ପିଲାଙ୍କ ସହ ଖେଳୁଛି ସିବିଏସ୍‌ଇ!

ଭୁବନେଶ୍ୱର : ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ବି ବିବାଦରୁ ମୁକୁଳି ପାରିନି ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେସନ(ସିବିଏସ୍‌ଇ)। ସିବିଏସ୍‌ଇ ଅଧୀନରେ ଥିବା ବିଦ୍ୟାଳୟଗୁଡ଼ିକର ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶକୁ ଇତି ମଧ୍ୟରେ ଏକ ମାସ ପୂରିବାକୁ ବସିଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ମାଇଗ୍ରେସନ୍‌ ସାର୍ଟିଫିକେଟ୍‌ କିମ୍ବା ମାର୍କସିଟ୍‌ ମିଳିନି। ଯେଉଁଥିପାଇଁ ହଟହଟା ହେଉଛନ୍ତି ଛାତ୍ରଛାତ୍ରୀ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ ଥିବା ବିଦ୍ୟାଳୟଗୁଡ଼ିକରେ ନାମ ଲେଖାଇପାରୁ ନାହାନ୍ତି। ଯାହାକୁ ନେଇ ଆଜି ବିଜେବି କଲେଜ ଓ ସିବିଏସ୍‌ଇ କାର୍ଯ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ)ରେ ନାମଲେଖା ସମୟରେ ଅସଲି ସାର୍ଟିଫିକେଟ୍‌ ଯାଞ୍ଚ ବାଧ୍ୟତାମୂଳକ କରାଯାଇଛି। ଯଦି କୌଣସି ଛାତ୍ରଛାତ୍ରୀ ଯାଞ୍ଚ ସମୟରେ ଅସଲି ସାର୍ଟିଫିକେଟ ନ ଦେଖାନ୍ତି ତେବେ ନାମଲେଖାରୁ ବଞ୍ଚିତ ହେବେ। ବିଦ୍ୟାଳୟଗୁଡ଼ିକରେ ଆଜିଠାରୁ ନାମଲେଖା ଆରମ୍ଭ ହୋଇଥିବା ବେଳେ ବିଜେବି କନିଷ୍ଠ ଉଚ୍ଚ ବିଦ୍ୟାଳୟରେ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ସିବିଏସ୍‌ଇ ଅଧୀନରେ ଦଶମ ଶ୍ରେଣୀ ପାସ୍‌ କରିଥିବା ଛାତ୍ରଛାତ୍ରୀ ନାମଲେଖା ସମୟରେ ଅସଲି ସାର୍ଟିଫିକେଟ୍‌ ଦେଖାଇପାରି ନ ଥିଲେ। ତେଣୁ ନାମ ଲେଖାଇବାରୁ ବଞ୍ଚିତ ହୋଇଛନ୍ତି। ଯେଉଁଥିପାଇଁ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସେମାନେ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ସାକ୍ଷାତ କରି ନାମଲେଖା ପାଇଁ ଅନୁମତି ଦେବାକୁ ଦାବି କରିଥିଲେ।

ବିଦ୍ୟାଳୟ କର୍ତୃପକ୍ଷ କିନ୍ତୁ ଅନୁରୋଧକୁ ପ୍ରତ୍ୟାଖାନ କରିବା ସହ ନାମଲେଖା କରିବାକୁ ରୋକଠୋକ୍‌ ମନା କରିଦେଇଥିଲେ। କୌଣସି ପରିସ୍ଥିତିରେ ଅନୁମତି ଦିଆଯାଇପାରିବ ନାହିଁ ବୋଲି କହିଥିଲେ। ଏହାକୁ ନେଇ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ବିଦ୍ୟାଳୟ ଅଧ୍ୟକ୍ଷ ବିଷ୍ଣୁ ଚରଣ ଦାଶ କହିଛନ୍ତି ଯେ ନିୟମ ବାହାରେ ଆମେ କିଛି ବି କରିପାରିବୁ ନାହିଁ। ପିଲାମାନେ ଆବେଦନ ସମୟରେ ଜେରକ୍ସ କପି ଦାଖଲ କରିଛନ୍ତି। ଅସଲି ସାର୍ଟିଫିକେଟ୍‌ ଯାଞ୍ଚ ନ କରି କିଭଳି ନାମଲେଖାଇବାକୁ ଅନୁମତି ଦେବୁ। ତେଣୁ ସେମାନଙ୍କର ଅସଲି ମାଇଗ୍ରେସନ୍‌ ସାର୍ଟିଫିକେଟ୍‌ ଓ ମାର୍କସିଟ ଯାଞ୍ଚ କରାଯିବା ପରେ ନାମଲେଖାକୁ ଅନୁମତି ଦିଆଯିବ।

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ମଧ୍ୟ ଏହାକୁ ନେଇ ଭୁବନେଶ୍ୱରସ୍ଥିତ ସିବିଏସ୍‌ଇ କାର୍ଯ୍ୟାଳୟ ଘେରିବା ସହ ଦାବିପତ୍ର ପ୍ରଦାନ କରିଛି। ଯଦି ଛାତ୍ରଛାତ୍ରୀଙ୍କୁ ତୁରନ୍ତ ସାର୍ଟିଫିକେଟ୍‌ ଓ ମାର୍କସିଟ୍‌ ପ୍ରଦାନ କରା ନ ଯାଏ ତେବେ ରାଜ୍ୟବ୍ୟାପୀ ଛାତ୍ର ଆନ୍ଦୋଳନ କରାଯିବ ବୋଲି ସଙ୍ଗଠନର ଭୁବନେଶ୍ୱର ସମ୍ପାଦକ ସଞ୍ଜୟ କୁମାର ମଲ୍ଲିକ ଚେତାବନୀ ଦେଇଛନ୍ତି। ଏନେଇ ସିବିଏସ୍‌ଇ କର୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିପାରି ନାହିଁ।

ସମ୍ବନ୍ଧିତ ଖବର