ଖଣ୍ଡଗିରି: ମେଡିକାଲ କଲେଜରେ ଲାଗୁ ହୋଇଥିବା ନ୍ୟାସନାଲ୍ ଏକ୍ସିଟ୍ ଟେଷ୍ଟ(ନେକ୍ସଟ୍) ପ୍ରତ୍ୟାହାର କରିବା ଦାବିରେ ଆଜି ଆଇଏମ୍ସ୍ ଏବଂ ସମ୍ ହସ୍ପିଟାଲର ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଛାତ୍ରଛାତ୍ରୀଙ୍କ କହିବା କଥା ନ୍ୟାସନାଲ୍ ମେଡିକାଲ କମିସନ (ଏନ୍ଏମ୍ସି) ଦ୍ୱାରା ନେକ୍ସଟ୍-୧ ପରୀକ୍ଷା ତରବରିଆ ଭାବେ ଲାଗୁ କରାଯାଇଛି। ଏକପାଖିଆ ଭାବେ ୨୦୧୯ ବ୍ୟାଚ୍ ଛାତ୍ରଛାତ୍ରୀମାନଙ୍କ ପାଇଁ ଏମ୍ବିବିଏସ୍ ପାଠ୍ୟକ୍ରମର ଶେଷରେ ଏକ ନୂତନ ପରୀକ୍ଷା ବ୍ୟବସ୍ଥା ଲାଗୁ କରିବା ଅଗଣତାନ୍ତ୍ରିକ ବୋଲି ଅଭିଯୋଗ ହୋଇଛି।
ଏହି ନୂତନ ନେକ୍ସଟ୍ ପାଠ୍ୟକ୍ରମ ଅଧୀନରେ ଛାତ୍ରଛାତ୍ରୀମାନଙ୍କୁ ୬ ମାସରେ ୧୯ଟି ବିଷୟ ପାଇଁ ପ୍ରସ୍ତୁତ ହେବାକୁ କୁହାଯାଇଛି। ହେଲେ ପ୍ରଶ୍ନପତ୍ରର ଢାଞ୍ଚା କ’ଣ ହେବ, ସେନେଇ ତଥ୍ୟ ଦିଆଯାଇନାହିଁ। ଏ ବାବଦକୁ ୨ ହଜାର ଟଙ୍କାର ଅତିରିକ୍ତ ଶୁଳ୍କ ଜୁଲାଇ ୨୮ରେ ମକ୍ ଟେଷ୍ଟ ପାଇଁ ଦେବାକୁ ହେବ ବୋଲି ସୂଚନା ଦିଆଯାଇଛି। ଏହା ବ୍ୟତୀତ ଏହି ପରୀକ୍ଷା ପାଇଁ ଅନେକ ଛାତ୍ରଛାତ୍ରୀଙ୍କୁ ଏହି ପରୀକ୍ଷା ଦେବାକୁ ଭିନ୍ନ ଭିନ୍ନ ରାଜ୍ୟକୁ ଯିବାକୁ ପଡ଼ିବ। ସପ୍ଲିମେଣ୍ଟାରି ପରୀକ୍ଷାର ସୁଯୋଗ ହଟାଇ ଦିଆଯାଇଥିବା ବେଳେ ଯେଉଁମାନେ ପ୍ରଥମ ପ୍ରୟାସରେ ନେକ୍ସଟ୍ରେ ଉତ୍ତୀର୍ଣ୍ଣ ହେବାରେ ଅସମର୍ଥ ହେବେ, ସେମାନଙ୍କୁ ଆଉ ଏକ ପରୀକ୍ଷା ଦେବାକୁ ୬ ମାସ ଅପେକ୍ଷା କରିବାକୁ ପଡ଼ିବ। ଏକାଡେମିକ୍ କ୍ୟାରିୟରରେ ମୂଲ୍ୟବାନ ସମୟର କ୍ଷତି ଏବଂ ପ୍ରତ୍ୟେକ ପରୀକ୍ଷା ଛାତ୍ରମାନଙ୍କ ଉପରେ ବ୍ୟାପକ ଚାପ ସୃଷ୍ଟି କରିବ। ତେଣୁ ଏହାକୁ ପ୍ରତ୍ୟାହାର କରିବା ପାଇଁ ଛାତ୍ରଛାତ୍ରୀମାନେ ଦୃଢ଼ ଦାବି କରିଛନ୍ତି। ଏଥିରେ ଆଇଏମ୍ସ୍ ଏବଂ ସମ୍ ହସ୍ପିଟାଲର ବିଭୂତି ଭୂଷଣ କର, ନିଖିଲ ଶର୍ମା, ଐଶ୍ୱର୍ଯ୍ୟା ରାଜଲକ୍ଷ୍ମୀ, ରୀଚା ମହାପାତ୍ର, ସୋନାଲ ସାମନ୍ତରାୟ ପ୍ରମୁଖ ନେତୃତ୍ବ ନେଇଥିଲେ। ବିକ୍ଷୋଭସ୍ଥଳରେ ଏଆଇଡିଏସ୍ଓ ଓଡ଼ିଶା ରାଜ୍ୟ ପରିଷଦର ସମ୍ପାଦକ ନସିମ୍ ସରକାର ଉପସ୍ଥିତ ଥିଲେ।