ଭୁବନେଶ୍ବର: ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ଗିରଫ ପ୍ରତିବାଦରେ ଆଜି ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ଲୋୟର ପିଏମ୍ଜିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କଂଗ୍ରେସ କାର୍ଯ୍ୟାଳୟରୁ ଯୁବ ଓ ଛାତ୍ର କଂଗ୍ରେସ କର୍ମୀମାନେ ଏକ ଶୋଭାଯାତ୍ରାରେ ବାହାରି ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଆଡ଼କୁ ଯାଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତଙ୍କ କୁଶପୁତ୍ତଳିକା ଦାହ କରିବା ସମୟରେ ପୁଲିସ ସବୁ ଆନ୍ଦୋଳନକାରୀଙ୍କୁ ଘଟଣା ସ୍ଥଳରୁ ଉଠାଇ ନେଇଥିଲା। ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସଂପାଦକ ଚୁନୁ ସିଂହ ଯୋଗଦେଇ କହିଲେ, ଉଦିତ ପ୍ରଧାନଙ୍କୁ ଅଗାଣତାନ୍ତ୍ରିକ ଭାବେ ଗିରଫ କରାଯାଇଛି। ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ରାଷ୍ଟ୍ର ସ୍ବାର୍ଥ ବିରୋଧୀ। ଯୁବ କଂଗ୍ରେସ ନେତା ରଣଜିତ ପାତ୍ର କହିଥିଲେ, ଓଡ଼ିଶାର ପୁଲିସ ହିଟଲରୀରାଜକୁ ବରଦାସ୍ତ କରାଯିବନାହିଁ। ଏକ ଗାଣତାନ୍ତ୍ରିକ ରାଷ୍ଟ୍ରରେ ବିରୋଧୀ ଦଳର କଳା ପତାକା ପ୍ରଦର୍ଶନ କରିବାର ଅଧିକାର ରହିଛି। ଶ୍ରୀ ଭାଗବତ ଦେଶରେ ଅସ୍ଥିରତା ସୃଷ୍ଟି ହେବା ଭଳି ମନ୍ତବ୍ୟ ଦେଉଛନ୍ତି। ଛାତ୍ର କଂଗ୍ରେସ ସଭାପତିଙ୍କୁ ତୁରନ୍ତ ଖଲାସ କରାଯାଉ।
ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଛନ୍ତି, ଉଦିତଙ୍କୁ ଗିରଫ କରି ବିଜେପି ସରକାର ଛାତ୍ର ସମାଜର କଣ୍ଠରୋଧ କରିପାରିବେ ନାହିଁ। ଓଡ଼ିଶା ପୁଲିସ ନିରପେକ୍ଷ ନୁହେଁ। ଓଡ଼ିଶାର ପୂର୍ବତନ ରାଜ୍ୟପାଳଙ୍କ ପୁଅ ଜଣେ ଓଡ଼ିଆ ଅଧିକାରୀଙ୍କୁ ଆକ୍ରମଣ କଲା ବେଳେ ଓଡ଼ିଶା ପୁଲିସ ନିଜର କର୍ତ୍ତବ୍ୟ ପାଳନ କରିବାରେ ବିଫଳ ହୋଇଥିଲା। ଏହି ଗିରଫଦାରୀ ବିରୋଧରେ ଆଜିଠାରୁ ୨ଦିନ ପର୍ଯ୍ୟନ୍ତ ସବୁ ଜିଲ୍ଲା ପୁଲିସ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ମିଳିତଭାବେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଏହି କାର୍ଯ୍ୟକ୍ରମରେ ମନୋଜ ବିଶ୍ବାଳ, ସୁଦୀପ ସାମଲ, ଅଭୟ ସାହୁ, ନିହାର ବେହେରା, ଗୋପନ ମାର୍ଥା, ମହମ୍ମଦ ଗୁଲଫାମ, ଆଲୋକ ଦାସ, ମହମ୍ମଦ ପରଭେଜ, ସଂକୁନା କହଁର, ମାନସ ଆଚାର୍ଯ୍ୟ, ଜଗଦୀଶ ରାଉତ ଓ ଅନ୍ୟମାନେ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/01/pGO0ugYCvsyb8ViKycxP.jpg)