ଏଣିକି କଲେଜ ଅଧ୍ୟାପକଙ୍କୁ ତାଲିମ: ସାମିଲ ହେବେ ଦେଶର ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ପ୍ରଫେସର

ଜେଏନ୍‌ୟୁ କୁଳପତିଙ୍କୁ ଉଚ୍ଚଶିକ୍ଷା ବିଭାଗର ପ୍ରସ୍ତାବ

ଭୁବନେଶ୍ବର: ଡିଗ୍ରି କଲେଜ ଅଧ୍ୟାପକଙ୍କୁ ଦିଆଯିବ ତାଲିମ। ଦେଶର ନାମକରା ବିଶ୍ବବିଦ୍ୟାଳୟର ପ୍ରଫେସରମାନେ ଅନ୍‌ଲାଇନ୍‌ରେ ସେମାନଙ୍କୁ ତାଲିମ ଦେବେ। ଫଳରେ ଅଧ୍ୟାପକମାନେ ଘରେ ରହି ଦେଶର ଶ୍ରେଷ୍ଠ ପ୍ରଫେସରଙ୍କଠାରୁ ତାଲିମ ପାଇପାରିବେ। ନିୟମିତ ବ୍ୟବଧାନରେ ଅନ୍‌ଲାଇନ୍‌ରେ ରିଫ୍ରେସର ତାଲିମ କାର୍ଯ୍ୟକ୍ରମ କରାଯାଇ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଉଚ୍ଚଶିକ୍ଷା ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏନେଇ ଜେଏନ୍‌ୟୁ କୁଳପତିଙ୍କଠାରୁ ମତାମତ ଲୋଡ଼ାଯାଇଛି। ଯଦି ସେମାନେ ଏହି କାର୍ଯ୍ୟକ୍ରମ କରିବାକୁ ଆଗ୍ରହୀ ଅଛନ୍ତି ତେବେ ଏହା ଉପରେ ଅଧିକ ଆଲୋଚନା କରାଯାଇ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ କରାଯିବ ବୋଲି ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର କହିଛନ୍ତି।

ଶ୍ରୀ ମିଶ୍ର ଆଜି ଜେଏନ୍‌ୟୁ କୁଳପତିଙ୍କୁ ଚିଠି ଲେଖି କହିଛନ୍ତି ‌ଯେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ୫୦୦ରୁ ଅଧିକ ସରକାରୀ ଓ ଅନୁଦାନପ୍ରାପ୍ତ ବେସରକାରୀ ଡିଗ୍ରି କଲେଜ ରହିଛି। ଉକ୍ତ କଲେଜଗୁଡ଼ିକରେ କାର୍ଯ୍ୟ କରୁଥିବା ଅଧ୍ୟାପକ ଅଧ୍ୟାପିକାଙ୍କୁ ନିୟମିତ ଭାବେ ତାଲିମ ଦେବାର ଆବଶ୍ୟକତା ରହିଛି। ଫଳରେ ସେମାନେ ଛାତ୍ରଛାତ୍ରୀଙ୍କୁ ପଠାଉଥିବା ବିଷୟରେ ଭଲ ଭାବେ ଅବଗତ ହୋଇପାରିବେ। ତେବେ ବିଭିନ୍ନ କାରଣ ଲାଗି ଅଧ୍ୟାପକଙ୍କୁ ନିୟମିତ ଭାବେ ତାଲିମ ଦିଆଯାଇ ପାରୁନାହିଁ। ଏଭଳି ସ୍ଥିତିରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଦେଶର ଶ୍ରେଷ୍ଠ ବିଶ୍ବବିଦ୍ୟାଳୟଗୁଡ଼ିକ ସହାୟତାରେ କଲେଜ ଅଧ୍ୟାପକଙ୍କ ଲାଗି ଅନ୍‌ଲାଇନ୍‌ରେ ରିଫ୍ରେସର ତାଲିମ କାର୍ଯ୍ୟକ୍ରମ କରିବାକୁ ପ୍ରସ୍ତାବ ରହିଛି। ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଅନୁମୋଦନ ଅନୁଯାୟୀ ଏହି ଅନ୍‌ଲାଇନ୍‌ ତାଲିମ କାର୍ଯ୍ୟକ୍ରମ ହେବ। କେନ୍ଦ୍ର ଶିକ୍ଷା‌ ମନ୍ତ୍ରଣାଳୟର ବାର୍ଷିକ ରିଫ୍ରେସର ଶିକ୍ଷାଦାନ କାର୍ଯ୍ୟକ୍ରମ ଭାବେ ଏହାକୁ ଗ୍ରହଣ କରାଯିବ ଏବଂ ୟୁଜିସିର ଅନୁମୋଦନ ମିଳିବ। ବିଶ୍ବବିଦ୍ୟାଳୟ ପକ୍ଷରୁ ଏକାଧିକ ବ୍ୟାଚ୍‌ କରାଯାଇ କେବଳ କଲେଜ ଅଧ୍ୟାପକଙ୍କ ଲାଗି ଏହି ତାଲିମ କାର୍ଯ୍ୟକ୍ରମ ହେବ। ନିର୍ଦ୍ଦିଷ୍ଟ ଭାବେ କିଛି ବିଷୟକୁ ଚିହ୍ନଟ କରାଯାଇ ସେଥିରେ ଅଧ୍ୟାପକଙ୍କୁ ଅନ୍‌ଲାଇନ୍‌ ତାଲିମ ଦେବାର ଆବଶ୍ୟକତା ରହିଛି। ଏହି ତାଲିମ କାର୍ଯ୍ୟକ୍ରମ ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜେଏନ୍‌ୟୁକୁ ଅର୍ଥ ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର