ଭୁବନେଶ୍ୱର: ସ୍କୁଲ୍ ଫି’ ବୃଦ୍ଧି ପ୍ରତିବାଦରେ ଆଜି ପୁଣି ବିଜେଇଏମ ସ୍କୁଲ୍ ସମ୍ମୁଖରେ ଅଭିଭାବକ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କିନ୍ତୁ ସ୍କୁଲ୍ କର୍ତ୍ତୃପକ୍ଷ ଓ ଅଭିଭାବକ ସଂଘ ଆଲୋଚନା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଅଭିଭାବକ ସଂଘର ଅଭିଯୋଗ ଅନୁଯାୟୀ ସ୍କୁଲ କର୍ତ୍ତୃପକ୍ଷ ବେନିୟମ ଭାବେ ବାର୍ଷିକ ୨୦% ହାରରେ ଫି’ ବୃଦ୍ଧି କରୁଛନ୍ତି। ତେଣୁ ଗତ ରବିବାର ମଧ୍ୟ ଅଭିଭାବକମାନେ ପ୍ରତିବାସ ସଭା କରାଯାଇଥିଲା। କିନ୍ତୁ ସ୍କୁଲ୍ କର୍ତ୍ତୃପକ୍ଷ କିଛି ପଦକ୍ଷେପ ନ ନେବାରୁ ସେମାନେ ଆଜି ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଉତ୍ତେଜନା ବଢ଼ିବା ଦେଖି ବଡ଼ଗଡ଼ ଥାନା ଅଧିକାରୀ ତୃପ୍ତିରଞ୍ଜନ ନାୟକ ପହଞ୍ଚିଥିଲେ ଏବଂ ତାଙ୍କ ଉପସ୍ଥିତିରେ ସ୍କୁଲ୍ ଅଭିଭାବକ ସଂଘ ପକ୍ଷରୁ ଛଅଜଣ ଅଭିଭାବକ ଆଲୋଚନା ପାଇଁ ସ୍କୁଲ ଭିତରକୁ ଯାଇଥିଲେ।
ସଂଘ ତରଫରୁ ସଭାପତି ରଞ୍ଜନ କୁମାର ଦାଶ, ନିତ୍ୟାନନ୍ଦ ବେହେରା, ସତ୍ୟସୁନ୍ଦର ସାହୁ, ଅସିତ୍ ଦାସ, ସୀମା ଚକ୍ରବର୍ତ୍ତୀ ଓ ନିବେଦିତା ଦାସ ଏବଂ ସ୍କୁଲ୍ ପକ୍ଷରୁ ଅଧ୍ୟକ୍ଷା ସନ୍ଧ୍ୟା ଜେନା, ପରିଚାଳନା କମିଟି ଅଧ୍ୟକ୍ଷ ରଘୁନାଥ ମିଶ୍ର, ମ୍ୟାନେଜର ପ୍ରତାପ ଜେନା ଆଲୋଚନା କରିଥିଲେ। ସ୍କୁଲ୍ ଫି’ ବୃଦ୍ଧି ଉପରେ ମ୍ୟାନେଜ୍ମେଣ୍ଟ ଆଉ ଥରେ ବୈଠକ କରି ଆଲୋଚନା କରୁ ବୋଲି ଅଭିଭାବକ ସଙ୍ଘ ଦାବି କରିଥିଲା। ସେହିପରି ସ୍କୁଲ କର୍ତ୍ତୃପକ୍ଷ ଆୟବ୍ୟୟ ହିସାବକୁ ସ୍କୁଲ ୱେବ୍ସାଇଟରେ ଅପ୍ଲୋଡ୍ କରିବା ଓ ମନୋନୀତ ଅଭିଭାବକ ପ୍ରତିନିଧିମାନଙ୍କୁ ସ୍କୁଲ ଏସ୍ଏମ୍ସି କମିଟିରେ ରଖିବାକୁ କହିଥିଲେ। ଏ ସମ୍ପର୍କରେ ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି ଯେ ଜଷ୍ଟିସ୍ କେପି ମହାପାତ୍ର କମିଟି ରିପୋର୍ଟ ଆଧାରରେ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁସାରେ ପୂର୍ବ ବର୍ଷର ଫି ଉପରେ ଶତକଡ଼ା ୧୫ଭାଗରୁ କମ୍ ବୃଦ୍ଧି କରାଯାଇଛି। ବିଦ୍ୟାଳୟ କୌଣସି ରି-ଆଡ୍ମିସନ୍ ଫି ନେଉନାହିଁ। ଫି ବୃଦ୍ଧି ସମ୍ପର୍କରେ ବିଦ୍ୟାଳୟ ପରିଚାଳନା କମିଟି ସହ ୨୦୨୪ ନଭେମ୍ବର ୩୦ରେ ବୈଠକ ହୋଇଥିଲା। ୨୦୨୫ ଫେବ୍ରୁଆରି ୮ରେ ଅଭିଭାବକ-ଶିକ୍ଷକ-ପରିଚାଳନା କମିଟି ବୈଠକରେ ଏହା ଅନୁମୋଦିତ ହୋଇଥିଲା।