ଧଉଳି: ଲିଙ୍ଗିପୁର ପଞ୍ଚାୟତ ଗଙ୍ଗୋତ୍ରୀନଗରରେ ରାଧାକୃଷ୍ଣ ମନ୍ଦିର ସମ୍ମୁଖରେ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣକୁ ବିରୋଧ ହେଉଥିବାରୁ ୩ ବର୍ଷ ୫ ଲକ୍ଷ ଟଙ୍କାର ଅନୁଦାନ ପଡ଼ି ରହିଛି। ସ୍କୁଲ ଜମିରେ ଅଙ୍ଗନବାଡ଼ି ଘର ନିର୍ମାଣ ହେଉଥିବା ବେଳେ ମନ୍ଦିରକୁ ଅଲଗା ରାସ୍ତା ଥିବା ସତ୍ତ୍ବେ ବିରୋଧ କରୁଥିବା ଲୋକେ କାମ କରାଇ ଦେଉ ନଥିବା ଅଭିଯୋଗ ହେଉଛି। ମନ୍ଦିର ପାଖରେ ପିଲାମାନେ ଅଣ୍ଡା ଖାଇବାକୁ ନେଇ ବିରୋଧ କରାଯାଉଛି। ପ୍ରଶାସନ ଏହି ବିବାଦର ସମାଧାନ କରିବାରେ ଆନ୍ତରିକତା ପ୍ରଦର୍ଶନ କରୁନଥିବାରୁ ଏବେ ଅଙ୍ଗନବାଡ଼ି ପିଲାମାନେ ଭଙ୍ଗା ଦଦରା ଟିଣ ଛପର ଘରେ ବସି ପଢ଼ୁଛନ୍ତି।

Advertisment

ସୂଚନାନୁସାରେ, ୩ ବର୍ଷ ତଳେ ଏହି କେନ୍ଦ୍ର ନିର୍ମାଣ ପାଇଁ ଅନୁଦାନ ମଞ୍ଜୁର କରାଯାଇଥିଲା। ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ସୁବାସ ସୁନ୍ଦରାୟ, ସରପଞ୍ଚ କ୍ଷୀରୋଦ କୁମାର ପ୍ରଧାନ, ବ୍ଲକ ଅଧ୍ୟକ୍ଷା ନିରୁପମା ସାହୁ ଓ ସମିତି ସଭ୍ୟ ପ୍ରକାଶ ଚନ୍ଦ୍ର ସାହୁ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହି ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। କିନ୍ତୁ ବିରୋଧୀ ପକ୍ଷ ଘର ନିର୍ମାଣ ପାଇଁ ଘେରାଯାଇଥିବା ତାର ବାଡ଼ ଉପାଡ଼ି ଦେବା ସହ ଭିତ୍ତିପ୍ରସ୍ତର ପଥର ଫିଙ୍ଗିଦେଲେ। ଲିଙ୍ଗିପୁର ସ୍କୁଲ ଖେଳପଡ଼ିଆ ଜମିରେ ଅଙ୍ଗନବାଡ଼ି ଘର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ହେଲେ ନିକଟରେ ରାଧାକୃଷ୍ଣ ମନ୍ଦିର ଥିବାରୁ ମନ୍ଦିର କମିଟିର କିଛି କାର୍ଯ୍ୟକର୍ତ୍ତାଙ୍କ ସହ ମିଶି ଏକ ଗୋଷ୍ଠୀ କାମକୁ ଦୃଢ଼ ବିରୋଧ କରିଥିଲେ। ସେମାନଙ୍କ ଅଭିଯୋଗ ହେଲା ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାଙ୍କୁ ଅଣ୍ଡା ଖାଇବାକୁ ଦିଆଯିବାକୁ ଥିବାରୁ ମନ୍ଦିର ଆଗରେ ଏହି ଘର ନିର୍ମାଣ ହୋଇପାରିବ ନାହିଁ। ଅନ୍ୟପକ୍ଷରେ ସରପଞ୍ଚଙ୍କ କହିବାନୁସାରେ, ୨୦୦ ଡିସିମିଲି ବିଶିଷ୍ଟ ଉକ୍ତ ଜମିରେ ମନ୍ଦିରକୁ ଯିବା ପାଇଁ ରାସ୍ତା ଛାଡ଼ି ଦିଆଯାଇଛି। କିନ୍ତୁ ବିରୋଧ କରୁଥିବା ଲୋକମାନେ ବୁଝିବାକୁ ନାରାଜ।

ଏନେଇ ସରପଞ୍ଚ ଶ୍ରୀ ପ୍ରଧାନ ଭୁବନେଶ୍ବର ବିଡିଓ, ଖୋର୍ଦ୍ଧା ଜିଲ୍ଲାପାଳ, ସମନ୍ବିତ ଶିଶୁ ବିକାଶ ଅଧିକାରିଣୀ ଏବଂ ତହସିଲଦାରଙ୍କ ନିକଟରେ ଫେରାଦ ହୋଇଛନ୍ତି। ଏମିତିକି ମନ୍ତ୍ରୀଙ୍କୁ ମଧ୍ୟ କୁହାଯାଇଛି। ହେଲେ କିଛି ସୁଫଳ ମିଳିନାହିଁ। ଏଣେ ପିଲାମାନେ ଟିଣ ଘରେ ଦୟନୀୟ ଅବସ୍ଥାରେ ବସୁଛନ୍ତି ବୋଲି ସେ କହିଛନ୍ତି।