ବ୍ୟାଙ୍କ, ଏଟିଏମ୍ କାଉଣ୍ଟର ଲୁଟ୍ ପରେ ସୁରକ୍ଷା ବଢ଼ାଇବାକୁ ପ୍ରସ୍ତାବ

ଭୁବନେଶ୍ୱର : ରାଜଧାନୀରେ ସୁରକ୍ଷାକର୍ମୀ ବିହୀନ ବ୍ୟାଙ୍କ ଓ ଏଟିଏମ୍ କାଉଣ୍ଟର କାଟି ଟଙ୍କା ଲୁଟ୍ ଘଟଣା ପରେ ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠିଛି। ଆଜି କମିସନରେଟ ପୁଲିସ ପକ୍ଷରୁ ପ୍ରାୟ ୨୫ଟି ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କ ଅଧିକାରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ୟାଙ୍କ ଓ ଏଟିଏମ୍ କାଉଣ୍ଟର୍‌ଗୁଡ଼ିକ କେମିତି ସୁରକ୍ଷିତ ରଖାଯାଇ ପାରିବ, କେମିତି ସୁରକ୍ଷା ବ୍ୟବସ୍ଥା ବଢ଼ାଯାଇ ପାରିବ, ସିସିଟିଭି ଲଗାଯିବା ସହ କେମିତି ଲୁଟ୍‌କୁ ରୋକାଯାଇ ପାରିବ, ସେନେଇ ଆଲୋଚନା ହୋଇଥିଲା। ଆଲୋଚନା ପରେ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ସିସିଟିଭି ଯେଉଁଠାରେ ନାହିଁ, ସେଠାରେ ଲଗାଯିବାକୁ ପ୍ରସ୍ତାବ ଦିଆଯାଇଛି। ସାଇରନ୍ ବ୍ୟବସ୍ଥା କରିବା ପାଇଁ କୁହାଯାଇଛି। ଯେଉଁଠି ଖରାପ ଅଛି ସେଠାରେ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଏହାସହ ନିୟମିତ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିବା ପାଇଁ କୁହାଯାଇଛି।

ବୈଠକରେ ଯୋଗ ଦେଇଥିବା ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆର ଜଣେ ଅଧିକାରୀ କହିଛନ୍ତି, ସୁରକ୍ଷା, ସିସିଟିଭି, ସାଇରନ୍ ଓ ଧୂଆଁ ବାହାରିଲେ କେମିତି ସୂଚନା ମିଳିପାରିବ, ସେହି ବ୍ୟବସ୍ଥାଗୁଡ଼ିକୁ ସୁଦୃଢ଼ କରିବା ପାଇଁ ଆଲୋଚନା ହୋଇଛି। ଷ୍ଟେଟବ୍ୟାଙ୍କର ରାଜ୍ୟରେ ପ୍ରାୟ ୩ହଜାର ଏଟିଏମ୍ କାଉଣ୍ଟର ରହିଛି। କିନ୍ତୁ କେଉଁଠି ବି ଲୁଟ୍ ହେବାର ନଜିର ନାହିଁ। ସେହିଭଳି ଅନ୍ୟ ଏଟିଏମ୍ କାଉଣ୍ଟରଗୁଡ଼ିକ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ଦରକାର। ସୂଚନାଯୋଗ୍ୟ, ପୂର୍ବରୁ ଅନେକଥର ବୈଠକ ବସି ଅନେକ ଆକ୍ସନ୍ ପ୍ଲାନ୍ ତିଆରି ହୋଇଛି। ସୁରକ୍ଷା ବ୍ୟବସ୍ଥା ବଢ଼ାଇବାକୁ ପରାମର୍ଶ ଦିଆଯାଇଥିଲେ ମଧ୍ୟ ସେମିତି କୌଣସି ପ୍ରଭାବ ପଡ଼ି ପାରିନାହିଁ।

ସମ୍ବନ୍ଧିତ ଖବର