ଭୁବନେଶ୍ବର : ରାଜ୍ୟ ମନ୍ତ୍ରିମଣ୍ଡଳର ସବୁ ମନ୍ତ୍ରୀ ଇସ୍ତଫା ଦେଇସାରିଛନ୍ତି। ଆଜି ପୂର୍ବାହ୍ନରେ ନୂଆ ମନ୍ତ୍ରୀମାନେ ଶପଥ ନେବେ। ନୂଆ ମନ୍ତ୍ରିମଣ୍ଡଳରେ ଖୋର୍ଦ୍ଧା ଜିଲ୍ଲାରୁ ଏକମାତ୍ର ମନ୍ତ୍ରୀ ଭାବେ ଅଶୋକ ଚନ୍ଦ୍ର ପଣ୍ଡା ସ୍ଥାନ ପାଇବାକୁ ଯାଉଛନ୍ତି। ୨୦୧୪ ମସିହାରୁ ଲଗାତର ନବୀନଙ୍କ ବିଶ୍ବାସଭାଜନ ହୋଇ ନିଜ ମନ୍ତ୍ରୀ ପଦ ବଜାୟ ରଖିଛନ୍ତି ଅଶୋକ। ଏଥର ସେ ପଦୋନ୍ନତି ପାଇ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେବା ସ୍ପଷ୍ଟ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଗୁଡ୍ବୁକ୍ରେ ସେ ଏବେ ବି ଅଛନ୍ତି ବୋଲି ପ୍ରମାଣିତ କରିବା ସହ ଜିଲ୍ଲା ରାଜନୀତିରେ ନିଜ ପତିଆରା ଜାହିର କରିବାରେ ସକ୍ଷମ ହୋଇଛନ୍ତି।
କେନ୍ଦ୍ର ସରକାରଙ୍କ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇ ଅଶୋକ ୨୦୦୯ ମସିହାରେ ଭୁବନେଶ୍ବର ଏକାମ୍ରରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ଏହା ପର ଠାରୁ ଲଗାତର ତିନି ଥର ସେଠାରୁ ସେ ପ୍ରତିନିଧିତ୍ବ କରୁଛନ୍ତି। ୨୦୧୪ ମସିହାରୁ ସେ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇ ଆସୁଛନ୍ତି। ୨୦୧୯ ମସିହାରେ ସେ ନବୀନଙ୍କ ପଞ୍ଚମ ପାଳିରେ ସେ ଦ୍ବିତୀୟ ଥର ପାଇଁ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏଥର ତାଙ୍କ ଠାରୁ କନିଷ୍ଠ ମନ୍ତ୍ରୀଙ୍କୁ କ୍ୟାବିନେଟ୍ରେ ସ୍ଥାନ ମିଳିଥିଲେ ମଧ୍ୟ ତାଙ୍କୁ କ୍ୟାବିନେଟ୍ ପାହ୍ୟା ମିଳି ନ ଥିଲା। ଏହାକୁ ନେଇ ରାଜନୈତିକ ମହଲରେ ଭିନ୍ନ ଭିନ୍ନ ଚର୍ଚ୍ଚା ହୋଇଥିଲା। ତେବେ ଏଥର ସେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେବା ସହ କ୍ଷମତା କରିଡର୍ରେ ତାଙ୍କର ଗୁରୁତ୍ବ ବଢ଼ିଛି ବୋଲି ପ୍ରମାଣିତ କରିଛନ୍ତି।
ଖୋର୍ଦ୍ଧା ଜିଲ୍ଲାରେ ଆଉ ତିନି ଜଣ ଜ୍ୟୋତିରିନ୍ଦ୍ରନାଥ ମିତ୍ର, ରାଜେନ୍ଦ୍ର ସାହୁ ଓ ଅରବିନ୍ଦ ଢାଲି ବରିଷ୍ଠ ବିଧାୟକ ହୋଇଥିବାରୁ ସେମାନଙ୍କ ନାମ ମଧ୍ୟ ମନ୍ତ୍ରୀ ପଦ ପାଇଁ ଚର୍ଚ୍ଚାରେ ରହିଥିଲା। କିନ୍ତୁ ଅଶୋକ ତାଙ୍କ ସ୍ଥାନ ବଜାୟ ରଖି ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ଟାଣିଛନ୍ତି। ବିଭିନ୍ନ ପାରିପାର୍ଶ୍ବିକ କାରଣରୁ ଅଶୋକଙ୍କୁ ବଦଳାଇବାକୁ ମୁଖ୍ୟମନ୍ତ୍ରୀ ଚାହି ନାହାନ୍ତି। ପ୍ରଥମତଃ ମୁଖ୍ୟମନ୍ତ୍ରୀଙ୍କ ଖାସ୍ ଅନୁଗତ ଭାବେ ଅଶୋକ ଜଣାଶୁଣା। ରାଜନୈତିକ କ୍ୟାରିୟର୍ର ଆରମ୍ଭରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ତାଙ୍କର ଆନୁଗତ୍ୟ ହିଁ ବିଜେଡି ରାଜନୀତିରେ ତାଙ୍କ ସ୍ଥିତିକୁ ସୁଦୃଢ଼ କରିଛି। ଦ୍ବିତୀୟତଃ ୮ ବର୍ଷ ଧରି ସେ ମନ୍ତ୍ରୀ ଥିଲେ ମଧ୍ୟ ଜିଲ୍ଲାର କୌଣସି ବିଧାୟକ ତାଙ୍କ ବିରୋଧରେ ଯାଇ ନାହାନ୍ତି। ବରଂ ବିଧାୟକମାନଙ୍କୁ ନେଇ ସେ କାମ କରି ନିଜ ସାଂଗଠନିକ ଦକ୍ଷତା ଦେଖାଇଛନ୍ତି। ଏପରିକି ବିଜେଡିର ଭୁବନେଶ୍ବର ଜିଲ୍ଲା ସଭାପତି ଭାବେ ମଧ୍ୟ ସଫଳତାର ସହ ଦାୟିତ୍ବ ତୁଲାଇଛନ୍ତି।
ଆଉ ଏକ ରାଜନୈତିକ ଦୃଷ୍ଟିକୋଣରୁ ଅଶୋକଙ୍କ ପଦୋନ୍ନତିକୁ ଗୁରୁତ୍ବ ଦିଆଯାଉଛି। ଗତ କିଛି ଦିନ ହେଲା ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍ କରୁଛନ୍ତି। ଆଉ ସାଂସଦଙ୍କୁ କଡ଼ା ଜବାବ ଦେବା ପାଇଁ ଅଶୋକ ହିଁ ଆଗକୁ ଆସୁଛନ୍ତି। ଏପରିକି ବିନ୍ଦୁସାଗର ନିକଟରେ କେନ୍ଦ୍ର ମନ୍ତ୍ରୀଙ୍କ ଏକ ସଭାରେ ଅଶୋକ ସିଧାସଳଖ ସାଂସଦଙ୍କୁ ଟାର୍ଗେଟ୍ କରିଥିଲେ। ତେଣୁ ଭୁବନେଶ୍ବରରେ ବିଜେପି ତଥା ଅପରାଜିତାଙ୍କୁ ମୁକାବିଲା କରିବାକୁ ଅଶୋକଙ୍କ ଉପରେ ବିଜେଡି ଅଧିକ ଭରସା କରିଛି।
ରାଜ୍ୟ ସରକାରଙ୍କର ଏବେ ଫୋକସ୍ରେ ରହିଛି ଲିଙ୍ଗରାଜ ମନ୍ଦିରର ପାରିପାର୍ଶ୍ବିକ ବିକାଶ। ପୁରୀ ପରି ଭୁବନେଶ୍ବରରେ ମଧ୍ୟ ବିରୋଧର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ଏହାର ଆଭାସ ମଧ୍ୟ ମିଳିସାରିଲାଣି। ଏପରିକି କେନ୍ଦ୍ର ସରକାର ଲିଙ୍ଗରାଜ ମନ୍ଦିର ଆଇନ ଅଧ୍ୟାଦେଶକୁ ଫେରାଇ ଦେଇଥିଲେ। କିନ୍ତୁ ଏହି ପ୍ରକଳ୍ପକୁ ସଫଳ କରାଇବାକୁ ସରକାର ଚାହୁଁଛନ୍ତି। ତେଣୁ ସ୍ଥାନୀୟ ବିଧାୟକ ତଥା ଲିଙ୍ଗରାଜ ମହାପ୍ରଭୁଙ୍କ ସେବାୟତ ଭାବେ ଅଶୋକଙ୍କର ଏଥିରେ ଏକ ବଡ଼ ଭୂମିକା ରହିବ। ଅଶୋକଙ୍କୁ ମନ୍ତ୍ରୀ ପଦରେ ରଖିବା ପଛରେ ଏହା ମଧ୍ୟ ଆଉ ଏକ କାରଣ ବୋଲି ଚର୍ଚ୍ଚା ହେଉଛି। ରବିବାର ଅଶୋକ ଶପଥ ନେଉଥିବା ସମ୍ପର୍କରେ ଆଜି ସନ୍ଧ୍ୟାରେ ଜଣାପଡ଼ିଲା ପରେ ବହୁ ସମର୍ଥକ ତାଙ୍କ ବାସଭବନରେ ପହଞ୍ଚି ଶୁଭେଚ୍ଛା ଜଣାଇଛନ୍ତି।