କୁଖ୍ୟାତ ବ୍ରାଉନସୁଗାର ବେପାରୀ ଟକଲୁ ରାଜାର ସମ୍ପତ୍ତି ବାଜ୍ୟାପ୍ତି ହେବ

ଏନଡିପିଏସ୍ ପୂର୍ବାଞ୍ଚଳ ମୁଖ୍ୟାଳୟକୁ ଚିଠି ଲେଖିଲା ଏସଟିଏଫ୍‌
ବାଲେଶ୍ବର, ଜଳେଶ୍ବରରେ ରହିଛି ଦେଢ଼ କୋଟି ଟଙ୍କାର ସମ୍ପତ୍ତି
ଗୋଆ, ହାଇଦ୍ରାବାଦରେ ଅଛି ହୋଟେଲ, ଫ୍ଲାଟ୍
୫ ବର୍ଷରେ ହାତେଇଥିଲା କୋଟିକୋଟି ଟଙ୍କାର ସମ୍ପତ୍ତି
ବାଂଲାଦେଶ, ନେପାଳରେ ଲିଙ୍କ୍ ରହିଥିବା ସନ୍ଦେହ

ଭୁବନେଶ୍ବର : କୁଖ୍ୟାତ ବ୍ରାଉନସୁଗାର ମାଫିଆ ଟକଲୁ ରାଜାର ସମ୍ପତ୍ତି ବାଜ୍ୟାପ୍ତ ହେବ। ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଟକଲୁ ରାଜାର ଦେଡ଼ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି କରିବା ପାଇଁ କ୍ରାଇମବ୍ରାଞ୍ଚର ଏସଟିଏଫ୍ କୋଲକାତାରେ ଅବସ୍ଥାପିତ ପୂର୍ବାଞ୍ଚଳ ଜୋନ୍ ଏନଡିପିଏସ୍ ମାମଲା ପାଇଁ ଉଦ୍ଦିଷ୍ଟ ପ୍ରାଧୀକୃତ ଅଧିକାରୀଙ୍କୁ ଚିଠି ଲେଖିଛି। ଏହି ସମ୍ପତ୍ତି ବାଲେଶ୍ବର ଓ ଜଳେଶ୍ବରରେ ରହିଥିବା ଜଣାପଡ଼ିଛି। ଦେଡ଼ କୋଟି ଟଙ୍କା ମୂଲ୍ୟର ଗୋଟିଏ ଫ୍ଲାଟ୍ ଓ ଦୁଇଟି ଜମି ରହିଛି। ଏହି ଘଟଣା ପରେ ଅନ୍ୟ ବ୍ରାଉନସୁଗାର ବେପାରୀଙ୍କ ମଧ୍ୟରେ ଛନକା ପଶିଛି।

ମିଳିଥିବା ସୂଚନା ଅନୁସାରେ, ଟକଲୁ ରାଜା ପାଖରେ ମାତ୍ର ଦେଡ଼ ଏକର ଜମି ଥିଲା। ସେ ବ୍ରାଉନସୁଗାର କାରବାରରେ ପାଦ ଥାପି କୋଟିପତି ବନି ଯାଇଥିଲା। ତା ସାଙ୍ଗକୁ ଓଡ଼ିଶାର କୁଖ୍ୟାତ ବ୍ରାଉନସୁଗାର ବେପାରୀ ପାଲଟି ଯାଇଥିଲା। ୨୦୧୯ରେ ଏସଟିଏଫ୍ ତାକୁ ଗିରଫ କରିଥିଲା। ଏହାର ମାତ୍ର ୫ ବର୍ଷ ପୂର୍ବରୁ ସେ କୋଟି କୋଟି ଟଙ୍କାର ସମ୍ପତ୍ତି ହାତେଇଥିଲା। ଏପରିକି ହାଇଦ୍ରାବାଦ, ଗୋଆରେ ତାର ହୋଟେଲ ଓ ଫ୍ଲାଟ୍ ରହିଥିବା ତଦନ୍ତକାରୀ ଟିମ୍ ଜାଣିବାକୁ ପାଇଛି। ଏ ସମ୍ପର୍କରେ ପରେ ସମ୍ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟା କରାଯିବ ବୋଲି ଜଣାପଡ଼ିଛି।
କୋଲକାତାରୁ ଅନୁମତି ମିଳିବା ପରେ ଏନଡିପିଏସ୍ ପାଇଁ ଉଦ୍ଦିଷ୍ଟ ପ୍ରାଧୀକୃତ କୋର୍ଟରେ ଏ ସମ୍ପର୍କରେ ଆବେଦନ କରାଯିବ। ଅଭିଯୁକ୍ତକୁ ପଖ୍ୟ ରଖିବାକୁ ସୁଯୋଗ ଦିଆଯିବ। ଅଭିଯୁକ୍ତ ବିରୋଧରେ ବ୍ରାଉନସୁଗାର ବେପାରରୁ ସମ୍ପତ୍ତି ହାତେଇବା ପ୍ରମାଣ ମିଳିଲେ ସମ୍ପତ୍ତି ବାଜ୍ୟାପ୍ତି ପାଇଁ କୋର୍ଟ ନିର୍ଦେଶ ଦେବେ। ରାଜା ଗିରଫ ହେବା ପରେ ଧଳାଜହର ବେପାର ସମ୍ପର୍କରେ ଅନେକ ତଥ୍ୟ ମିଳିଥିଲା। ଏପରିକି ତାର ଲିଙ୍କରେ ଜଣେ ମହିଳା ବେପାରୀଙ୍କୁ ଗିରଫ କରା ଯାଇଥିଲା। ସେହିପରି ବାଂଲାଦେଶ, ନେପାଳରେ ଅନ୍ତର୍ଜାତୀୟ ବ୍ରାଉନସୁଗାର ମାଫିଆଙ୍କ ସହ ରାଜାର ଲିଙ୍କ୍ ରହିଥିବା ସନ୍ଦେହ କରାଯାଉଥିଲା। ରାଜା ଏବେ ଝାରପଡ଼ା ଜେଲରେ ଅଛି।

ସମ୍ବନ୍ଧିତ ଖବର