ରମଣଙ୍କୁ ବିରୋଧ କରି ଶୋଭାଯାତ୍ରା

କୁଶପୁତ୍ତଳିକା ଦାହ କଲା ସମାଜବାଦୀ ପାର୍ଟି

ଭୁବନେଶ୍ୱର : ବିଜେପୁର ଉପ ନିର୍ବାଚନ ପାଇଁ ଓଡ଼ିଶା ଗସ୍ତରେ ଆସୁଥିବା ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରି ଆଜି ସମାଜବାଦୀ ପାର୍ଟି ଓଡ଼ିଶା ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକରେ ତାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ପାର୍ଟି ସଭାପତି ରବି ବେହେରା ବିକ୍ଷୋଭ ପ୍ରଦର୍ଶନ କରି କହିଛନ୍ତି, ମହାନଦୀର ଉପର ମୁଣ୍ଡରେ ଛତିଶଗଡ଼ର ବିଜେପି ସରକାର ବ୍ୟାରେଜ୍‌ ନିର୍ମାଣ କରି ଓଡ଼ିଶାବାସୀଙ୍କ ସହ ଶତ୍ରୁତା ଆଚରଣ କରିଛନ୍ତିି। ଓଡ଼ିଶାର ଜୀବନରେଖା ମହାନଦୀର ପାଣିଧାରକୁ ବନ୍ଦ କରି ସେ ଓଡ଼ିଶାକୁ ମରୁଭୂମିରେ ପରିଣତ କରିବାର ଚକ୍ରାନ୍ତ ଚଳାଇଛନ୍ତି।

ରାଜ୍ୟ ବିଜେପି ଅନେକ ସମୟରେ ମାଟି ଆଗ ପାର୍ଟି ପଛ କହୁଥିବା ବେଳେ, ଓଡ଼ିଶାର ଶତ୍ରୁ ସାଜିଥିବା ରମଣ ସିଂହଙ୍କୁ ତାରକା ପ୍ରଚାରକ ଭାବେ ଓଡ଼ିଶା ଆଣିବା ବିଜେପିର ଦୋମୁହାଁ ନୀତିକୁ ପଦାରେ ପକାଇଛି।

ଏହି ଅବସରରେ ସମାଜବାଦୀ ପାର୍ଟି ରମଣ ସିଂହଙ୍କ ସଭାକୁ ବିଜେପୁରବାସୀ ପ୍ରତ୍ୟାଖାନ କରିବାକୁ ନିବେଦନ କରିବା ସହ ରମଣ ସିଂହ ଓଡ଼ିଶା ଆସିଲେ ତାଙ୍କୁ କଳାପତାକା ପ୍ରଦର୍ଶନ କରାଯିବ ବୋଲି ଚେତାବନୀ ଦେଇଛି।

ସମାଜବାଦୀ ପାର୍ଟି ରାଜ୍ୟ ସମ୍ପାଦକ ସୁଦର୍ଶନ ପ୍ରଧାନ, ବିଜୟ ବେହେରା, ସମ୍ବିତ ଦାସ, ପ୍ରଦୀପ ମିଶ୍ର, ସୁବ୍ରତ ଲେଙ୍କା, ସୁନୀଲ ମିଶ୍ର ଓ ପ୍ରଦୋଷ ଜେନା ପ୍ରମୁଖ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର