ଗୋଲାପ ଦେଲେ, ଆଜି ପ୍ରେମ ନିବେଦନ

ଭୁବନେଶ୍ବର: ପ୍ରେମ। କେବେ ଆଖିରେ ଆଖିରେ ହୁଏ ତ; ପୁଣି କେବେ ଇସାରାରେ। ତେବେ ନିଜ ପ୍ରେମକୁ ଶବ୍ଦରେ ବୟାନ କରିପାରୁନଥିବା ଅନେକ ପ୍ରେମିକ/ପ୍ରେମିକା ଆଜିର ଦିନର ମଉକାକୁ ଉପଯୋଗ କରିଥାଆନ୍ତି। ଯେମିତି ଏହି ଦିନଟିକୁ ବହୁ ଉତ୍କଣ୍ଠାରେ ଅପେକ୍ଷା କରିଥାଆନ୍ତି। ନୂଆ ନୂଆ ପ୍ରେମ କରୁଥିବା ପ୍ରେମୀଯୁଗଳଙ୍କ ପାଇଁ ଏହା ଯେମିତି ଏକ ଖାସ୍‌ ଉତ୍ସବ ପାଲଟିଯାଏ। କେଇ ବର୍ଷ ହେବ ପ୍ରେମ ସପ୍ତାହର ଧାରା ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ପ୍ରେମ ନିବେଦନ କରିବେ ଅନେକ। ରାତି ୧୨ଟା ପରେ ତାରିଖ ବଦଳି ଯାଉଥିବାରୁ କେହିକେହି ମୋବାଇଲ୍‌ରେ ବାର୍ତା ଲେଖି ପ୍ରେମ ନିବେଦନ କରିବେ। ସୋସିଆଲ୍‌ ମିଡ଼ିଆ ଯୁଗ ଚାଲିଥିବାରୁ କେହିକେହି ପରୋକ୍ଷରେ ହେଉ ଅବା ଥଟ୍ଟାମଜାରେ ନିଜ ‌ପ୍ରେମର ପରିପ୍ରକାଶ କରିବେ। ଆସନ୍ତାକାଲିର ଦିନକୁ ସ୍ମରଣୀୟ ରଖିବା ପାଇଁ ଅନେକ ପ୍ରେମୀଯୁଗଳ ପାର୍କ, ରେସ୍ତୋରାଁ ଓ ସିନେମା ହଲ୍‌ରେ ଭିଡ଼ ଜମେଇବେ। ଆଜିଠୁ ଆରମ୍ଭ ହୋଇଥିବା ପ୍ରେମ ସପ୍ତାହ ଗୋଲାପ ଦିଆନିଆରୁ ଆରମ୍ଭ ହୋଇଥିଲା। ପ୍ରେମୀଯୁଗଳ ପରସ୍ପରକୁ ଗୋଲାପ ଦେଇ ପ୍ରେମ ସପ୍ତାହ ଆରମ୍ଭ ହେବାର ସୂଚନା ଦେଇଥିଲେ। ଏନେଇ ଆଜି ଗୋଲାପ ଫୁଲର ଢେର୍‌ ଚାହିଦା ଥିଲା। ଗୋଲାପ ଦର ଗୋଟା ୨୦ ଟଙ୍କାରୁ ଆରମ୍ଭ ହେଉଥିବା ବେଳେ ଟିକେ ଭିନ୍ନ ଢଙ୍ଗରେ ଫୁଲକୁ ସଜାଇବା ପାଇଁ ୩୦ରୁ ୫୦ ଟଙ୍କା ପଡ଼ୁଥିଲା। ଅନେକ ଗୋଲାପର ଗୁଚ୍ଛ କିଣି ନେଉଥିଲେ। ୨୦୦ ଟଙ୍କାରୁ ନେଇ ୨୫୦ ଟଙ୍କା ପର୍ଯ୍ୟନ୍ତ ଗୋଲାପ ଗୁଚ୍ଛ ଉପଲବ୍ଧ ଥିଲା। ଅନ୍ୟ ଦିନ ଅପେକ୍ଷା ଆଜି ଗୋଲାପର ବିକ୍ରିବଟା ଯଥେଷ୍ଟ ଅଧିକ ଥିଲା ବୋଲି ସୂର୍ଯ୍ୟନଗରସ୍ଥିତ ପଞ୍ଚଲିଙ୍ଗେଶ୍ବର ଫ୍ଲୋରିଷ୍ଟ୍‌ର ସୂର୍ଯ୍ୟକାନ୍ତ ସ୍ବାଇଁ କହିଛନ୍ତି।

ସମ୍ବନ୍ଧିତ ଖବର