‌, କୋରିଆ ଭଳି ହକି ବିଶ୍ବକପ୍‌ରେ ଭାଗ ନେଇଥିବା ଦେଶର ଅନ୍ତର୍ଜାତୀୟ ଖେଳାଳି ନେଇପାରିବେ ଓଡ଼ିଶା ମିଲେଟ୍‌ର ମଜା। କ୍ରୀଡ଼ା ବିଭାଗ ମାଧ୍ୟମରେ ମିଲେଟ୍ ମିସନ ପକ୍ଷରୁ ୭୨୦ଟି ଉପହାର ଦିଆଯାଇଛି। ବିଶ୍ବକପ ହକିରେ ଭାଗ ନେଉଥିବା ସମସ୍ତ ଟିମ୍‌ର ଖେଳାଳି ଏବଂ ଅଫିସିଆଲଙ୍କ ଉଦ୍ଦେଶ୍ୟରେ ରହିଛି। ଆକର୍ଷଣୀୟ ପ୍ୟାକେଟ୍‌ରେ ମାଣ୍ଡିଆ ବିସ୍କୁଟ, ଚକଲେଟ୍, ମିକ୍ସଚର୍‌, କୁରୁମା ସହ ମାଣ୍ଡିଆ, ସୁଆଁ ଏବଂ କାଙ୍ଗୁ ରହିଛି।

Advertisment

ଦୁଇ ଦିନ ପରେ ଅର୍ଥାତ୍‌ ୧୨ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ମିଲେଟ୍ ଆଉଟଲେଟ୍‌ ଖୋଲିବ। ସକାଳ ୭ରୁ ରାତି ପର୍ଯ୍ୟନ୍ତ ଖୋଲିବ। ବିଶ୍ବକପରେ ଭାଗ ନେଉଥିବା ଖେଳାଳି ଏବଂ ଦର୍ଶକ ଏହା ଖାଇପାରିବେ। ମିସନ ଶକ୍ତି ପକ୍ଷରୁ ପରିଚାଳିତ ଏହି ଆଉଟଲେଟ୍‌ରେ ମାଣ୍ଡିଆ ଗୁପଚୁପ, ମାଣ୍ଡିଆ ବାଦାମ ପକୋଡ଼ା, ମାଣ୍ଡିଆ ସୁପ, ଚାଓମିନ୍‌, କାଙ୍ଗୁ ଚାଉଳ, କୋଦ ଚାଉଳ ସମେତ ୩୮ଟି ଆଇଟମ୍‌ ରହିଛି। ଚା’, କଫି ବ୍ୟତୀତ ଅନ୍ୟ କୌଣସି ଅଣ ମିଲେଟ୍‌ ଖାଦ୍ୟ ରହିବ ନାହିଁ। ମିଲେଟ୍ ଜାତୀୟ ଖାଦ୍ୟର ପ୍ରଚାରପ୍ରସାର ପାଇଁ ଉଭୟ ରାଉରକେଲା ଏବଂ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ବ୍ୟାନର୍‌ ଲଗା ଯାଇଛି। ପ୍ରଚାର ପାଇଁ ବିଶ୍ବକପ୍‌ ଯେଉଁ ଜିଲ୍ଲାରେ ପହଞ୍ଚୁଛି, ସେଠାରେ ମଧ୍ୟ ଅସ୍ଥାୟୀ ମିଲେଟ୍ ଷ୍ଟଲ ଖୋଲାଯାଉଛି। ଏହି ଅବସରରେ ମିଲେଟ୍‌ ଜାତୀୟ ଖାଦ୍ୟକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରଚାରପତ୍ର ବଣ୍ଟା ଯାଉଛି।