ବାଲିଅନ୍ତା,: ସ୍ଥାନୀୟ ସରକଣା ପଞ୍ଚାୟତରେ ଗୋଷ୍ଠୀ ବିବାଦ କାରଣରୁ ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଏକ ମନ‌ରେଗା ଯୋଜନା କାର୍ଯ୍ୟକୁ ବିରୋଧ କରି ହୋଇଥିବା ଗଣ୍ଡଗୋଳ ଶେଷରେ ଥାନାରେ ପହଞ୍ଚିଛି। ଆଜି ଏହି ମାମଲାରେ ଜବ୍‌କାର୍ଡଧାରୀମାନେ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ଘଟଣାଟି ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। କୋଡ଼ି, କୋଦାଳ ଓ ଝୁଡ଼ି ଧରି ୩୦ରୁ ଅଧିକ ଜବ୍‌କାର୍ଡଧାରୀ ଥାନା ଘେରାଉ କରିବା ପରେ ମାମଲାର ଆପୋସ ସମାଧାନ ହୋଇଛି।

Advertisment

ସୂଚନାନୁସାରେ, ଏହି ପଞ୍ଚାୟତରେ ଗୋଷ୍ଠୀବିବାଦ ଲାଗି ରହିଥିବାରୁ ବିଭିନ୍ନ ଜନକଲ୍ୟାଣ ଯୋଜନା କାର୍ଯ୍ୟକାରୀ ହୋଇ ପାରୁନାହିଁ। ସରପଞ୍ଚ ବିଷ୍ଣୁପ୍ରିୟା ସାହୁଙ୍କ ବିରୋଧୀ ପକ୍ଷ ବିଭିନ୍ନ ଫୋରମ୍‌ରେ ଅଭିଯୋଗ କରି ଉନ୍ନୟନମୂଳକ କାର୍ଯ୍ୟକୁ ବନ୍ଦ କରାଉଛନ୍ତି। ଏବେ ଏକ ମନରେଗା ଯୋଜନା କାମକୁ ବିରୋଧ କରିବାରୁ ଉତ୍ତେଜନା ସୃଷ୍ଟି ହୋଇଛି। ସରପଞ୍ଚ ଶ୍ରୀମତୀ ସାହୁଙ୍କ ସ୍ବାମୀ ତଥା ପୂର୍ବତନ ସମିତି ସଭ୍ୟ ନାରାୟଣଙ୍କୁ ହତ୍ୟା ଧମକ ଦିଆଯାଇଥିବା ନେଇ ଥାନାରେ ଏତଲା ଦିଆଯାଇଛି। ଆଜି ନାରାୟଣ ଓ ୩୦ଜଣ ଜବ୍‌କାର୍ଡଧାରୀ କୋଡ଼ି, କୋଦାଳ ଓ ଝୁଡ଼ି ଧରି ବାଲିଅନ୍ତା ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକାଶ କାର୍ଯ୍ୟକୁ ବିରୋଧ କରି ଗଣ୍ଡଗୋଳ କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ତେବେ ଶେଷ ଖବର ମୁତାବକ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଆପୋସ ବୁଝାମଣା ହୋଇଥିଲା ଏବଂ ମନରେଗା କାମ ଚାଲିବ ବୋଲି ନିଷ୍ପତ୍ତି ହୋଇଛି। କିନ୍ତୁ ସରକଣାର ଏହି ରାଜନୀତି ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।