ସମ୍ପତ୍ତି ଲୋଭରେ ମା’କୁ ହତାଦର!

ବୃଦ୍ଧାକାଳେ ଗଲେ କଚେରି

ଖଣ୍ଡଗିରି : ବୟସ ୯୦ ଛୁଇଁଲାଣି। ମଶାଣିକୁ ବାଟ ଖୋଜିଲେଣି। କିନ୍ତୁ ଏ ବୟସରେ ବି ତାଙ୍କୁ କଚେରି ଦୁଆର ଦେଖିବାକୁ ପଡ଼ିଲା। କୌଣସି ବାହାର ଲୋକ ସହ ଆଇନଗତ ଲଢ଼େଇ ପାଇଁ ନୁହେଁ; ଅନ୍ତଫାଡ଼ି ଜନ୍ମ ଦେଇଥିବା ବଡ଼ ପୁଅ ସହ। ଭାଇମାନଙ୍କ ଭିତରେ ସମ୍ପତ୍ତି ବଣ୍ଟାକୁ ନେଇ ଦେଖା ଦେଇଥିବା ବିବାଦ ପାଇଁ ବିଚରା ବୁଢ଼ୀ ଲୋକଙ୍କୁ ଏବେ ଧାଇଁବାକୁ ପଡ଼ୁଛି ଥାନା ଓ କଚେରି। କଥାଟି ଏୟାର୍‌ଫିଲ୍ଡ ଥାନା ପଞ୍ଚୁପଲ୍ଲୀ ଅଞ୍ଚଳରେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି।

ଘଟଣାଟି ଏମିତି; ପଞ୍ଚୁପଲ୍ଲୀ ଗାଁର ସ୍ୱର୍ଗତ ବୈରାଗୀ ନିଶଙ୍କଙ୍କ ସ୍ତ୍ରୀ ଲତାମଣି। ତିନି ପୁଅର ଜନନୀ। ବଡ଼ ପୁଅ ଗୁଣନିଧି ଅବସରପ୍ରାପ୍ତ ବାୟୁସେନାର କର୍ମଚାରୀ ଓ ଗୁଡ଼ଗାଓଁରେ ରହନ୍ତି। ସାନ ପୁଅ ବିବେକାନନ୍ଦ ରାଉରକେଲାରେ ପ୍ରତିଷ୍ଠିତ। ମଝିଆ ପୁଅ ପୂର୍ଣ୍ଣଚନ୍ଦ୍ର ମା’ଙ୍କ ସହ ଗାଁରେ ରହୁଛନ୍ତି। ବଡ଼ ଓ ସାନ ପୁଅ ଚାକିରି କରି ବାହାରକୁ ଚାଲିଯିବା ପରେ ମା’ ଲତାମଣିଙ୍କୁ ଧରି ପୂର୍ଣ୍ଣଚନ୍ଦ୍ର ଘରର ସମସ୍ତ ବନ୍ଧୁବାନ୍ଧବ ପଚରାଲୋଡ଼ା କରି ଆସିଛନ୍ତି। ତେଣୁ ବଡ଼ ଓ ସାନ ଦୁଇ ଭାଇ ସମ୍ପତ୍ତିରୁ ଭାଗ ନେବେ ନାହିଁ ବୋଲି ପୂର୍ବରୁ କହିଥିଲେ। ସମ୍ପତ୍ତି ସେମିତି ବାପାଙ୍କ ନାମରେ ହିଁ ଥିଲା। ଏବେ କିନ୍ତୁ ଦୁଇ ଭାଇ ସମ୍ପତ୍ତିରୁ ଭାଗ ନେବା ପାଇଁ ଦାବି କରୁଛନ୍ତି। ଫଳରେ ବିବାଦ ସୃଷ୍ଟି ହୋଇଛି।

ସମସ୍ତ ସମ୍ପତ୍ତିକୁ ତିନି ଭାଇଙ୍କ ଭିତରେ ବାଣ୍ଟିବାକୁ ସେମାନେ ଦାବି କରୁଥିବା ବେଳେ ମା’ଙ୍କୁ ମଧ୍ୟ ସମାନ ଭାଗ ମିଳିବା ଉଚିତ୍‌ ଓ ସମ୍ପତ୍ତିକୁ ୪ ଭାଗ କରିବାକୁ ମଝିଆ ଭାଇ ପୂର୍ଣ୍ଣ ଦାବି କରୁଛନ୍ତି। ବିବାଦ ପ୍ରଥମେ ଗାଁ ଭଦ୍ରଲୋକଙ୍କ ନିକଟରେ ଉପସ୍ଥାପନ ହୋଇଥିଲା। ମାତ୍ର କୌଣସି ସମାଧାନ ନ ହେବାରୁ ଥାନା ଓ ଏବେ କୋର୍ଟକୁ ଯାଇଛି। ସମ୍ପତ୍ତି ବଣ୍ଟା ପୂର୍ବରୁ ବଡ଼ ପୁଅ ଗୁଣନିଧି ଏକ ପ୍ଲଟରେ ଗୃହ ନିର୍ମାଣ କରୁଥିବାରୁ ମା’ ଲତାମଣି ୧୪୪ ଧାରା ଜାରି କରିବା ପାଇଁ ଭୁବନେଶ୍ୱର ଡିସିପିଙ୍କ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ନ୍ୟାୟ ନ ମିଳିଲେ ସେ ମାନବାଧିକାର କମିସନଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର