ଘରୋଇ ଶିକ୍ଷାନୁଷ୍ଠାନର ଶୋଷଣ ବିରୋଧରେ ଅଭିଭାବକ ସଂଘର ଆନ୍ଦୋଳନ

ଭୁବନେଶ୍ୱର: ଓଡ଼ିଶାରେ ଘରୋଇ ଶିକ୍ଷାନୁଷ୍ଠାନ ଶୋଷଣ ବିରୋଧରେ ଆଜି ଓଡ଼ିଶା ପ୍ୟାରେଣ୍ଟ ଆସୋସିଏସନ୍‌ ଫୋରମ (ଓପାଫ) ପକ୍ଷରୁ ଲୋୟର ପିଏମ୍‌ଜିଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଏକ ସଂକଟଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଗୋଟିଏ ପଟେ ସରକାରୀ ଓ ସରକାରୀ ସାହାଯ୍ୟପ୍ରାପ୍ତ ବିଦ୍ୟାଳୟରେ ଶିକ୍ଷାର ମାନ ହ୍ରାସ ପାଉଥିବାବେଳେ ଅନ୍ୟ ପକ୍ଷରେ ନିମ୍ନ ମଧ୍ୟବିତ୍ତ ଓ ଗରିବ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଘରୋଇ ବିଦ୍ୟାଳୟମାନେ ଶୋଷଣ କରି ଚାଲିଛନ୍ତି। ଘରୋଇ ବିଦ୍ୟାଳୟମାନଙ୍କରେ ଗୁଣାତ୍ମକ ଶିକ୍ଷା ନାମରେ ମନଇଚ୍ଛା ଛାତ୍ରଛାତ୍ରୀଙ୍କ ଫି’ ବୃଦ୍ଧି କରୁଛନ୍ତି। ରାଜ୍ୟର ପ୍ରାୟ ୩୦ ଭାଗ ଛାତ୍ରଛାତ୍ରୀ ଘରୋଇ ଶିକ୍ଷାନୁଷ୍ଠାନମାନଙ୍କରେ ଅଧ୍ୟୟନ କରୁଛନ୍ତି। ସଂପୂର୍ଣ୍ଣ ଭାବେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଉପରେ ନିର୍ଭର କରୁଥିବା ଏହି ସ୍କୁଲମାନେ ମନଇଚ୍ଛା ସ୍କୁଲ୍‌ ଫି’ ବୃଦ୍ଧି କାରିଚାଲିଛନ୍ତି। ଏହା ଉପରେ ସରକାରଙ୍କ କୌଣସି ନିୟନ୍ତ୍ରଣ ନାହିଁ। ସେହିଭଳି ଘରୋଇ ସ୍କୁଲମାନଙ୍କରେ ଶିକ୍ଷା ଅଧିକାର ଆଇନ୍‌ ପାଳନ କରାଯାଉ ନଥିବାବେଳେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଈର୍ଷା ଓ ବିଭାଜନ ମାନସିକତା ସୃଷ୍ଟି କରାଯାଉଛି। ପିଲାମାନଙ୍କ ନିରାପତ୍ତା ଓ ଶିଶୁ ଅଧିକାର ଆଇନ୍‌ ସଂପର୍କରେ ଘରୋଇ ସ୍କୁଲମାନେ କୌଣସି ଗୁରୁତ୍ୱ ଦିଆଯାଉନାହିଁ ବୋଲି ‘ଓଡ଼ିଶା ପ୍ୟାରେଣ୍ଟ ଆସୋସିଏସନ୍‌ ଫୋରମ’ ଅଭିଯୋଗ କରିଛି। ଏଭଳି ସ୍ଥିତିରେ ଘରୋଇ ବିଦ୍ୟାଳୟମାନଙ୍କର ଶୋଷଣରୁ ମୁକ୍ତ ହେବାକୁ ସମସ୍ତ ଅଭିଭାବକମାନେ ଏକତ୍ର ହୋଇ ଏହା ବିରୋଧରେ ଲଢ଼େଇ କରିବାକୁ ଓପାଫ ଆହ୍ଵାନ ଜଣାଇଛି। ଏ ଦିଗରେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେଇ ଏଭଳି ଉତ୍କଟ ସମସ୍ୟାର ସମାଧାନ ନ କଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଫୋରମ ପକ୍ଷରୁ ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର