ଜାତିକୁ ଏକତ୍ରିତ କରିବା ପାଇଁ ଭାଷାର ସୁରକ୍ଷା ଆବଶ୍ୟକ

ସ୍ବାଧୀନତାର ଅମୃତ ମହୋତ୍ସବ

ଭୁବନେଶ୍ବର: ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ସ୍ୱାଧୀନତାର ଅମୃତ ମହୋତ୍ସବ ପ‌ାଳିତ ହୋଇଯାଇଛି। କବି କେଦାର ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର, ଭାଷାବିତ୍‌ ଦେବୀ ପ୍ରସନ୍ନ ପଟ୍ଟନାୟକ, ବିଶିଷ୍ଟ ଗାନ୍ଧୀବାଦୀ ପ୍ରହଲ୍ଲାଦ ସିଂହ ଯୋଗ ଦେଇଥିଲେ।

ଜାତିକୁ ଏକତ୍ରିତ କରିବା ପାଇଁ ଭାଷାର ସୁରକ୍ଷା ଓ ବିକାଶ ସବୁଠାରୁ ଅଧିକ ଆବଶ୍ୟକ। ଏଥିପାଇଁ ସଙ୍ଗୀତ ସବୁବେଳେ ଏକ ବଳିଷ୍ଠ ମାଧ୍ୟମ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ତାଙ୍କ ବକ୍ତବ୍ୟରେ କହିଥିଲେ। ଶ୍ରୀ ପଟ୍ଟନାୟକ ତାଙ୍କ ଅଭିଭାଷଣରେ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ସମୟର ସ୍ମୃତିଚାରଣ କରିଥିଲେ। ଶ୍ରୀ ସିଂହ ଓଡ଼ିଶା ସହ ଗାନ୍ଧୀଜୀଙ୍କ ସମ୍ପର୍କ ବିଷୟରେ ଆଲୋଚନା କରି ଉତ୍କଳମଣି ଗୋପବନ୍ଧୁ ଦାସ, ଗୋଦାବରୀଶ ମିଶ୍ର, କୁନ୍ତଳା କୁମାରୀ ସାବତ, ଜାତୀୟ କବି ବୀରକିଶୋର, ଚିନ୍ତାମଣି ମହାନ୍ତି ଆଦି କବିମାନେ ଗାନ୍ଧୀଙ୍କୁ ନେଇ ଯେଉଁ କାଳଜୟୀ କୃତୀ ସବୁ ରଚନା ସଂପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ଉଦ୍ଦେଶ୍ୟରେ ଓଡ଼ିଆ କବିମାନଙ୍କ ଦ୍ୱାରା ରଚିତ ପଦ୍ୟ ସମୂହକୁ ବିଶିଷ୍ଟ କଣ୍ଠଶିଳ୍ପୀ ଅନିନ୍ଦିତା ଦାସ ପରିବେଷଣ କରିଥିଲେ।

ପରେ ଗାନ୍ଧୀଜୀଙ୍କ ପାଇଁ ରଚିତ ତଥା ଶ୍ରୀମତୀ ଦାସ କଣ୍ଠଦାନ କରିଥିବା ଏକ ସଙ୍ଗୀତ ସିଡି ମଧ୍ୟ ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ, ସେବା, ସାହିତ୍ୟ, ସାମ୍ବାଦିକତା ତଥା ସମାଜ ସେବା କ୍ଷେତ୍ରରେ ନିରନ୍ତର ଭାବରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ରମେଶ ମହାନ୍ତି ଓ ରଶ୍ମି ମହାନ୍ତି ଗାନ୍ଧୀଜୀଙ୍କ ଉଦ୍ଦେଶ୍ୟରେ ରଚିତ କବିତା ପାଠ କରିଥିଲେ। ଗୁରୁପ୍ରସାଦ ମିଶ୍ର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର