ବିଜୁଳି ବିଦ୍ରୋହ, ପୁରୁଣା ଭୁବନେଶ୍ବରରେ ୫ଟି ଜାଗାରେ ରାସ୍ତାରୋକ

ଭୁବନେଶ୍ବର: ଫନିକୁ ୮ ଦିନ ବିତି ଯାଇଥିଲେ ହେଁ ଫାଳେ ଭୁବନେଶ୍ବର ଅନ୍ଧାର ପଡ଼ିଛି। ସାରା ରାଜଧାନୀକୁ ଆଲୁଅ କରିବାର ତାରିଖ ସେସୁ ପକ୍ଷରୁ ତିନିଥର ଘୋଷଣା ହୋଇସାରିଲାଣି। କିନ୍ତୁ ତାରିଖ ପରେ ତାରିଖ ଗଡ଼ୁଛି ସିନା, ବିଜୁଳି ଆସୁନି। ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏହି କାରଣକୁ ନେଇ ଆଜି ପୁରୁଣା ଭୁବନେଶ୍ବରର ୫ଟି ଜାଗାରେ ରାସ୍ତାରୋକ ହୋଇଥିଲା। ଅଳ୍ପ ସମୟ ବ୍ୟବଧାନରେ ଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟ ସାମ୍ନା, ସାମନ୍ତରାପୁର, ଗ୍ୟାରେଜ୍‌ ଛକ, ଇଲେକ୍ଟ୍ରି ଅଫିସ ଛକ ଓ ସନ୍ଧ୍ୟାରେ ତିନିମୁଣ୍ଡିଆ ଛକରେ ହୋଇଥିବା ରାସ୍ତା ଅବରୋଧକୁ ହଟାଇବା ପାଇଁ ପୁଲିସ ନାକେଦମ୍‌ ହୋଇଥିଲା। ଲୋକ ଏଭଳି ତାତିଥିଲେ ଯେ ପୁଲିସ ଭ୍ୟାନ୍‌କୁ ମଧ୍ୟ ଛାଡ଼ିନଥିଲେ। ଶ୍ରୀଲିଙ୍ଗରାଜ ଥାନା ଆଇଆଇସି ବାଧ୍ୟ ହୋଇ ଗାଡ଼ି ରଖି ଚାଲି ଚାଲି ଥାନା ପର୍ଯ୍ୟନ୍ତ ଆସିଥି‌ଲେ। ଉତ୍ତ୍ୟକ୍ତ ଲୋକଙ୍କୁ ଏସିପିଙ୍କ ସମେତ ଥାନା ଭାରପ୍ରାପ୍ତ ଅଧିକାରୀ ଓ ବିଦ୍ୟୁତ ଯନ୍ତ୍ରୀ ପ୍ରମୁଖ ବୁଝାସୁଝା କରିଥିଲେ। ବାସ୍ତବରେ ସେସୁ ପକ୍ଷରୁ ବିଦ୍ୟୁତ୍‌ ସଂଯୋଗ ଦେବାରେ ପାତରଅନ୍ତର ହେଉଥିବା ଅଭି‌ଯୋଗ ହୋଇଛି। ଯେଉଁଠୁ ଚାପ ଆସୁଛି, ସେଠାରେ ବିଜୁଳି ସଂଯୋଗ ତୁରନ୍ତ ପ୍ରଦାନ କରାଯାଉଛି। କିନ୍ତୁ ଯେଉଁଠି ବିଦ୍ୟୁତ ତାର କିମ୍ବା ଖୁଣ୍ଟ ବେଶି ପ୍ରଭାବିତ ହୋଇନାହିଁ, ବିଜୁଳି ସଂଯୋଗ ଖୁବ୍‌ଶୀଘ୍ର ଦିଆଯାଇ ପାରିବ ସେଠାରେ କିନ୍ତୁ ଦିଆଯାଉ ନାହିଁ। ଏଥିଯୋଗୁଁ ଲୋକଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଉଛି। ପ୍ରତ୍ୟେକ ଦିନ ଏଭଳି ରାସ୍ତା ଅବରୋଧ ସହ ଅଧିକାରୀଙ୍କୁ ଆକ୍ରମଣ ଭଳି ଘଟଣା ସାମ୍ନାକୁ ଆସୁଛି। ଖାଲି ସେତିକି ନୁହେଁ, ପ୍ରତିଦିନ ଶହ ଶହ ଲୋକ ପାୱାର ହାଉସ୍‌ର ନିୟନ୍ତ୍ରଣ କକ୍ଷରେ ପହଞ୍ଚି ହୋହଲ୍ଲା କରୁଛନ୍ତି। ସେହିଭଳି ପାନୀୟ ଜଳଯୋଗାଣ ମଧ୍ୟ ପ୍ରହସନ ପାଲଟିଛି। କେଉଁଠି ୧୫ମିନିଟ୍‌ ତ କେଉଁଠି ଅଧଘଣ୍ଟାଏ ପାଇଁ ପାଣି ଆସୁଥିବାରୁ ସରକାରୀ ପାଣି ଟ୍ୟାପ୍‌ ନିକଟରେ ପ୍ରତିଦିନ ଯୁଦ୍ଧ ଲାଗୁଛି। ବାତ୍ୟା ପରେ ୮ ଦିନ ବିତିଥିଲେ ମଧ୍ୟ ବିଜୁଳି ଓ ପାନୀୟ ଜଳ ସମସ୍ୟାକୁ ସମାଧାନ କରାଯାଇ ନଥିବାରୁ ଲୋକଙ୍କର ଆକ୍ରୋଶ ବଢ଼ି ବଢ଼ି ଚାଲିଛି। ସେହିଭଳି ବାତ୍ୟା ପରଠାରୁ ଅନେକ ଜାଗାରୁ ଆବର୍ଜନା ଉଠୁନଥିବାରୁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି।

ଯନ୍ତ୍ରୀଙ୍କୁ ନଜରବନ୍ଦୀ
୮ ଦିନ ଧରି ବିନା‌ ବିଜୁଳିରେ ଲୋ‌କେ ଛଟପଟ ହେଉଛନ୍ତି। ସେଥିପାଇଁ ସେସୁ ଅଧିକାରୀଙ୍କୁ ମଧ୍ୟ ଶାନ୍ତିରେ ବସାଇ ଦେଉନାହାନ୍ତି। ‘୧୦ ହାତ ଦୂରରେ ଲାଇନ୍‌ ଜଳୁଥିବା ବେଳେ ଆମେ କି ପାପ କରିଛୁ ତା’ର ଉତ୍ତର ଦିଅନ୍ତୁ’ ବୋଲି ଲୋକେ ପ୍ରଶ୍ନ କରୁଛନ୍ତି। ଗତକାଲି ସାଲିଆସାହିର ୩ଶହରୁ ଊର୍ଦ୍ଧ୍ବ ବାସିନ୍ଦା ଭୁବନେଶ୍ବର ସିଟି ଡିଷ୍ଟ୍ରିବ୍ୟୁସନ ଡିଭିଜନ-୨(ନୟାପଲ୍ଲୀ) ନିର୍ବାହୀ ଯନ୍ତ୍ରୀ ବାଣୀଭୂଷଣ ମହାନ୍ତିଙ୍କୁ ଘଣ୍ଟାଏ କାଳ ଘେରିଥିଲେ। ‘ସବୁ ବଡ଼ବଡ଼ିଆ ଆଗ ନଉଚ, ଆମେ ଦିନରେ ଜଳୁଛୁ, ରାତିରେ ଶିଝୁଛୁ, ଆଜି ଲାଇନ୍‌ ଦେଲେ ଯିବୁ ନ ହେଲେ ତମେ ବସ ଆମେ ବସିଛୁ’ ଏଭଳି କହି ଲୋକମାନେ ଘେରି ରହିଥିଲେ। ଯନ୍ତ୍ରୀ ମୋବାଇଲ୍‌ ଜରିଆରେ ପୁଲିସ ଡାକିବାକୁ ଉଦ୍ୟମ କରୁଥିଲେ। ହେଲେ ତାଙ୍କୁ ଫୋନ୍‌ କରିବାକୁ ମଧ୍ୟ ସୁଯୋଗ ଦିଆଯାଇନଥିଲା। ଶେଷରେ ସେ ହ୍ବାଟ୍‌ସ୍‌ ଆପ୍‌ ଜରିଆରେ ‘ପ୍ଲିଜ୍‌ ହେଲ୍ପ’ ଲେଖିବା ପରେ ବଡ଼ବଡ଼ ଅଧିକାରୀମାନେ ପୁଲିସ ସହ ସମ୍ପୃକ୍ତ କାର୍ଯ୍ୟାଳୟରେ ପହଞ୍ଚି ତାଙ୍କୁ ନଜରବନ୍ଦୀରୁ ଉଦ୍ଧାର କରିବା ସହ ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରି ଫେରାଇଥିଲେ।

ବିଦ୍ୟୁତ କର୍ମଚାରୀଙ୍କୁ ଆକ୍ରମଣ ହେଲେ ବିଳମ୍ବିତ ହେବ ପୁନରୁଦ୍ଧାର
ପୁନରୁଦ୍ଧାର କାର୍ଯ୍ୟରେ ସାମିଲ ଥିବା ବିଦ୍ୟୁତ କର୍ମଚାରୀଙ୍କୁ ହେଉଥିବା ଆକ୍ରମଣକୁ ସେସୁ ପକ୍ଷରୁ ନିନ୍ଦା କରାଯାଇଛି। ଏପରି ନକରିବାକୁ ସେସୁ କର୍ତୃପକ୍ଷ ଅନୁରୋଧ କରିଛନ୍ତି। କର୍ମକ୍ଷେତ୍ରରେ ମାଡ଼ ହେଲେ କର୍ମଚାରୀମାନେ ନିରୁତ୍ସାହିତ ହେଉଛନ୍ତି। କାମକୁ ଶୀଘ୍ର ଶେଷ କରିବାକୁ ହେଲେ ଉପଭୋକ୍ତାଙ୍କ ସହଯୋଗ ଜରୁରୀ। ତେଣୁ ସମସ୍ତେ ଏଥିରେ ସହଯୋଗ କରିବାକୁ ସେସୁ କର୍ତୃପକ୍ଷ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

 

ସମ୍ବନ୍ଧିତ ଖବର