କୁହୁଳୁଛି ବାଇ-ଲ’ ନିଆଁ : କଂଗ୍ରେସ ପକ୍ଷରୁ ଦସ୍ତଖତ ଅଭିଯାନ, ସମାଜବାଦୀ ପାର୍ଟିର ବିକ୍ଷୋଭ

ପୁରୁଣା ଭୁବନେଶ୍ବର : ଜାତୀୟ କୀର୍ତ୍ତିରାଜି ପ୍ରାଧିକରଣ (ଏନଏମଏ)ଙ୍କ ପ୍ରସ୍ତାବିତ ବାଇ-ଲ’କୁ ନେଇ ବିବାଦ ତେଜିବାରେ ଲାଗିଛି। ପ୍ରବଳ ବିରୋଧ ପରେ ଶ୍ରୀକ୍ଷେତ୍ରରୁ ଏହାକୁ ପ୍ରତ୍ୟାହାର କରାଯାଇଥିବା ବେଳେ ଏକାମ୍ର‌ କ୍ଷେତ୍ର ପାଇଁ ବଳବତ୍ତର ରହିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଲାଗି ରହିଛି। ବିଭିନ୍ନ ସଂଗଠନ ଆନ୍ଦୋଳନ କରିବା ପରେ ଏବେ ରାଜନୈତିକ ଦଳ ରାସ୍ତାକୁ ଓହ୍ଲାଇଛନ୍ତି।

ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ଶ୍ରୀଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଦସ୍ତଖତ ଅଭିଯାନ କରାଯାଇଥିବା ବେଳେ ରାଜଭବନ ଆଗରେ ସମାଜବାଦୀ ପାର୍ଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସେହିପରି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ କ୍ଷୋଭ ପ୍ରକାଶ କରି ଏହାକୁ ପ୍ରତ୍ୟାହାର ପାଇଁ ଗଣମାଧ୍ୟରେ ମତ ରଖିଛନ୍ତି। ଶ୍ରୀ ଦାଶ କହିଛନ୍ତି ଯେ, ଶ୍ରୀକ୍ଷେତ୍ରରୁ ଏହି ବାଇ-ଲ’ ପ୍ରତ୍ୟାହାର ହେଲା। ତେବେ ଏକାମ୍ର କ୍ଷେତ୍ର ପାଇଁ କାହିଁକି ହେଲା ନାହିଁ। ଏହି ନିୟମ ତୁରନ୍ତ ଉଠାଇବାକୁ ସେ ଦାବି କରିଛନ୍ତି।

ଆଜି ପୂର୍ବାହ୍ନରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏହି ଆଇନ୍‌ ପ୍ରତ୍ୟାହାର ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ଦସ୍ତଖତ ଅଭିଯାନ କରାଯାଇଥିଲା। ଏନେଇ ଏକ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରାଯିବ। କଂଗ୍ରେସ ନେତ୍ରୀ ରଶ୍ମି ମହାପାତ୍ରଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ତୁରନ୍ତ ବାଇ-ଲ’କୁ ପ୍ରତ୍ୟାହାର ପାଇଁ ଦାବି କରାଯାଇଥିଲା। ଶ୍ରୀମତୀ ମହାପାତ୍ର କହିଥିଲେ, ଏକାମ୍ର ଏକ ‘ଅନନ୍ୟ’ ଐତିହ୍ୟ କ୍ଷେତ୍ର। ମହାପ୍ରଭୁ ଶ୍ରୀଲିଙ୍ଗରାଜ ରାଜଧାନୀର ଅଧିଷ୍ଠିତ ଦେବତା। ଓଡ଼ିଆ ଜାତିର ପ୍ରାଣ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ନୀତିକାନ୍ତି ସହ ଲିଙ୍ଗରାଜ ମହାପ୍ରଭୁଙ୍କର ନୀତିକାନ୍ତିରେ ସମାନତା ରହିଛି। ତେବେ ଏହି ଅଞ୍ଚଳକୁ ନେଇ ଯେଉଁ ବିବାଦ ଉପୁଜିଛି ସେଥିରେ ଉଭୟ ବିଜେଡି ଓ ବିଜେପି ନାଟକବାଜି କରୁଛନ୍ତି। ଉଭୟ ଦଳ ପ୍ରତ୍ୟେକ ନୀତି ନିଷ୍ପତ୍ତିରେ ଏକ ରହିଥିବା ସ୍ଥଳେ ଲିଙ୍ଗରାଜ ମହାପ୍ରଭୁଙ୍କ କ୍ଷେତ୍ରରେ ନିଜକୁ ଭିନ୍ନ ଭିନ୍ନ ଦର୍ଶାଉଛନ୍ତି। ଏହା ଏକ ପ୍ରତାରଣା। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କଳି ଭିତରେ ଏକାମ୍ର କ୍ଷେତ୍ରର ସ୍ବାର୍ଥ ବଳି ପକାଯାଉଛି। ଏହି ଦସ୍ତଖତ ଅଭିଯାନରେ ବିଧାୟକ ସୁରେଶ କୁମାର ରାଉତରାୟ, ଜିଲ୍ଲା ସଭାପତି ବିଶ୍ବଜିତ ଦାଶ, ଶିବାନନ୍ଦ ରାୟ, ପ୍ରମୁଖ କୁସୁମ ପ୍ରଧାନ, ମନୋରଞ୍ଜନ ବଟୁ, ସିପ୍ରା ସେନାପତି, କ୍ଷୀରେଦ ବେହେରା, ରୀନା ସାହୁ, ଜୟକୃ‌ଷ୍ଣ ସୁବୁଦ୍ଧି, ସୁବ୍ରତ ମହାପାତ୍ର, ରବୀନ୍ଦ୍ର କାଣ୍ଡି, ମହମ୍ମଦ ତକୱିନ୍‌, ବ୍ରାହ୍ମଣ ନିଯୋଗର ସମ୍ପାଦକ ସମେତ ବହୁ ସେବାୟତ ସାମିଲ ହୋଇଥିଲେ।

ସେପଟେ ଏହି ନିୟମକୁ କଳା ଆଇନ ବୋଲି କହିଛି ସମାଜବାଦୀ ପାର୍ଟି। ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଏହି ଆଇନ୍ ବାତିଲ୍ ଦାବିରେ ବିଭିନ୍ନ ସ୍ଲୋଗାନ ଦେଇ ଦଳୀୟ କାର୍ଯ୍ୟାଳୟରୁ ବାହାରି ପାୱାରହାଉସ୍ ଛକ ପର୍ଯ୍ୟନ୍ତ ଯାଇଥିଲେ। ଏହାପରେ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେଠାରେ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏହି ପ୍ରସଙ୍ଗରେ କେନ୍ଦ୍ର ସଂସ୍କୃତି ବିଭାଗ, ରାଜ୍ୟ ସରକାର ଓ ସେବାୟତମାନଙ୍କ ସହିତ ଆଲୋଚନା କରି ତୁରନ୍ତ ଏହି ଆଇନକୁ ପ୍ରତ୍ୟାହାର କରିବାପାଇଁ ଦାବି କରିଥିଲେ। ଏଥିରେ ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, ବରିଷ୍ଠ ନେତା ବିଜୟ ବେହେରା, ସଞ୍ଜୟ ନାୟକ, ସୁବ୍ରତ ଲେଙ୍କା, ସୁଶୀଲ ହୋତା, ଓମ୍ ପ୍ରକାଶ ଦାସ, ସ୍ୱଦେଶ ବେହେରା, ମୁକେଶ ବେହେରା, ଦେଶପ୍ରିୟ ଦାସ, ସୌମ୍ୟରଞ୍ଜନ ଦାସ ଓ ସାବିତ୍ରୀ ବେହେରା ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର