ଭୁବନେଶ୍ବର: ବିଶିଷ୍ଟ ଗାନ୍ଧୀବାଦୀ ସର୍ବୋଦୟ ନେତା ଡ. ଏସଏନ ସୁବାରାଓଙ୍କ ପ୍ରତିଷ୍ଠିତ ଜାତୀୟ ଯୁବ ପ୍ରକଳ୍ପର ଓଡ଼ିଶା ଶାଖାର ଯୁବ ସାଥୀମାନେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ତାଙ୍କ ସରକାରୀ ବାସଭବନରେ ସାକ୍ଷାତ କରି ଶୁଭେଚ୍ଛା ଜଣାଇଛନ୍ତି। ଉଚ୍ଚଶିକ୍ଷା ବିଭାଗ ଅନ୍ତର୍ଗତ ଜାତୀୟ ସେବା ଯୋଜନା, ଯୁବ ରେଡକ୍ରସ ଓ ସ୍କାଉଟ ଗାଇଡ ଦ୍ୱାରା ପରିଚାଳିତ ଯୁବ ସ୍ବେଚ୍ଛାସେବୀ କାର୍ଯ୍ୟକ୍ରମକୁ ରାଜ୍ୟରେ ବ୍ୟାପକ କରିବା ପାଇଁ, ଜାତୀୟ ଯୁବ ପ୍ରକଳ୍ପ ଓଡ଼ିଶା ତରଫରୁ ଅଧିକ ସଂଖ୍ୟକ ସ୍ବେଚ୍ଛାସେବୀ ନିର୍ମାଣ ସହ ଯୁବ ନେତୃତ୍ୱର ବିକାଶକୁ ଅଧିକ ବ୍ୟାପକ କରିବା ପାଇଁ ପ୍ରସ୍ତାବ ମାନ ଦିଆଯାଇଛି।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ନାୟକ ଆଗାମୀ ଦିନରେ ଏହି ସମସ୍ତ ଅନୁଷ୍ଠାନ ପାଇଁ ସ୍ୱତନ୍ତ୍ର କାର୍ଯ୍ୟ ଖସଡ଼ା ତିଆରି କରି ଅଧିକ ସଂଖ୍ୟାର ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ବେଚ୍ଛାସେବୀ ମନବୃତ୍ତି ବୃଦ୍ଧି କରାଯିବ ବୋଲି ମତବ୍ୟକ୍ତ କରିଥିଲେ। ପୂର୍ବତନ ପ୍ରଶାସକ ଅରବିନ୍ଦ ବେହେରା ଶିକ୍ଷାନୁଷ୍ଠାନ ମାନଙ୍କରେ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଦିଆଯିବା ସହ ଚରିତ୍ର ନିର୍ମାଣ ପାଇଁ ବ୍ୟାପକ କାର୍ଯ୍ୟକ୍ରମର ଆବଶ୍ୟକତା ଅଛି ବୋଲି ମତବ୍ୟକ୍ତ କରିଥିଲେ। ଜାତୀୟ ଯୁବ ପ୍ରକଳ୍ପ ଓଡ଼ିଶା ଶାଖାର ଆବାହକ ମଧୁସୂଦନ ଦାସ ସ୍ବେଛାସେବୀମାନଙ୍କ ଜରିଆରେ ଗ୍ରାମ ପୁନର୍ଗଠନ ଅଭିଯାନ ଏକ ପୂର୍ଣ୍ଣ ଖସଡ଼ା ମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ରଘୁନାଥ ମଣ୍ଡଳ, ମିସନ ରକ୍ତଦାନର ଗୁନୁ ଆଚାର୍ଯ୍ୟ, ବିବେକାନନ୍ଦ ସ୍କୁଲରୁ ରତ୍ନାକର ମହାନ୍ତି, ଜାତୀୟ ଯୁବ ପ୍ରକଳ୍ପ ଓଡ଼ିଶା ବିଭିନ୍ନ ଶାଖାର ବରିଷ୍ଠ ସଦସ୍ୟ ବିକ୍ରମ ମହାପାତ୍ର, ସୁନୀଲ ନାଏକ, ପ୍ରଭାସ କୁମାର ମହାପାତ୍ର, ସରୋଜ ମାଝୀ, ରାକେଶ ବଳ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଜାତୀୟ ଯୁବ ପ୍ରକଳ୍ପର ବରିଷ୍ଠ ସଂଯୋଜକ ଶ୍ରୀ ସୋମ ଧନ୍ୟବାଦ ଦେଇଥିଲେ।