ଖଣ୍ଡଗିରି: ବରମୁଣ୍ଡା ରୁଚିକା ମାର୍କେଟ୍‌ ନିକଟସ୍ଥ ସେନ୍ସସ୍‌ କଲୋନି ପାର୍କ ଭିତରେ ସୁଲଭ ଶୌଚାଳୟ ନିର୍ମାଣକୁ ବିରୋଧ କରିଛନ୍ତି କଲୋନି ବାସିନ୍ଦା। କଲୋନି ପରିସରକୁ ଲାଗିଥିବା ଏହି ପାର୍କର ପାଚେରି ଭାଙ୍ଗି ଏ‌ଠାରେ ଜବରଦସ୍ତି ନିର୍ମାଣ ଚାଲିଥିଲା ବେଳେ ଏଥିରେ ରୋକ୍‌ ଲଗାଯାଇଛି। ସୂଚନା ମୁତାବକ, କଲୋନିର ମୁଖ୍ୟଫାଟକର ଉଭୟ ପାର୍ଶ୍ବରେ ରହିଛି ଦୁଇଟି ପାର୍କ। ବିଏମ୍‌ସି ଏହି ପାର୍କର ରକ୍ଷଣାବେକ୍ଷଣ ଦାୟିତ୍ବ ନେଇଛି। କଲୋନି ଶତାଧିକ ବରିଷ୍ଠ ନାଗରିକ ଅବସର ବି‌ନୋଦନ ତଥା ଛୋଟପିଲାମାନେ ଏଠାରେ ଖେଳାଖେଳି କରୁଥିଲେ। ତେବେ ଦୀର୍ଘଦିନ ଧରି ଏହି ଦୁଇ ପାର୍କ ଜଙ୍ଗଲ ହୋଇ ରହିଥିଲା। ଏମିତିକି ବିଷାକ୍ତ ସରୀସୃପ ଚରାଭୁଇଁ ପାଲଟିଥିଲା। ବାରମ୍ବାର କଲୋନିବାସୀଙ୍କ ଅଭିଯୋଗ ପରେ ଅକ୍ଟୋବର ମାସରେ ବିଏମ୍‌ସି ପକ୍ଷରୁ କେବଳ ବାମ ପାର୍ଶ୍ବରେ ଥିବା ପାର୍କକୁ ସଫେଇ କରାଯାଇଥିଲା। ମାତ୍ର କଲୋନିର ଡାହାଣ ପଟେ ଥିବା ପାର୍କଟିକୁ ପୂର୍ବ ଭଳି ଜଙ୍ଗଲ ଭାବେ ଛାଡ଼ିଦିଆଗଲା। ଏହି ପାର୍କରେ ଲାଗିଥିବା ବିଭିନ୍ନ ଦୋଳି ନଷ୍ଟ ହୋଇ ବଣଲଟିରେ ଲୁଚିଗଲାଣି, କେତେକ ଭାଙ୍ଗିରୁଜି ଗଲାଣି ମଧ୍ୟ। ରକ୍ଷଣାବେକ୍ଷଣ ହେଉନଥିବାରୁ ପାର୍କର ଏଭଳି ଦୁରବସ୍ଥା ଉପୁଜିଥିବା କଲୋନିବାସୀ କହିଛନ୍ତି।

Advertisment

ପ୍ରାୟ ୧୫ଦିନ ତଳେ ଜଣେ ଠିକାଦର ଆସି କଲୋନିର ଦକ୍ଷିଣପାର୍ଶ୍ବ ପାଚେରିକୁ ଭାଙ୍ଗିଥିଲେ। ପ୍ରଥମେ କଲୋନିବାସୀ ଭାବିଥିଲେ ପାର୍କର ସୌନ୍ଦର୍ଯ୍ୟୀକରଣ କରାଯାଉଛି। ମାତ୍ର ଯେତେବେଳେ ଏଠାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା ସେମାନେ ସୂଚନା ପାଇଥିଲେ ଯେ ଏଠାରେ ରୁଚିକା ମାର୍କେଟ୍‌କୁ ଆସୁଥିବା ଲୋକଙ୍କ ପାଇଁ ଶୌଚାଳୟ ନିର୍ମାଣ କରାଯାଉଛି। ପୂର୍ବରୁ କୌଣସି ସୂଚନା ନଦେଇ ଏଭଳି ନିର୍ମାଣ କରାଯାଉଥିବାରୁ କଲୋନିବାସୀ ଏହାକୁ ବିରୋଧ କରିଥିଲେ। ଏଥିସହ କଲୋନିର ନକ୍ସା ମଧ୍ୟରେ ଏହି ପାର୍କ ରହିଥିଲା ବେଳେ ବିଏମ୍‌ସି କିଭଳି ଏଠାରେ ସୁଲଭ ଶୌଚାଳୟ ନିର୍ମାଣକୁ ମଞ୍ଜୁରି ଦେଲା ସେ ନେଇ ପ୍ରଶ୍ନ କରିଥିଲେ। ଏନେଇ ସମ୍ପୃକ୍ତ ଠିକାଦାରଙ୍କ ସହିତ କଲୋନିବାସୀଙ୍କର ବହୁ ସମୟ ଧରି ଯୁକ୍ତିତର୍କ ଲାଗିବା ପରେ ଠିକାଦାର ନିର୍ମାଣ ବନ୍ଦ କରି ସେଠାରୁ ଚାଲିଯାଇଥିଲେ। କଲୋନିର ପାଚେରି ଭାଙ୍ଗି ଏଭଳି ବେଆଇନ ନିର୍ମାଣକୁ କିଏ ପ୍ରଶ୍ରୟ ଦେଉଛି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବର୍ତ୍ତମାନ କଲୋନି ପାଚେରି ଭାଙ୍ଗି ରହିଥିଲା ବେଳେ ଏଠାରେ ଲାଗିଥିବା ଦୋଳି ଉପକରଣ ଓ ଲୁହା ଖୁଣ୍ଟ ଚୋରି ହେବାର ଆଶଙ୍କା ଉପୁଜିଛି। ଏତିପ୍ରତି ଦୃ‌ଷ୍ଟି ଦେଇ ତୁରନ୍ତ ଭଙ୍ଗାଯାଇଥିବା ପାଚେରିକୁ ମରାମତି କରିବାକୁ କଲୋନି ବାସିନ୍ଦା ଦାବି କରିଛନ୍ତି।