ମୁଁ ଚାହେଁ ଓଡ଼ିଶାରୁ ମଦ ବନ୍ଦ…

ଅନଶନରତ ଆଦିତ୍ୟଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ

ଭୁବନେଶ୍ବର : ମୁଁ ଚାହେଁ ଓଡ଼ିଶାରୁ ମନ୍ଦ ବନ୍ଦ ହେଉ। ଏଇ ବାର୍ତା ଓ ଦାବି ନେଇ ୮ଦିନ ଧରି ଅନଶନରେ ବସିଥିବା ‘ପିପୁଲ୍‌ ଫର୍‌ ସେବା’ର ପ୍ରତିଷ୍ଠାତା ଆଦିତ୍ୟ ଦାଶଙ୍କ ସ୍ବାସ୍ଥ୍ୟାବସ୍ଥାରେ ଘୋର ଅବନତି ଦେଖାଦେଇଛି। ଡାକ୍ତର ଅନଶନସ୍ଥଳକୁ ଆସି ତାଙ୍କର ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରି ତାଙ୍କୁ ମେଡିକାଲ୍‌ ପଠାଇଥିଲେ। ମାତ୍ର ମେଡିକାଲ୍‌ରେ ଅନ୍ୟ ଜଣେ ଡାକ୍ତର ତାଙ୍କର କିଛି ହୋଇନାହିଁ ବୋଲି କହି ଫେରାଇ ଦେଇଥିଲେ। ଏହା ଆନ୍ଦୋଳନକାରୀଙ୍କ ମଧ୍ୟରେ କ୍ଷୋଭ ସୃଷ୍ଟି କରିଛି। ଅଗଷ୍ଟ ୧୫ରୁ ଅନଶନରେ ବସିଥିବା ଆଦିତ୍ୟଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟୁଥିବା ବେଳେ ସରକାରଙ୍କ ନିଷ୍କ୍ରିୟତା ଆନ୍ଦୋଳନକୁ ବ୍ୟାପକ କରିବା ନେଇ ଇନ୍ଧନ ଯୋଗାଉଛି। ଏନେଇ ଯଦି କେତେବେଳେ କୌଣସି ଅପ୍ରୀତିକିର ପରିସ୍ଥିତି ସୃଷ୍ଟି ହୁଏ, ସେଥିପାଇଁ ସରକାର ଦାୟୀ ରହିବେ ବୋଲି ଅନୁଷ୍ଠାନ ପକ୍ଷରୁ ମତ ପ୍ରକାଶ ପାଇଛି। ଓଡ଼ିଶା ମଦମୁକ୍ତି ଆନ୍ଦୋଳନ ଏକ ସ୍ପର୍ଶକାତର ବିଷୟ ହୋଇଥିବାରୁ ଏହାକୁ ଅର୍ଗା‌ନାଇଜେସନ୍‌ ଅଫ୍‌ ପ୍ୟାରେଣ୍ଟ୍‌ ଆସୋସିଏସନ୍‌ ଫୋରମ(ଓପାଫ୍‌), ଓଡ଼ିଶା ମିଳିତ ନିଶା ନିବାରଣ ଅଭିଯାନ, କିନ୍ନର ସଂଘ, ଗାୟତ୍ରୀ ମହିଳା ସମିତି, ହେଲ୍‌ପ ହାଣ୍ଡ୍‌ ଓ ମହାବାହୁ ଗ୍ରୁପ୍‌ ନିଃସର୍ତ ସମର୍ଥନ ଦେଇଆସିଛନ୍ତି। ଯୁବକ ଯୁବତୀ, ଛାତ୍ରଛାତ୍ରୀ, ମହିଳା, ବୃଦ୍ଧା ଓ ମଦ ଦ୍ବାରା ପୀଡ଼ିତ ପରିବାର ଏହି ଅନଶନରେ ଯୋଗଦେଇ ଓଡ଼ିଶାରୁ ମଦକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧିତ ଖବର