ବାଲିଅନ୍ତା/ ବାଲିପାଟଣା/ ବାଲିଅନ୍ତା ବଜାର(ଇମିସ): ଜୀବନର ଅର୍ଥ ହେଉଛି ଏକ ସୁସ୍ଥ ପରିବେଶ। ପରିବେଶ ସୁରକ୍ଷିତ ରହିଲେ ମଣିଷ ସୁସ୍ଥ ଓ ନିରୋଗ ଜୀବନଯାପନ କରିପାରିବ। ବିକାଶ ଏକ ଧାରାବାହିକ ପ୍ରକ୍ରିୟା। ବୈଷୟିକ ଶିକ୍ଷା, ପ୍ରଯୁକ୍ତି ବିଦ୍ୟା ଓ ବିଜ୍ଞାନର ଅଗ୍ରଗତି ଯୋଗୁ ସମଗ୍ର ଦେଶ ଓ ଓଡ଼ିଶାରେ ଅନେକ କ୍ଷେତ୍ରରେ ବିକାଶ ଘଟିଛି। ଶିଳ୍ପ ଜରିଆରେ ରାଜ୍ୟରେ ବିକାଶ ଘଟୁ , କିନ୍ତୁ ପରିବେଶକୁ ସଜାଡ଼ିବା ପାଇଁ ସବୁସ୍ତରରେ ପ୍ରଚେଷ୍ଟା ଜାରି ରହିବା ଦରକାର। ପ୍ରାଣୀ ଜଗତ ଓ ଉଦ୍ଭିଦ ଜଗତ ମଧ୍ୟରେ ସନ୍ତୁଳନ ରହିବା ଦରକାର। ଜଳବାୟୁ ପରିବର୍ତ୍ତନ ଓ ଅସନ୍ତୁଳନ ପରିବେଶ ମାନବସମାଜ ପାଇଁ ବଡ଼ ଚିନ୍ତାର କାରଣ ହୋଇଛି। ଏନେଇ ‘ସମ୍ବାଦ’ ଗ୍ରୁପର ପ୍ରୟାସ ‘ପୁନଶ୍ଚ ପୃଥିବୀ’ ଜରିଆରେ ସାରା ରାଜ୍ୟରେ ଆରମ୍ଭ ହୋଇଥିବା ‘ପରିବେଶ ପଞ୍ଚାୟତ’ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ।
ଏହା ଏକ ସାମୂହିକ କାର୍ଯ୍ୟ। ‘ସମ୍ବାଦ’ର ଏହି ଆହ୍ବାନ ପ୍ରଚାର ପ୍ରଚାର ଜରିଆରେ ଘର ଭିତରୁ ରାଜ୍ୟକୁ ପରିବ୍ୟାପ୍ତ ହୋଇପାରିଛି। ତେବେ ଖାଲି ଗଛ ଲଗାଇଲେ ଚଳିବ ନାହିଁ, ଜନ୍ମଦାତା ଭଳି ଗଛ ବଢ଼ିବା ପର୍ଯ୍ୟନ୍ତ ଯତ୍ନ ନେବା ଆବଶ୍ୟକ ବୋଲି କହିଛନ୍ତି ଜୟଦେବ ବିଧାୟକ ନବ କିଶୋର ମଲ୍ଲିକ। ଆଜି ଅପରାହ୍ନରେ ବାଲିଅନ୍ତା ବ୍ଲକ ବେଣ୍ଟପୁର ପଞ୍ଚାୟତ ବେଣ୍ଟପୁର ଶାସନସ୍ଥ ବାଣେଶ୍ବର ମନ୍ଦିର ପରିସରରେ ନବନିର୍ମିତ ମଣ୍ଡପରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ‘ପରିବେଶ ପଞ୍ଚାୟତ’ରେ ଯୋଗଦେଇ ଶ୍ରୀ ମଲ୍ଲିକ ଆହୁରି କହିଥିଲେ, ଆଗାମୀ ଦିନରେ ତାଙ୍କ ବିଧାନସଭା କ୍ଷେତ୍ରରେ ପଞ୍ଚାୟତସ୍ତରରେ ସବୁଜ ବଳୟ ସୃଷ୍ଟି କରିବା ଦିଗରେ ଅଧିକ ଗୁରୁତ୍ବ ଦିଆଯିବ।
ପରିବେଶ ପଞ୍ଚାୟତରେ ଯୋଗଦେଇଥିବା ଏକାଧିକ ବ୍ୟକ୍ତି ଜୟଦେବ ନିର୍ବାଚନମଣ୍ଡଳୀ ଅଧୀନସ୍ଥ ବିଭିନ୍ନ ଅଞ୍ଚଳରେ ସୃଷ୍ଟି କରାଯାଇଥିବା ଗ୍ରାମ୍ୟ ଜଙ୍ଗଲରୁ ଅବାଧ ବୃକ୍ଷଚ୍ଛେଦନ କରାଯାଉଥିବା ଅଭିଯୋଗ କରିଛନ୍ତି। ସେହିପରି ଗ୍ରାମ୍ୟ ଜଙ୍ଗଲ ନଷ୍ଟ ହେବାର ଆଉ ଏକ ପ୍ରମୁଖ କାରଣ ହେଉଛି ନିଆଁ। ଖରାଦିନେ ଫସଲ ଅମଳ ପରେ କୁଟାରେ ନିଆଁ ଲଗାଇବାବେଳେ ତାହା ଜଙ୍ଗଲକୁ ବ୍ୟାପିଯାଉଛି ଓ ବହୁ ଗଛ ନଷ୍ଟ ହୋଇଯାଉଛି। କୁଆଖାଇ, କୁଶଭଦ୍ରା, ଭାର୍ଗବୀ ନଦୀପଠାରେ ଗ୍ରାମ୍ୟ ଜଙ୍ଗଲ ସୃଷ୍ଟି କରାଯାଇଥିବାବେଳେ ଗୋଚର, ଦଣ୍ଡା, ଧନୁଆ ପଠା, ପତିତି ଏବଂ ମୁଖ୍ୟ ରାସ୍ତାକଡ଼ରେ ଜଙ୍ଗଲ ବିଭାଗ ପକ୍ଷରୁ ଚାରା ରୋପଣ କରି ଜଙ୍ଗଲ ସୃଷ୍ଟି କରାଯାଇଛି। ଏସବୁ କିସମର ଶତାଧିକ ଏକର ଜମିରେ ସୃଷ୍ଟି କରାଯାଇଥିବା ଗ୍ରାମ୍ୟ ଜଙ୍ଗଲ ଏବେ ଧ୍ବଂସାଭିମୁଖୀ। ଦିନ ଦ୍ବିପହରରେ ମଧ୍ୟ ଅବାଧ ଗଛକଟା ଚାଲିଛି। ନଦୀପଠା ଓ ଗ୍ରାମ୍ୟ ଜଙ୍ଗଲରୁ କାଠ ମାଫିଆ ରାତାରାତି ବଡ଼ବଡ଼ ଗଛ କଟର୍ ମେସିନ ଲଗାଇ କାଟି ନେଉଛନ୍ତି। ଫଳରେ ଏବେ ଗାଁ ଜଙ୍ଗଲରୁ ଗଛ ପଦାହେବାକୁ ବସିଲାଣି। ସେହିପରି ଭଅଁରା ଜଙ୍ଗଲ ଓ ରଣପୁର ଗ୍ରାମ୍ୟ ଜଙ୍ଗଲ ମଧ୍ୟ ଧ୍ବଂସ ହେବାରେ ଲାଗିଛି। ଏନେଇ ସ୍ଥାନୀୟ ଲୋକେ ତହସିଲ ପ୍ରଶାସନ ଓ ବନ ବିଭାଗକୁ ବାରମ୍ବାର ଜଣାଉଥିଲେ ମଧ୍ୟ କିଛି ପଦକ୍ଷେପ ଗ୍ରହଣ କରାଯାଉ ନଥିବା ଅଭିଯୋଗ ହୋଇଛି।
ଅନ୍ୟତମ ଅତିଥି ବ୍ଲକ ବିଜେଡ଼ି ସଭାପତି ପ୍ରଦୀପ୍ତ ଜେନାମଣି ପରିବେଶ ସଜାଡ଼ିବା ଏକ ସାମୂହିକ କାର୍ଯ୍ୟ ବୋଲି କହିଥିଲେ। ସେହିପରି ବାଲିପାଟଣା ସଭାପତି କିଶୋର କୁମାର ଜେନା କହିଲେ, ବର୍ତ୍ତମାନ ଏହି ଅଞ୍ଚଳରେ ତାପମାତ୍ରା ବହୁତ ବୃଦ୍ଧି ପାଇଛି। ବର୍ଷାରେ ବି ଝାଳ ବାହାରୁଛି। ପରିବେଶ ନଷ୍ଟ ହୋଇଥିବାରୁ ଏପରି ଘଟୁଛି। କେବଳ ସେତିକି ନୁହେଁ, କୀଟନାଶକ ଓ ରାସାୟନିକ ସାର ବ୍ୟବହାର ଯୋଗୁ ଜଳ, ବାୟୁ, ମାଟି ମଧ୍ୟ ପ୍ରଦୂଷିତ ହୋଇଯାଇଛି। ‘ସମ୍ବାଦ’ର ଏହି କାର୍ଯ୍ୟକ୍ରମ ଜରିଆରେ ଅଧିକ କର୍ମଶାଳା କରାଯାଇ ଜୈବ ବିବିଧତା ଉପରେ ଜନସଚେତନତା ସୃଷ୍ଟି କରାଯାଇପାରିବ। ସରପଞ୍ଚ ଗୀତାଞ୍ଜଳି ସାହୁ ପଞ୍ଚାୟତସ୍ତରରେ ତାଙ୍କ ତତ୍ତ୍ବାବଧାନରେ କରାଯାଇଥିବା ଚାରା ରୋପଣ କଥା କହି ଉପସ୍ଥିତ ଲୋକଙ୍କୁ ଉତ୍ସାହିତ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ବେଣ୍ଟପୁର ସମିତି ସଭ୍ୟା ଝରଣା ସ୍ବାଇଁ, ବାଲିପାଟଣା ପଞ୍ଚାୟତ ବାଳିକା ଉଚ୍ଚବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସତ୍ୟଭାମା ଦାଶ, ଜିଲ୍ଲା ପରିଷଦ ସଭ୍ୟ ପବିତ୍ର ମୋହନ ପଟେଲ, ଗଙ୍ଗାଧର ମଲ୍ଲିକ, ନାରୀନେତ୍ରୀ ରୀନା ଜେନା, ସମିତି ସଭ୍ୟ ଗଙ୍ଗାଧର ମାହାରି, ଲକ୍ଷ୍ମୀଧର ନାୟକ ଓ ଅବସରପ୍ରାପ୍ତ ପ୍ରଶାସକ ହରେକୃଷ୍ଣ ଶତପଥୀ ଓ ହୃଷିକେଶ ଦାଶ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ଥାନୀୟ ପରିବେଶ ପ୍ରଦୂଷଣର ବିଭିନ୍ନ ଦିଗ ଉପରେ ବକ୍ତବ୍ୟ ଦେଇଥିଲେ। ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଛାତ୍ରଛାତ୍ରୀ ଯୁବପିଢ଼ି, ଜନସାଧାରଣ, ଜନପ୍ରତିନିଧି ଓ ସରକାରୀ କର୍ମଚାରୀ ପରିବେଶର ସୁରକ୍ଷା ନେଇ କାର୍ଯ୍ୟ କରିବା ଆଜିର ଦିନରେ ଏହିଦୁଇ ମହାପୁରୁଷଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଥିଲେ। ଏହି ଅବସରରେ ସ୍ଥାନୀୟ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଓ ବାଣେଶ୍ବର ମନ୍ଦିର ପରିସରରେ ସମାଜସେବୀ କାଶୀନାଥ ସାହୁଙ୍କ ତତ୍ତ୍ବାବଧାନରେ ମହିଳାମାନେ ଚାରାରୋପଣ କରିଥିଲେ। ମଞ୍ଚାସୀନ ଅତିଥିମାନଙ୍କୁ ଉତ୍ତରୀୟ ଓ ଚାରା ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ବାଲିଅନ୍ତା ‘ସମ୍ବାଦ’ ପ୍ରତିନିଧି ନିରଞ୍ଜନ ସେନାପତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବାଲିପାଟଣା ପ୍ରତିନିଧି ବସନ୍ତ ଦାଶ ଓ ବାଲିଅନ୍ତା ବଜାର ପ୍ରତିନିଧି ଗଦାଧର ଜେନା ପରିଚାଳନାରେ ସହଯୋଗ କରିଥିଲେ।