ଭୁବନେଶ୍ୱର : ବ୍ୟାସକବି ଫକୀର ମୋହନ ସେନାପତିଙ୍କ ତିରୋଧାନର ଶତବାର୍ଷିକୀ ଏବଂ ୧୭୫ତମ ଜୟନ୍ତୀ ଆସନ୍ତା ଜାନୁଆରି ମାସ ୧୪ ତାରିଖରେ ଜୟଦେବ ଭବନରେ ଅନୁଷ୍ଠିତ ହେବ। ଡ.ଦାଶ ଫାଉଣ୍ଡେସନ୍‌, ଓଡ଼ିଆ ସୋସାଇଟି ଅଫ୍‌ ଆମେରିକା ଏବଂ ବ୍ୟାସକବି ଫକୀର ମୋହନ ସ୍ମୃତି ସଂସଦ ପକ୍ଷରୁ ଆୟୋଜିତ ହେବାକୁ ଯାଉଥିବା ଏହି ବିଶେଷ ଉତ୍ସବରେ ଫକୀର ମୋହନଙ୍କ ସ୍ମୃତିରେ ସମ୍ମାନ ପ୍ରଦାନ କରାଯିବ। ଅନ୍ୟୂନ ୧୦ ଲକ୍ଷ ଟଙ୍କାର ଅର୍ଥରାଶିର ପୁରସ୍କାର ପ୍ରଦାନ କରାଯିବ। ଉକ୍ତ ଦିନ ଏକ ଦିବସୀୟ ସମ୍ପାନ ଅନୁଷ୍ଠିତ ହେବ। ଓଡ଼ିଆ ସାହିତ୍ୟରେ ଜୀବନବ୍ୟାପୀ କୃତୀ ପାଇଁ ଦେବାକୁ ଥିବା ପୁରସ୍କାର ପ୍ରଥମ ବର୍ଷ ପାଇଁ ଫକୀର ମୋହନଙ୍କ ଉପରେ ଗବେଷଣା କରିଥିବା ବ୍ୟକ୍ତିଙ୍କୁ ପ୍ରଦାନ କରାଯିବ। ଗବେଷଣା ଓ ଅନୁବାଦ କରିଥିବା ବ୍ୟକ୍ତି ଓ ସଂଘକୁ (୫ଜଣଙ୍କୁ) ୧ ଲକ୍ଷ ଟଙ୍କାର ଅର୍ଥରାଶି ସହ ପୁରସ୍କୃତ କରାଯିବ। ଫକୀର ମୋହନ ସ୍ମୃତି ସଂସଦ ପରିସରରେ ଆୟୋଜିତ କମିଟିର ଦ୍ୱିତୀୟ ଅଧିବେଶନରେ ଏହା ସ୍ଥିରିକୃତ ହୋଇଛି।

Advertisment

ଆୟୋଜକ କମିଟିର ଅଧ୍ୟକ୍ଷ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଅଧିବେଶନରେ ଅଧ୍ୟକ୍ଷତା କରି ଫକୀର ମୋହନଙ୍କ ଉପରେ ଏକ ସ୍ୱତନ୍ତ୍ର େଓ୍ଵବ୍‌ସାଇଟ୍‌ ପ୍ରସ୍ତୁତ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଏଥିସହିତ ଯେଉଁ ଛାତ୍ରଛାତ୍ରୀ ଓଡ଼ିଆ ସାହିତ୍ୟରେ ୯୦ ପ୍ରତିଶତ ନମ୍ବର ରଖିବେ ସେମାନଙ୍କୁ ପୁରସ୍କୃତ କରିବା ପାଇଁ ସରକାରଙ୍କ ତରଫରୁ ଚିଠା ପ୍ରସ୍ତୁତ କରିବାକୁ ମତ ରଖିଥିଲେ। ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ପାଠ୍ୟକ୍ରମରେ ଫକୀର ମୋହନଙ୍କ ସାହିତ୍ୟ କୃତୀ ସମେତ ତାଙ୍କ ସମ୍ବନ୍ଧୀୟ ଆଲେଖ୍ୟ ପ୍ରଚଳନ କରିବାକୁ ମଧ୍ୟ ଖସଡ଼ା ପ୍ରସ୍ତୁତ କରାଯିବ ବୋଲି ସେ କହିଥିଲେ। ଆୟୋଜିତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବାଲେଶ୍ୱରର ବିଧାୟକ ଜୀବନ ପ୍ରଦୀପ ଦାଶ, ପରାମର୍ଶଦାତା ରବିନାରାୟଣ ଦାସ, ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ, ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ, ବିଶିଷ୍ଟ କବି ହରପ୍ରସାଦ ଦାସ, ଓଡ଼ିଆ ସୋସାଇଟି ଅଫ୍‌ ଆମେରିକାର ଶୀତିକଣ୍ଠ ଦାଶ, ଫକୀର ମୋହନ ସ୍ମୃତି ସଂସଦର କାର୍ଯ୍ୟକାରୀ ସଭାପତି ଗୋପୀନାଥ ମହାନ୍ତିଙ୍କ ସମେତ ସଂସଦର କର୍ମକର୍ତାମାନେ ଉପସ୍ଥିତ ଥିଲେ।