ସରିଲା ପ୍ରପୋଜ୍‌ ଡେ’: ମନ କଥା ମୁହଁକୁ ଆଣିଲେ

ଭାଲେଣ୍ଟାଇନ୍ ସପ୍ତାହ ଉପରେ ସାଇବର ଠକଙ୍କ ନଜର, ସତର୍କ ରହିବାକୁ କ୍ରାଇମବ୍ରାଞ୍ଚର ପରାମର୍ଶ

ଭୁବନେଶ୍ବର: ବସନ୍ତର ଆଗମନ ସହ ଏବେ ରାଜଧାନୀ ପରିବେଶରେ ପ୍ରେମରଙ୍ଗ ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ, ସିନେମା ହଲ୍‌ ଓ ମଲ୍‌ରେ ଏବେ ପ୍ରେମପକ୍ଷୀଙ୍କ ବାସ। ପ୍ରେମ ସପ୍ତାହର ଦ୍ବିତୀୟ ଦିନ ଆଜି ପ୍ରପୋଜ୍‌ ଡେ’ରେ ନିଜ ମନ କଥା କହିବାର ଅବକାଶକୁ ପ୍ରେମିକ/ପ୍ରେମିକ‌ାମାନେ ହାତଛଡ଼ା କରିନଥିଲେ। ଏହି ଦିନକୁ ନିଆରା କରି ମନାଇବା ତଥା ନିଜ ମନ କଥା କହିବା ପାଇଁ ଭିନ୍ନ ଭିନ୍ନ ଉପାୟ ଆପଣାଇଥିଲେ। କିଏ ଗୋଲାପ ତ କିଏ ଦାମୀ ଉପହାର ଦେଇ ମନ କଥା କହିଥିଲା। ଏଥିପାଇଁ ଆଜି ସହରର ବିଭିନ୍ନ ଉପହାର ଦୋକାନରେ ଭିଡ଼ ଜମିଥିଲା। ହାର୍ଟ ଲ୍ୟାମ୍ପ, କପଲ ଘଡ଼ି, ରୋମାଣ୍ଟିକ କୁସନ, କଷ୍ଟମାଇଜ୍‌ଡ୍‌ ଡ୍ରେସ ଓ ଟି- ସାର୍ଟ ଇତ୍ୟାଦି ବିକ୍ରି ହୋଇଥିବା ଜଣାଯାଇଛି। ସେହିପରି ପ୍ରେମୀଯୁଗଳଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବାକୁ ବିଭିନ୍ନ ସପିଂ ଆପ୍‌ ୫୦ରୁ ୭୦% ଯାଏ ରିହାତି ବ୍ୟବସ୍ଥା କରିଛନ୍ତି। ପୂର୍ବ ବର୍ଷ ପରି ଭାଲେଣ୍ଟାଇନ୍‌ କାର୍ଡର ଚାହିଦା ମଧ୍ୟ ଏବେ ଆକାଶଛୁଆଁ ରହିଛି। କାର୍ଡ ମଧ୍ୟରେ ଭ୍ୟାଲେଣ୍ଟାଇନ୍ ଡେ’ କାର୍ଡ, ଆଇ ଲଭ ୟୁ କାର୍ଡ ଅଧିକ ବିକ୍ରି ହେବା କଥା କହିଛନ୍ତି ଖଣ୍ଡଗିରି ‘ସାନ୍‌ଭି ଗିଫ୍ଟ କର୍ଣ୍ଣର’ ବ୍ୟବସ‌ାୟୀ ବିନୟ ଜେନା।

ଆସନ୍ତାକାଲି ପ୍ରେମ ସପ୍ତାହର ତୃତୀୟ ଦିବସ ତଥା ଚକଲେଟ୍ ଡେ’। ପ୍ରେମୀଯୁଗଳ ପରସ୍ପରକୁ ଚକଲେଟ୍‌ ଖୁଆଇ ସମ୍ପର୍କ‌ରେ ଆହୁରି ମଧୁରତା ଭରିବାକୁ ଉଦ୍ୟମ କରିବେ। ଏଥିପାଇଁ ଦୋକାନୀମାନେ ବି ପ୍ରସ୍ତୁତ ହୋଇଗଲେଣି। କେକ୍ ଓ ଚକ୍‌ଲେଟ୍ ବ୍ୟବସାୟୀ ହରିରାମ ବେହେରାଙ୍କ କହିବା କଥା, ଚଳିତ ବର୍ଷ ପ୍ରେମ ସପ୍ତାହ ପାଇଁ ବିଭିନ୍ନ ନାମୀଦାମୀ ଚକଲେଟ୍‌ କମ୍ପାନି ନିଜର ସ୍ପେସାଲ୍‌ ଏଡିସନ୍‌ ବାହାର କରିଛନ୍ତି। ଏଥର ନାମୀ କମ୍ପାନିମାନେ ଏହି ଅବସରରେ ଚକଲେଟ୍‌ ବିକ୍ରି ପାଇଁ ଭଲ ପାକେଜିଂ ସାଙ୍ଗକୁ ହୃଦୟ ଚିହ୍ନ ଥିବା ଚକ‌ଲେଟ୍‌ ବାର୍‌ ଦେଉଛନ୍ତି। ଏହା ଦେଖିବାକୁ ଆକର୍ଷଣୀୟ ଓ ସୁନ୍ଦର୍ ଲାଗୁଛି। ଯାହାର ମୂଲ୍ୟ ୨୦ ଟଙ୍କାରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ରହୁଛି। ବିଭିନ୍ନ କମ୍ପାନିର ଭିନ୍ନ ଭିନ୍ନ ଦର ରହୁଥିବା ବେଳେ ୨୦ ଟଙ୍କିଆ ଚକଲେଟର ଚାହିଦା ଅଧିକ ରହିଛି।

ଭୁବନେଶ୍ବର: ଭାଲେଣ୍ଟାଇନ୍ ସପ୍ତାହ ଉପରେ ସାଇବର ଠକଙ୍କ ନଜର। ହୋଟେଲ୍, ରେଷ୍ଟୁରାଣ୍ଟ, ମଲ୍‌ରେ ମାଗଣା ଭାଉଚର ଅଫର ଲୋଭ ଦେଖାଇ ଲୁଟି ପାରନ୍ତି। କାରଣ ଗତବର୍ଷ ଏମିତି ଶହ ଶହ ଠକେଇ ଘଟଣା ସାମ୍ନାକୁ ଆସିଥିଲା। ବିଭିନ୍ନ ସଂସ୍ଥାର ଅଫର୍ ଲିଙ୍କ୍ ହ୍ବାଟସଆପରୁ ହ୍ବାଟସଆପକୁ ଘୂରି ବୁଲିଥିଲା। ଚଳିତବର୍ଷ ମଧ୍ୟ ଥୋପ ପକାଇ ପାରନ୍ତି। ସେହିପରି ଇଣ୍ଟରନେଟରେ ଯଦି କାହା ସମ୍ପର୍କ ଯୋଡ଼ି ହୋଇ ଯାଉଛି ତା’ହେଲେ ସେମାନଙ୍କ ସହ ବ୍ୟକ୍ତିଗତ ଫଟୋ, ଭିଡିଓ ସେୟାର କରନ୍ତୁ ନାହିଁ। କାରଣ ଏହାକୁ ବ୍ୟବହାର କରି ସାଇବର ଅପରାଧୀମାନେ ବ୍ଲାକମେଲିଂ କରିପାରନ୍ତି। ଏନେଇ ସତର୍କ ରହିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର