ଭୁବନେଶ୍ବର : ରାଜ୍ୟରେ ଘନ ଘନ ବିଦ୍ୟୁତ କାଟ ପ୍ରତିବାଦରେ ସୋମବାର ଦିନ ଶକ୍ତି ମନ୍ତ୍ରୀଙ୍କ ସରକାରୀ ବାସଭବନ ଆଗରେ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଛାତ୍ର କଂଗ୍ରେସର ସଭାପତି ୟାସିର ନୱାଜଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ବିକ୍ଷୋଭରେ ବିକ୍ଷୋଭକାରୀ ହାତରେ ଲଣ୍ଠନ ଓ ବିଞ୍ଚଣା ଧରି ପ୍ରତିବାଦ ଜଣାଇଥିଲେ। ବିଦ୍ୟୁତ କାଟ ସଂପର୍କରେ ଶକ୍ତି ମନ୍ତ୍ରୀଙ୍କୁ ପ୍ରଶ୍ନ କରିବା ପାଇଁ ଛାତ୍ର କଂଗ୍ରେସ କର୍ମକର୍ତା ତାଙ୍କ ବାସଗୃହ ଆଡ଼କୁ ଯାଉଥିବା ବେଳେ ପୁଲିସ ସେମାନଙ୍କୁ ଅଟକାଇଥିଲା। ପୁଲିସ-ଛାତ୍ର କଂଗ୍ରେସ କର୍ମକର୍ତାଙ୍କ ଧସ୍ତାଧସ୍ତି ହୋଇଥିଲା।
ଛାତ୍ର କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ ଜଣେ ଜନ ପ୍ରତିନିଧି ହୋଇ ସାଧାରଣ ଜନତାଙ୍କ ସମସ୍ୟାକୁ ଉପକ୍ଷୋ କରି ଟାଟା ପାୱାର କମ୍ପାନି ସପକ୍ଷରେ ଯୁକ୍ତି ବାଢ଼ୁଛନ୍ତି। ବିଦ୍ୟୁତ କାଟ୍କୁ ଶକ୍ତି ମନ୍ତ୍ରୀ ଅସ୍ବୀକାର କରୁଛନ୍ତି। ଟ୍ରିପ୍ ହେଉଛି କହି ଉପଭୋକ୍ତାଙ୍କୁ ଭୁଆଁ ବୁଲାଉଛନ୍ତି। ରାଜ୍ୟ ସରକାର ଗତ ୧୦ବର୍ଷରେ ବିଦ୍ୟୁତ ବ୍ୟବସ୍ଥାର ସୁଧାର ପାଇଁ ୨୦ହଜାର କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ବିଦ୍ୟୁତ ତାର, ଖୁଣ୍ଟି ଓ ଟ୍ରାନ୍ସଫର୍ମରର ବ୍ୟାପକ ପରିବର୍ତନ ହେଉଥିବା ନଜରକୁ ଆସୁନାହିଁ। ଭୁବନେଶ୍ବର ଓ କଟକରେ ଭୂତଳ ବିଦ୍ୟୁତକରଣ ବ୍ୟବସ୍ଥା ପାଇଁ ହଜାର ହାଜର କୋଟି ଖର୍ଚ୍ଚ ହୋଇଥିବା ବେଳେ ଫଳ ଶୂନ।
୧୫ମାସ ଭିତରେ ହକି ଷ୍ଟାଡିୟମ ନିର୍ମାଣ କରିଥିବା ବେଳେ ରାଜ୍ୟ ସରକାର ବାହାବା ନେଉଥିବା ବେଳେ ୧୦ବର୍ଷ ଭିତରେ ବିଦ୍ୟୁତ ବ୍ୟବସ୍ଥାର କାହିଁକି ସୁଧାର ହୋଇପାରୁନାହିଁ ? ଦେଶରେ ଓଡ଼ିଶା ଏକ ବଳକା ବିଦ୍ୟୁତ ରାଜ୍ୟ ବୋଲି ସରକାର କହୁଥିବା ବେଳେ ରାଜ୍ୟର ଉପଭୋକ୍ତାମାନେ ଚଢ଼ା ଦରରେ ବିଦ୍ୟୁତ କିଣୁଛନ୍ତି। ଉପଭୋକ୍ତାଙ୍କ ତଣ୍ଟି ଚିପି ଟାଟା ପାୱାର ରକ୍ତ ଶୋଷଣ କରୁଥିବା ବେଳେ ଶକ୍ତି ମନ୍ତ୍ରୀ, ସଚିବ, ଓଇଆରସି ନିରବଦ୍ରଷ୍ଟା ସାଜରିଛନ୍ତି। ନିକଟରେ କର୍ଣ୍ଣାଟକ ସରକାର ଗରିବ ଲୋକଙ୍କୁ ୨ଶହ ୟୁନିଟ୍ ବିଦ୍ୟୁତ ମାଗଣା ଯୋଗାଉଥିବା ବେଳେ ରାଜ୍ୟରେ ବିପିଏଲ କାର୍ଡଧାରୀଙ୍କୁ ୨ଶହ ୟୁନିଟ୍ ମାଗଣା ଦିଆଯାଉ ବୋଲି ଛାତ୍ର କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ରାଜ୍ୟରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରିବା ସହିତ ଟାଟା ପାୱାର କମ୍ପାନି ଉପରେ ଅଙ୍କୁଶ ଲଗାଇବା ପାଇଁ ଦାବି ହୋଇଛି।
ବିକ୍ଷୋଭରେ ରଜତ ଚୌଧୁରୀ, ପ୍ରକାଶ ମିଶ୍ର, ରଣଜିତ ପାତ୍ର, ଅଜୟ ସାହୁ, ସ୍ବାଗତ କର, ସୁରଜ ରାଉତ, ସାଗର ପଟ୍ଟନାୟକ, ବିଶ୍ବଭୂଷଣ ମହାପାତ୍ର, କାର୍ତିକ କାଣ୍ଡି, ଉଦିତ ପ୍ରଧାନ, ଶ୍ରୀ ମହାନ୍ତି, ଦୀପିକା ପାତ୍ର, ଶାହାରୁଖ ଖାନ, ଆର୍ଯ୍ୟନ ସାସମଲ, ଅବିନାଶ ନନ୍ଦ, ସୌମ୍ୟ ବରାଳ, ରାଜଦୀପ ବେହେରା, ଅହମଦ ଖାନ, ମହମ୍ମଦ ମନୱାର ପ୍ରମୁଖ ସାମିଲ ହୋଇଥିଲେ।